ମଣିଷର ଆବେଗମୟ ମନଟି ଶୂନ୍ ଶାନ୍ ମୁହୂର୍ତ୍ତରେ ବେଳେବେଳେ ହଠାତ ଚୁପଚାପ ହୋଇଯାଏ ଏବଂ ଭାବପ୍ରବଣତାରେ ବୁଡ଼ିଯାଏ । କେଜାଣି କେଉଁ ଅଜଣା ସାଥିର ନୀରବ ନିମନ୍ତ୍ରଣରେ ସେ ହଜିଯାଏ ଆକାଶର ଦୂରଦିଗବଳୟରେ । ଜୀବନ ଯମୁନାର ଉଜାଣି ସ୍ରୋତରେ ଭାସମାନ
ଇଚ୍ଛାମତିମାନଙ୍କର ଅଭିପ୍ସାକୁ ପୂର୍ଣ୍ଣ କରିବାପାଇଁ ମନ ତା’ର ଉଦ୍ ବେଳିତ ହୁଏ । ହେଲେ, ପୂର୍ଣ୍ଣତା କ’ଣ ସହଜରେ ଧରାଦିଏ?
ପୂର୍ଣ୍ଣତା ତ ଏଠି ଆକାଶର କୟାଁ ଅବା ଚିଲିକାର ମାଛ ଭଳି ବେଳେବେଳେ ଦୁଷ୍ପ୍ରାପ୍ୟ ମନେହୁଏ । କିନ୍ତୁ
,ବିବେକର ପ୍ରୋତ୍ସାହନରେ ମନର ସାଧନା-ବେଦିରେ ପୁନଃ ସ୍ଥାପିତ ହୁଏ
ସଫଳତାର ଯଜ୍ଞକୁଣ୍ଡ । ଆଉ ସେହି ଯଜ୍ଞକୁଣ୍ଡରେ ମଣିଷ ପୁନଃ ପୁନଃ ଆହୁତି ସାଜି ପୂର୍ଣ୍ଣତାର
ସନ୍ଧାନ କରେ ସବ୍ୟସାଚୀର ତୀକ୍ଷଣ ଦୃଷ୍ଟି ନେଇ ଏବଂ ସେ ଅନୁଧ୍ୟାନ କରେ ତା’ଠାରୁ ପୂର୍ଣ୍ଣତାର ଦୂରତ୍ଵକୁ । ତା’ର ମନେହୁଏ, ପୂର୍ଣ୍ଣତା ଅତି ନିକଟରେ ତାକୁ ଆହ୍ଵାନ ଦେଉଛି ଯେମିତି ଆଗକୁ ବଢିବାକୁ ! ଯୁଗ ଯୁଗର
ପୂର୍ଣ୍ଣତାକୁ ପ୍ରାପ୍ତ କରିବାପାଇଁ ସେ ପ୍ରଗଳ୍ଭପ୍ରାୟ ହୁଏ । ତା’ର ମନେପଡ଼େ
,ଜହ୍ନ ଏବେ ଆଉ ମଣିଷ ପାଇଁ ସୁଦୂର ରାଇଜର ଜହ୍ନମାମୁଁ ନୁହଁ । ସେ’ ତ ଏବେ ହାତ ପା’ନ୍ତାରେ । ତାହେଲେ ସବୁତକ ସ୍ଵପ୍ନ ଏବେ
କାହିଁକି ଅପୂର୍ଣ୍ଣ ବୋଲି ମନେହୁଏ? ଅନେକ ସ୍ଵପ୍ନ କ’ଣ ତେବେ ଅପୂର୍ଣ୍ଣତାର ଆତ୍ମ-ଯାତନାରେ ଗୁମୁରି ଗୁମୁରି ଅଶ୍ରୁପାତ କରୁଛନ୍ତି କି? ହଠାତ ତା’ ଭିତରେ ଜାଗ୍ରତ ହୁଏ ପୁରୁଷାର୍ଥ । ତା’ ମନପ୍ରାଣ ଦୃଢତାରେ ଭରିଯାଏ । ସଂକଳ୍ପୀ ମନ ତା’ର ଚେଇଁ ଉଠେ ।
ସମ୍ରାଟର ଇଚ୍ଛାଶକ୍ତି ନେଇ ସେ ବିଜୟର ଧ୍ଵଜା ଧାରଣ କରେ ଏବଂ ଶେଷରେ ସମସ୍ତ କଳ୍ପନାକୁ ଅତିକ୍ରମ
କରି ସଫଳତାର ସୋପାନ ଶ୍ରେଣୀକୁ ଅତିକ୍ରମ କରେ ଓ ପ୍ରମାଣିତ କରେ ଯେ,
ସାଧନା ଯଜ୍ଞର ମହତ୍ତ୍ଵ ହିଁ ସଂସାରରେ ସାର । ସେ ଆହ୍ଵାନ ଦେଇ ଗାଇ ଉଠେ-
“ସାଧନା ଯଜ୍ଞରେ ଆମେ ଯେ ଆହୂତି,
ସ୍ଵପ୍ନକୁ କିଆଁ କରିଦେବା ଇତି
ହାତରେ ହାତକୁ ଛନ୍ଦିଦେଇ ଆସ
ପ୍ରତୀକ୍ଷା କରିଛି ଆମକୁ ପ୍ରଗତି”।
Comments
Post a Comment