ସୁରମ୍ୟ ଅଟ୍ଟାଳିକାର ତୂଳୀତଳ୍ପ ଶଯ୍ୟାରେ ବିଦେଶୀ ପାନୀୟର ବନ୍ୟାରେ ମସଗୁଲ ଖିଆଲି ମଣିଷମାନେ ପୁଞ୍ଜିବାଦ ଆଦର୍ଶକୁ ପାଥେୟ କରି ଆଗାମୀକୁ ରଙ୍ଗୀନ କରିବାର ସ୍ଵପ୍ନ ଦୁନିଆରେ ଯେତେବେଳେ ନିଜକୁ ହଜେଇ ଦିଅନ୍ତି, ସେତେବେଳେ ସେମାନେ କୈଶୋରର ଚହଲା ପାଣିସମ ଅନିୟନ୍ତ୍ରିତ ହୋଇପଡନ୍ତି । ସେମାନଙ୍କର ସ୍ଵପ୍ନର ବାଲିଘରକୁ ସାଗରର ଅମାନିଆ ଢେଉ ହଠାତ ଭସାଇ ନେଇଯାଏ ସମସ୍ତଙ୍କର ଅଗୋଚରରେ ସେମାନେ କିଛି ବୁଝିବା ଆଗରୁ । ତେଣୁ ,ହେ ମୋର ନୂତନ ଆଲୋକ ସନ୍ଧାନୀ! ପୁଞ୍ଜିବାଦ ଚିନ୍ତନର କୁଜ୍ଝଟୀକାରେ ଆତ୍ମହରା ହୋଇ ବାଟବଣା ହୁଅ ନାହିଁ । କୃତ୍ରିମ ଆତ୍ମ -ତୃପ୍ତିର ଅଟ୍ଟହାସ୍ୟ ମଧ୍ୟରେ ନୀଳବର୍ଣ୍ଣ ଶୃଗାଳ ଭଳି କ୍ଷମତାର ଅପପ୍ରୟୋଗ କରନାହିଁ , କାରଣ ପ୍ରତିଟି ମଣିଷ ଏଠି ଏକ ଏକ ଦିବ୍ୟାତ୍ମା ମାତ୍ର । ପ୍ରତ୍ୟେକଙ୍କ ନିକଟରେ ନିହିତ ଅଛି ଭିନ୍ନ ଭିନ୍ନ ଐଶୀ ସତ୍ତା । ସେ ସତ୍ତାର ଉପଯୁକ୍ତ ଉପଯୋଗ କରିପାରିଲେ ହିଁ ଆଗାମୀ କାଲିର ସୂର୍ୟ୍ୟୋଦୟକୁ ଆମେ ସ୍ଵାଗତ କରିବା ସମ୍ଭବ ଅନ୍ୟଥା ଜଉଘରସମ ପ୍ରତିଟି ସ୍ଵପ୍ନ ଏଠି ଶ୍ରମିକର ତତଲା ନିଃଶ୍ଵାସରେ ମିଳେଇ ଯିବ । ଏଠି ଏ ବିଶ୍ଵରେ ପ୍ରତିଟି ଆତ୍ମା ଅପୂର୍ଣ୍ଣତାର ଆତ୍ମ ଯାତନାରେ ଦିଗହରା ହୋଇପଡ଼େ । ସେହି ହଜିଲା ଦିଗନ୍ତରୁ ନିଜକୁ ଉଦ୍ଧାର କରି ଆଣି ଏକ ସ୍ଥିତପ୍ରଜ୍ଞ ଜୀବନକୁ ଆପଣେଇ ନେଇପାରୁଥିବା ଆତ୍ମାଗଣ ହିଁ ଆହ୍ଵାନର ଆଲୋକ ବର୍ତ୍ତିକାସମ ଏଠି ଦୀପ୍ତିମନ୍ତ ହୁଅନ୍ତି । ତେଣୁ, ଆସନ୍ତୁ ନୋଳିଆର ଆଖି ନେଇ ସେ ଦିବ୍ୟପଥର ସନ୍ଧାନ କରିବା ଓ ଐଶୀ ଚେତନାର ଦିବ୍ୟସ୍ପର୍ଶରେ ପ୍ରତିଟି ପ୍ରାଣକୁ ଆହ୍ଲାଦିତ କରିବା । କର୍ତ୍ତବ୍ୟର ମହୌଦଧିରେ ମୁକ୍ତାର ସନ୍ଧାନ କରି ଏ ବିଶ୍ଵପୃଷ୍ଠକୁ ତା’ ଦିବ୍ୟଛୁଆଁରେ ମହିମାନ୍ଵିତ କରିବା ଏବଂ ଏକ ଆବେଗମୟ ପୃଷ୍ଠଭୂମିରେ ସାମ୍ୟ, ମୈତ୍ରୀ ଓ ମୁକ୍ତିର ପୁଷ୍ପ ବୃଷ୍ଟି କରି ଏ ବସୁନ୍ଧରାକୁ ଶୋଷଣ ମୁକ୍ତ କରିଦେବା । ସାମନ୍ତବାଦୀ ଚିନ୍ତନର ଅଳନ୍ଧୁ ଘେରା କୋଠରୀରୁ ପ୍ରତିଟି ଶୋଷିତ ଆତ୍ମାକୁ ମୁକ୍ତି ଦେବା ଏବଂ ପ୍ରମାଣିତ କରିବା ଯେ, ପ୍ରତିଟି ଅହଂକାର ଏଠି ଏକ ଜଉଘର ।
Comments
Post a Comment