Stay tuned to my blog- " ପରିଚୟ " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

  ଇତିହାସର ପ୍ରଚ୍ଛଦ ପଟରେ ରହି ଯେଉଁ ମୁଷ୍ଟିମେୟ ବ୍ୟକ୍ତିବିଶେଷଗଣ ମଶାଣିର ଫୁଲ ଭଳି ମଶାଣିରେ ଫୁଟି ମଶାଣିରେ ହିଁ ଝରି ପଡନ୍ତି, ସେମାନଙ୍କର ଆଦ୍ୟ ଓ ଅନ୍ତିମ ପରିଚୟ ଏ ଧରାପୃଷ୍ଠରେ ଯୁଗେ ଯୁଗେ ଅପରିବର୍ତ୍ତିତ । ସ୍ଥିତପ୍ରଜ୍ଞସମ ସେମାନେ ଏ ବିଶ୍ଵବାସୀଙ୍କୁ ଅବିଚଳିତ ସ୍ଥିତିର ଯେଉଁ ବାର୍ତ୍ତା ବିତରଣ କରନ୍ତି, ସେଥିରେ ହିଁ ସେମାନଙ୍କର ମୌଳିକତାର ପ୍ରତିପାଦନ ହୁଏ । କାରଣ ସେମାନେ ବୁଝି ସାରିଲେଣି ଯେ, ଏ କ୍ଷଣଭଙ୍ଗୁର ପୃଥିବୀରେ ପ୍ରତିଟି ପରିଚୟ ମୌଳିକତା ବିନା ବ୍ୟର୍ଥପ୍ରାୟ । ତେଣୁ ତ ଏହି ମୌଳିକତା ହିଁ ଯୁଗେ ଯୁଗେ ବିଶ୍ଵରେ ଆଲୋଡ଼ନ ସୃଷ୍ଟି କରିଥାଏ । ଇତିହାସ ପୃଷ୍ଠାରେ ଏହି ଆଲୋଡ଼ନ ବାରମ୍ବାର ପ୍ରମାଣିତ ହୋଇ ମାନବ ସଭ୍ୟତା ପାଇଁ ବାର୍ତ୍ତାବହ ସାଜିଛି । ଦ୍ଵାପରରେ ଗୋପୀଜନ ବହ୍ଲବ ଶ୍ରୀକୃଷ୍ଣଙ୍କର ବଂଶୀ ସ୍ଵନ, ତ୍ରେତୟାରେ ରଘୁକୁଳ ତିଳକ ରାମଚନ୍ଦ୍ରଙ୍କର ଧନୁସ ବାଣ ଏବଂ ଆମ ସମୟରେ ଜାତିର ପିତା ମହାତ୍ମାଙ୍କର ଅହିଂସା ମନ୍ତ୍ର ଏ ମାନବ ସଭ୍ୟତା ପାଇଁ ମୌଳିକତାର ଆଦର୍ଶକୁ କିଭଳି ପ୍ରମାଣିତ କରିଛି ଏ କଥା କାହାରିକୁ ଅଛପା ନୁହଁ । କେବଳ ସେତିକି ନୁହଁ, ସେମାନଙ୍କର ସେହି ମୌଳିକତାର ଓଁକାର ଧ୍ୱନି ମଧ୍ୟରେ ସେମାନଙ୍କ ସମୟରେ ଏବଂ ଏଯାବତ ଉଜ୍ଜୀବିତ ଜନତା ସେମାନଙ୍କର ଆତ୍ମ-ପରିଚୟକୁ ପ୍ରାପ୍ତ କରି ଆସିଛନ୍ତି । ସେ ଅଦୃଶ୍ୟ ପ୍ରଭାବର ଆଭା ଯୁଗରୁ ଯୁଗକୁ ପରିବ୍ୟାପ୍ତ ଯେମିତି । ସେ ମୌଳିକତାର ପ୍ରତିଧ୍ୱନି ଆଜିବି ନୂତନ ଜାଗରଣର ଧ୍ଵଜା ଧାରଣ କରି ମାନବ ଜାତିକୁ ପ୍ରେରିତ କରି ଚାଲିଛି ଏକ ଅତିମାନସ ସ୍ତରର ବିଶ୍ଵ ଆଡ଼କୁ । ସେଠି ନା ଶୋକ ଅଛି ନା ଭୋକ ଅଛି । ଶାରୀରିକ କ୍ଷୁଧା ଓ ତୃଷ୍ଣାରୁ ମୁକ୍ତ ପୃଥିବୀଟେ ନିର୍ମାଣ କରିବାପାଇଁ ସେମାନଙ୍କର ସେହି ଆଦର୍ଶ ଯେମିତି ଅଭିପ୍ରେତ । ତେଣୁ ଆସନ୍ତୁ, ଏ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ମଧ୍ୟରେ ଥିବା ଦିବ୍ୟତାର ସନ୍ଧାନ କରିବା ଏବଂ ବିଶ୍ଵହିତ ପାଇଁ ସେ ଦିବ୍ୟତାକୁ ନୀରବରେ, ନିଃସର୍ତ୍ତରେ ଏବଂ ନିମଗ୍ନ ଚିତ୍ତରେ ପ୍ରୟୋଗ କରି ତା’ରି ମଧ୍ୟରେ ଆମ ପରିଚୟକୁ ଖୋଜିବା, କାରଣ ଆମେ ପରା ଆଲୋକ ସନ୍ଧାନୀ । ତେଣୁ ତ ମୋ ଲେଖନୀରୁ ଝରିଆସେ -

