"ସପ୍ତଧାରାର ପ୍ରତିରୂପ ଆମେ
ଛୁଇଁ ଯିବା ପ୍ରତି ପ୍ରାଣ ,
ଆମରି ଛୁଆଁରେ ଜାଗ୍ରତ ହେଉ
ପ୍ରତି ପ୍ରାଣେ ସ୍ୱାଭିମାନ ।
ସ୍ୱାଭିମାନ ପରା ସମ୍ପଦ ଆମ
କୋଳେଇବା ତା'ରେ ଯାଇ,
ସ୍ୱାଭିମାନ ବଳେ ଆମ ଦିବ୍ୟତା
ପ୍ରତି ପ୍ରାଣ ଯିବ ଛୁଇଁ "।
ପୂର୍ବ ସାଗରର ନୀଳ ଉର୍ମିମାଳାକୁ କୋଳାଗ୍ରତ କରି ପ୍ରତ୍ୟହ ପ୍ରଭାତରେ
ପବିତ୍ର ଓଁକାର ଧ୍ଵନିର ଝଙ୍କାର ମଧ୍ୟରେ ସମଗ୍ର ଜମ୍ବୁଦ୍ଵୀପର ପଦବନ୍ଦନା ପାଇଁ ଯେଉଁ ଉତ୍କଳ
ଭୂଖଣ୍ଡ ବନ୍ଦାପନାର ଅର୍ଘ୍ୟଥାଳିକୁ ସଜାଡ଼ି ଥାଏ, ସେ ବୀର ପ୍ରସବିନୀ ଉତ୍କଳ ମାତାର ସନ୍ତାନ-ସନ୍ତତି
ଆମେମାନେ। ଆମ ଭିତରେ ଅଛି ଶତସିଂହର ଶକ୍ତି। ଆମେ ସଚେତନ, ସମ୍ଭ୍ରମ ଏବଂ ସମ୍ପ୍ରସାରିତ। ଆମ ସଚେତନତା, ସମ୍ଭ୍ରମତା ଏବଂ ସଂପ୍ରସାରଣତା ଦିଗନ୍ତ
ବିସ୍ତାରି ସମୀରଣସମ ପ୍ରତିଟି ପ୍ରାଣକୁ ସମ୍ମୋହିତ କରେ । ଆମେ ତ ସବଳ ଦୁର୍ବଳ ନୁହଁ। ତାହେଲେ, ଆମ ଭିତରେ କାହିଁକି ଏ ବ୍ୟତିକ୍ରମ ଆଜି? କାହିଁକି ଏ ଶିଥିଳତା ଆଜି? ଆମେ ସତ୍ୟ, ଶିବ ଓ ସୁନ୍ଦରର ପ୍ରତୀକ। ଆମେ ତ
ଦିବ୍ୟତାର ପ୍ରତିରୂପ। ପବିତ୍ରତାର ଦ୍ୟୋତକ। ଆମେ ତ କଳୁଷିତ ନୁହଁ। ତାହେଲେ କାହିଁକି ଏ ମାଟି
ଅବହେଳିତ ଆଜି ଶିକ୍ଷା କ୍ଷେତ୍ରରେ ? କାହିଁକି ଏ ମାଟିରେ ଶିକ୍ଷା ବ୍ୟବସ୍ଥା ଏକ ନୀରବ ସ୍ୱରଲିପି? ସେଥିପାଇଁ ଦାୟୀ କିଏ? ଆସନ୍ତୁ, ପଚାରିବା ଥରେ ନିଜେ ହିଁ ନିଜକୁ । କାରଣ ଆତ୍ମ-ସମୀକ୍ଷା ହିଁ ଆମ ପାଇଁ
ସର୍ବୋତ୍ତମ ମହୌଷଧି ।
Comments
Post a Comment