Stay tuned to my blog- " ଯୁଗ୍ମ ପାଖୁଡ଼ା " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 ସୌନ୍ଦର୍ଯ୍ୟ ଓ ସମୃଦ୍ଧି ଗୋଟିଏ ବୃନ୍ତରେ ଦୁଇଟି କଢ । ସେମାନେ ପ୍ରକୃତିର ଦୁଇଟି ଯୁଗ୍ମ ପାଖୁଡ଼ା । ସେମାନେ ଏକତ୍ର ପ୍ରସ୍ଫୁଟିତ ଏଠି । ବୋଧହୁଏ, ଈଶ୍ଵରଙ୍କର ସୃଷ୍ଟିରେ ଏକତ୍ର ଅଙ୍କା ଯାଇଛି ସେମାନଙ୍କର ଜନ୍ମକୋଠି । ଏନ୍ତୁଡ଼ିରୁ ଜୁଇ ଯାଏ ସେମାନେ ଗତିଶୀଳ ପାଦରେ ପାଦକୁ ଛନ୍ଦି । ସେମାନଙ୍କର ଯୁଗ୍ମ ହସ୍ତ ଏଠି କର୍ମରତ ଅହର୍ନିଶି ନିର୍ମାଣ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାପାଇଁ । କୋଣାର୍କର ମୁଣ୍ଡି ନମାରିବା ଯାଏଁ ଧରମା ଆଖିରୁ ନିଦ ହଜିଗଲା ଭଳି ସେମାନେ ଏକତ୍ର କେଜାଣି କେତେ ବିନିଦ୍ର ରଜନୀକୁ ବିତାଇଛନ୍ତି ସେମାନଙ୍କର କର୍ତ୍ତବ୍ୟ ପାଇଁ । ସେମାନେ ଥମିଗଲେ ପୃଥିବୀ ଥମିଯିବ । ମାନବ ସଭ୍ୟତା ରସାତଳଗାମୀ ହେବ କାରଣ ସେମାନେ ପରା ପ୍ରଗତି ଧ୍ଵଜାର ଧାରକ ଏବଂ ପ୍ରାପ୍ତିର ସୂଚକ । ସେମାନଙ୍କର ଦୃଢ ଇଚ୍ଛା ଶକ୍ତି ନିକଟରେ ଭାଗ୍ୟଦେବୀ ବି ସଙ୍କୁଚିତ । ସେମାନଙ୍କର ସଂକେତ ଏବଂ ସନ୍ତକ ଏ ମାନବ ସଭ୍ୟତାକୁ ତ୍ୱରାନ୍ୱିତ କରିଥାଏ ବୋଲି ସେମାନେ ବି କଦାଚିତ ଅନ୍ୟକୁ ଅଣଦେଖା କରନ୍ତିନି ବରଂ “ନମୋନ୍ତି ଫଳିନୋ ବୃକ୍ଷାଃ, ନମୋନ୍ତି ଗୁଣିନୋ ଜନାଃ” ନୀତିକୁ ଆପଣେଇ ନେଇ ରାସ୍ତା ଚାଲନ୍ତି ସବୁ ପରିସ୍ଥିତିକୁ ସାଥିରେ ନେଇ । ଗ୍ରହଣୀୟତା ତ ସେମାନଙ୍କର ମହନୀୟତାକୁ ପ୍ରତିପାଦନ କରେ ଏଠି ପ୍ରତି ମୁହୂର୍ତ୍ତରେ । ସେମାନେ ନିର୍ଲିପ୍ତ ଓ ନିରଞ୍ଜନ; ଅଥଚ ସର୍ବତ୍ର ପ୍ରସାରିତ । ପ୍ରସାରଣ ବିନା ସେମାନେ ତ ମୃତପ୍ରାୟ । ସବୁରି ଭିତରେ ସାମର୍ଥ୍ୟକୁ ଅନୁସନ୍ଧାନ କରନ୍ତି ସେମାନେ ଏବଂ ପ୍ରତିଟି ପ୍ରାଣକୁ ନିର୍ମାଣର ମହାମନ୍ତ୍ରରେ ଅଭିମନ୍ତ୍ରିତ ବି କରନ୍ତି ସେମାନେ । ଅନ୍ୟକୁ ନିର୍ମାଣ କରି ତ୍ୱରାନ୍ୱିତ କରିବାରେ ହିଁ ସେମାନଙ୍କର ଦିବ୍ୟାନନ୍ଦ ପରିସ୍ଫୁଟିତ ହୁଏ । ସେମାନଙ୍କ ବିନା ସୃଷ୍ଟି ପ୍ରକ୍ରିୟା ଅଧୁରା ଯେମିତି । ପରସ୍ପର ପ୍ରତି ସହଯୋଗର ହସ୍ତ ପ୍ରସାରଣ କରି ସୃଷ୍ଟିକୁ ତ୍ୱରାନ୍ୱିତ କରିବାପାଇଁ ବୋଧେ ସମ୍ଭବତଃ ଈଶ୍ଵର ସେମାନଙ୍କୁ ଯୁଗ୍ମ ଭାବେ ଗୋଟାଏ ବୃନ୍ତରେ ସ୍ଥାନିତ କରିଛନ୍ତି । ସେମାନେ ପ୍ରକୃତିର ଏବଂ ପ୍ରକୃତି ସେମାନଙ୍କର ଏବଂ ଏ ମାନବ ଜାତି ପ୍ରକୃତି, ସୌନ୍ଦର୍ଯ୍ୟ ଓ ସମୃଦ୍ଧିର । ତେଣୁ ଆସନ୍ତୁନା , ଥରେ ସେମାନଙ୍କୁ ଆପଣେଇ ନେବା ସ୍ଵଚ୍ଛ ହୃଦୟରେ, କାରଣ ସେମାନେ ପରା ଏ ଜଗତର ଆଲୋକ ବର୍ତ୍ତିକା ! 

Comments