ମୌଳିକତାକୁ ସାଥେ ନେଇ ଆସ

ସଞ୍ଚରିବା ଏଠି ଆମେ,

ଆମ ସଞ୍ଚରଣେ ଫୁଟୁ ଥାଉ ଫୁଲ

ଏଠି ଏହି ଧରାଧାମେ ।

ଆମ ସଞ୍ଚରଣ ଗଙ୍ଗାଧାରସମ

ସଭିଙ୍କୁ ପବିତ୍ର କରୁ,

ଅମୃତ ଧାରା ଆମଠୁ ଏମିତି

ପ୍ରତି ମୁହୂର୍ତ୍ତରେ ଝରୁ । 

ଆମ ସୁବାସକୁ ବିତରିବା ଆମେ

ମଶାଣିର ଫୁଲ ହୋଇ,

ମୌଳିକତାକୁ ପାଇଗଲେ ଥରେ

ଆଉ କିଛି ଲୋଡ଼ା ନାହିଁ ।

ମୌଳିକତାର ଦିବ୍ୟ ଛୁଆଁରେ

ଧରା ହୁଏ ମଧୁମୟ

ମଧୁ ଆସ୍ଵାଦନେ ଆସ ଖୋଜିନେବା

ଏଠି ଆମ ପରିଚୟ ।

ଆମ ପରିଚୟ ଫୁଲ ହୋଇ ସଦା

ବାସ୍ନା ବିତରୁ ଥାଉ,

 ମୌଳିକତାର ସୁର ଝଙ୍କାରେ

ପ୍ରାଣ ଝଙ୍କୃତ ହେଉ ।

ଆମେ ଫୁଟୁଥିବା ନିତିପ୍ରତି ଏଠି

ଐଶୀ ଆଶିଷ ନେଇ,

ନମିଳଇ ଯଦି ବଗିଚା ଆମକୁ

ମଶାଣିରେ ଯିବା ଶୋଇ ।

ଆମ ବିତରଣେ ଆହ୍ଲାଦିତ ହେଉ

ଏଠି ଏବେ ପ୍ରତିପ୍ରାଣ,

ଆମ ବିତରଣେ ଜାଗ୍ରତ ହେଉ

ପ୍ରତିପ୍ରାଣେ ସ୍ଵାଭିମାନ ।

ସ୍ଵାଭିମାନ ବିନା କେହି କି ଦେଖିଛି

 ଆତ୍ମିକ ଉନ୍ନତି,

ଆସ ବିତରିବା ଅକୁଣ୍ଠରେ ଆମେ

ପ୍ରୀତି ପାଖୁଡ଼ାକୁ ନୀତି ।

Comments