Stay tuned to my blog - ' ସୁପ୍ତ ଆକାଂକ୍ଷାର ତୀରେ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


ମଣିଷ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ତା' ଅଜଣାତରେ ପ୍ରତିଧ୍ଵନି ତୋଳୁଥିବା ସୁପ୍ତ ଆକାଂକ୍ଷାକୁ ସୁବ୍ୟବସ୍ଥିତ, ସୁସଂଯତ ଏବଂ ସୁଗଠିତ କରି ତାକୁ ଜୀବନ୍ୟାସ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଯେଉଁମାନେ ଅହର୍ନିଶି ଏଠି ପ୍ରଦୀପ ଶିଖା ଭଳି ଜଳିବାରେ କୁଣ୍ଠା ପ୍ରକାଶ କରନ୍ତି ନାହିଁ ବରଂ ଜ୍ବଳନର କଷ୍ଟ ସହ୍ୟ କରି ବି ଦିବ୍ୟାନନ୍ଦରେ ଅଭିଭୂତ ହୁଅନ୍ତି, ସେମାନେ ହେଉଛନ୍ତି ଏ ଜାତିର ମେରୁଦଣ୍ଡ ଶିକ୍ଷକ ସମାଜ…ସେହି ସମାଜକୁ ସେମାନଙ୍କର ମହତ କାର୍ଯ୍ୟ ପାଇଁ ଅଜସ୍ର ପ୍ରଣାମ। ତେଣୁ ତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ନିଜର ଜନ୍ମ ଜୟନ୍ତୀ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସୁପ୍ତ ଆକାଂକ୍ଷାର ତୀରେ ନାଉରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଏହି ଶିକ୍ଷକ ସମାଜ ବଢ଼ିଲା ନଈ ରୂପି ଅଜ୍ଞାନ ଅନ୍ଧକାରରୁ ମଣିଷ ସମାଜକୁ ଆଲୋକ ସାମ୍ରାଜ୍ୟ ଆଡ଼କୁ ହାତ ଧରି ନିଅନ୍ତି। ତେଣୁ ତ ସେମାନେ ବିଶ୍ୱ ପାଇଁ ଯୁଗେ ଯୁଗେ ବତୀଘରସମ କାର୍ଯ୍ୟ କରନ୍ତି। ସେମାନେ ତ ଏ ମାନବ ଜାତିର ପ୍ରେରଣା ପ୍ରଦୀପ ଏବଂ କେବଳ ସେମାନଙ୍କ ପାଇଁ ହିଁ ଏ ମାନବ ସମାଜ ତା ସୃଷ୍ଟି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ସେମାନଙ୍କର ସକାରାତ୍ମକ ଅନୁଭୂତିକୁ ପାଥେୟ କରି ଏ ମାନବ ସମାଜ ଏକ ନୂତନ ଦିଗନ୍ତ ଆଡ଼େ ସଦା ସର୍ବଦା ପ୍ରଧାବିତ ହୋଇଥାଏ। ସେମାନଙ୍କର ପ୍ରତିଟି ଅନୁଭବର ପାଖୁଡ଼ାକୁ ସଯତ୍ନରେ ସଜାଡ଼ି ରଖୁଥିବା ମଣିଷମାନେ ହିଁ ତ ସଫଳତାର ଦିବ୍ୟ ଶଙ୍ଖଧ୍ଵନିକୁ ଶ୍ରବଣ କରନ୍ତି। ପ୍ରତିଟି ସୁପ୍ତ ଆକାଂକ୍ଷାକୁ ଜୀବନ୍ତ କରି ପୁରୁଷାର୍ଥକୁ ପ୍ରମାଣିତ କରି ପ୍ରତି ମୁହୂର୍ତ୍ତରେ ପ୍ରତିଭାତ ହୁଅନ୍ତି। ତେଣୁ ଆସନ୍ତୁ,  ଶିକ୍ଷକ ସମାଜର ପବିତ୍ର ଭାବଧାରାକୁ ବିତରଣ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଏବଂ ଗୁରୁଶିଷ୍ୟ ସମ୍ପର୍କକୁ ଦିବ୍ୟତାରେ ଭରିଦେଇ ଶ୍ରୀମଦ୍ ଭଗବତ ଗୀତାର ସେ ମନ୍ଦ୍ରମଧୁର ବାଣୀକୁ ସ୍ମରଣ କରି ଗୁରୁଶିଷ୍ୟର ସମ୍ପର୍କକୁ ପ୍ରତିପାଦନ କରିବା ଓ ପୂର୍ବ ପରମ୍ପରାକୁ ଫେରାଇ ଆଣିବା। 

ଧ୍ରୁବ ତାରାସମ ପ୍ରତିଟି ପ୍ରାଣ ତନ୍ତ୍ରୀରେ ସଞ୍ଚରି ଯାଇଥିବା ଶିକ୍ଷକ ସମାଜ ଅଧୁନା ସଚେତନତାର ବାର୍ତ୍ତା ବିତରଣ କରି ନିଃସର୍ତ୍ତରେ, ନୀରବରେ ତଥା ନିର୍ବିବାଦରେ ସଂସ୍କାର ପ୍ରକ୍ରିୟାକୁ ସତତ ତ୍ୱରାନ୍ୱିତ କରି ଚାଲିଛନ୍ତି। ସମସ୍ୟା ବହୁଳ ସମାଜରେ ସମାଧାନର ମୁକ୍ତାବିନ୍ଦୁସବୁ ବିତରି ଚାଲିଛନ୍ତି। ସେମାନଙ୍କର ଏହି ପ୍ରଚେଷ୍ଟା ସମାଜକୁ ଦିନେ ଦିବ୍ୟଜ୍ଞାନାଲୋକରେ ଉଦ୍ଭାସିତ କରିବ ନିଶ୍ଚୟ। ତେଣୁ ସେହି ହଜି ଯାଇଥିବା ଗୁରୁଶିଷ୍ୟ ପରମ୍ପରାକୁ ସୁପ୍ତ ଆକାଂକ୍ଷାର ତୀରେ ପୁନଃ ଜାଗ୍ରତ କରି ପାରିଲେ ବିଶ୍ୱ ସମୁଦାୟ ଏକ ସୁନେଲି ପ୍ରଭାତ ଆଡ଼େ ପୁନଃ ପ୍ରଧାବିତ ହେବ ଏବଂ ମହାବିଜୟର ଶଙ୍ଖଧ୍ୱନିରେ ଏ ମହୀମଣ୍ଡଳକୁ ଗୁଞ୍ଜରିତ କରିବ। ତେଣୁ ତ ମୋ ଲେଖନୀରୁ ଶିକ୍ଷକ ସମାଜ ପାଇଁ ଝରି ଆସେ-

"ପ୍ରତି ପ୍ରାଣ ଛୁଇଁ ନଈଟିଏ ହୋଇ 

ବହିଥାନ୍ତି ଗୁରୁ ଏଠି,

 ଗୁରୁଙ୍କ ଛୁଆଁରେ ପ୍ରତି ପ୍ରଭାତରେ 

ବଦଳେ ଜନ୍ମ କୋଠି"।

Comments