ମଣିଷ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ତା’ ଅଜଣାତରେ ଉଙ୍କିମାରୁଥିବା ପ୍ରତିଟି ସୁପ୍ତ ଆକାଂକ୍ଷାର ବିଗ୍ରହ ଜୀବନ୍ତ ରୂପକୁ ପ୍ରାପ୍ତ କରିବାବେଳେ ମଣିଷ ତା’ ସୁରମ୍ୟ ଭାବନା ଓ ଇଚ୍ଛାଶକ୍ତି ଦ୍ଵାରା ପ୍ରେରିତ ହୋଇଥାଏ । ସେ ପ୍ରେରଣା ପ୍ରଦୀପର ଦିବ୍ୟଶିଖାରେ ତା’ ଓଠଧାରରେ ଚେନାଏ ହସ ଫୁଟିଉଠେ । ତା’ ସୃଷ୍ଟି ପାଇଁ ସେ ବିହ୍ଵଳ ହୋଇ ଚାହିଁ ରହେ ନୀଳ ସାଗରର ଉର୍ମିମାଳା ଆଡ଼େ । ତା’ ସକାରାତ୍ମକ ଇଚ୍ଛାଶକ୍ତିର ଅନୁଭୂତିରୁ ସାଉଁଟି ଆଣିଥିବା ପ୍ରତିଟି ଅନୁଭବର ପାଖୁଡ଼ାକୁ ନେଇ ସେ ଆହ୍ଲାଦିତ ହୁଏ । ତା’ ସଫଳତା ପାଇଁ ସେ ବୁଝିପାରେ, ସୁପ୍ତ ଆକାଂକ୍ଷାକୁ ସଯତ୍ନରେ ସକାରାତ୍ମକ ଭାବନା ଦ୍ଵାରା ସଜାଡ଼ି ପାରୁଥିବା ଉଦ୍ୟୋଗୀ ମଣିଷମାନେ ସେମାନଙ୍କର ପୁରୁଷାର୍ଥକୁ ବାରମ୍ବାର ପ୍ରମାଣିତ କରିପାରନ୍ତି ଏ ବିଶ୍ଵ ପୃଷ୍ଠରେ । କାରଣ ସେମାନେ ଏବେ ବୁଝି ସାରିଛନ୍ତି ଯେ, ସୁପ୍ତ ଆକାଂକ୍ଷା ଓ ଅନୁଭୂତି ହିଁ ସ୍ଵପ୍ନକୁ ସଜାଗ କରିବାର ଅଗ୍ରଦୂତ । ତେଣୁ ଆସନ୍ତୁ, ସେ ଅଗ୍ରଦୂତମାନଙ୍କର ଅନୁଧାବନ କରି ସୁପ୍ତ ଅଶ୍ଵମେଧକୁ ସଚେତନ କରିବା ଏବଂ ସେଠି ଗଢିଦେବା ସଫଳତାର ସୁରମ୍ୟ ଅଟ୍ଟାଳିକାଟିଏ ଆଉ ସେହି ଅଟ୍ଟାଳିକାରେ ନୀରବରେ ଓ ନିଃସର୍ତ୍ତରେ ତଥା ନିର୍ବିବାଦରେ ଉପଲବଧି କରିବା ଅତୀତରେ ଛାଡ଼ି ଆସିଥିବା ପ୍ରତିଟି ଜଟିଳ ପ୍ରଶ୍ନକୁ ଏବଂ ବର୍ତ୍ତମାନର ପରିପକ୍ଵ ଜ୍ଞାନସାଗରରୁ ଖୋଜି ଆଣିବା ସମାଧାନର ମୁକ୍ତାବିନ୍ଦୁ ସବୁ । କାରଣ ଆମେ ହିଁ ତ ଆଲୋକ ସନ୍ଧାନୀ । ଆମରି ସନ୍ଧାନ ହିଁ ସମ୍ଭବତଃ ଏ ବିଶ୍ଵକୁ ନୂତନ ଜ୍ଞାନାଲୋକରେ ଉଦ୍ଭାସିତ କରିବ ଓ ଆମ ପରମ୍ପରାକୁ ସୁପ୍ତ ଆକାଂକ୍ଷାର ତୀରେ ପୁନଃ ଜାଗ୍ରତ କରି ବିଶ୍ଵ ସମୁଦାୟକୁ ଏକ ସୁନେଲି ପ୍ରଭାତ ଆଡ଼େ ପଥ କଢାଇ ନେବ ଏବଂ ବିଜୟର ଶଙ୍ଖଧ୍ୱନିରେ ଏ ମହୀମଣ୍ଡଳକୁ ଗୁଞ୍ଜରିତ କରି ଆହ୍ଵାନ ଦେଉଥିବ-
“ପ୍ରତିପ୍ରାଣ ଛୁଇଁ ବହିଯିବା ଆମେ
ଆସ ନଈଟିଏ ହୋଇ ,
ଆମ ନଈ-ପାଣି ବହୁ ଥାଉ
ସଦା
ଚିରସ୍ରୋତା ଧାର
ହୋଇ ।“
Comments
Post a Comment