Stay tuned to my blog- " ପୂର୍ଣ୍ଣତା କ'ଣ ସ୍ଥାଣୁତ୍ଵର ଅନ୍ୟ ନାମ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ପୂର୍ଣ୍ଣତା ହିଁ ମାନବର ଅଭିବୃଦ୍ଧିକୁ ରୁଦ୍ଧ କରିଥାଏ । ପୂର୍ଣ୍ଣତାରେ ତୃପ୍ତ ମଣିଷମାନେ ସଚେଷ୍ଟ ନୁହନ୍ତି ବୋଲି ବୋଧେ ଈଶ୍ଵର ମଣିଷ ମଧ୍ୟରେ ଅପୂର୍ଣ୍ଣତାକୁ ଭରି ଦେଇଥାନ୍ତି । କାରଣ ଏ ବିଶ୍ଵ ପ୍ରସାରଣଶୀଳ । ଆଉ ଚତୁର୍ଦ୍ଦିଗରେ ପୂର୍ଣ୍ଣତା ଭରିଗଲେ ପ୍ରସାରଣ ପ୍ରକ୍ରିୟା ସମ୍ଭବତଃ ଥମିଯିବ । ମଣିଷ ମଧ୍ୟରୁ ଚଞ୍ଚଳତା ହଜିଯିବ ଏବଂ ପ୍ରକୃତି ନୀରବି ଯିବ । ଫୁଲଫଳର ସମ୍ଭାର ଅଦିନରେ ଫିକା ପଡ଼ିଯିବ । ପକ୍ଷୀର କାକଳି ବି ଉଭେଇ ଯିବ । ତେଣୁ ବୋଧେ ଈଶ୍ଵର ମଣିଷର ଚାରିଆଡ଼େ ଅପୂର୍ଣ୍ଣତା ଭରିଦେଇ ତାକୁ ସଦା ଜାଗ୍ରତ ହେବାପାଇଁ ପ୍ରେରିତ କରନ୍ତି । ଅପୂର୍ଣ୍ଣତାର ଦିଗବଳୟରେ ମଣିଷର ହାତ ଦୁଇଟିକୁ ବଳିଷ୍ଠ କରିଦେଇ ଆଗକୁ ଯିବାର ସମ୍ଭାବନାକୁ ଆଦରି ନେବାପାଇଁ ଆହ୍ଵାନ ଦିଅନ୍ତି । ଅପୂର୍ଣ୍ଣତା ଏକ ଆହ୍ଵାନ ବୋଲି ଇତିହାସରେ ଅନେକବାର ପ୍ରମାଣିତ ହୋଇସାରିବା ପରେ ମଣିଷ ଏବେ ଆଉ ତା’ ଅପୂର୍ଣ୍ଣତା ପାଇଁ ଦୁଃଖ କରେନା । କାରଣ ସେ ଏବେ ବୁଝି ସାରିଲାଣି ଯେ, ପୂର୍ଣ୍ଣତା ଜୀବନକୁ ସ୍ଥିର କରିଦିଏ ଏବଂ ତାକୁ ବାରମ୍ବାର ମୃତ୍ୟୁର ପଦଧ୍ଵନି ଶୁଣାଏ । ତା’ ସାମ୍ନାରେ ସମାପ୍ତିର ଧୂନ ବଜାଇ ତାକୁ ଭୟଭୀତ କରେ । ଫେରିବାରେ ତା’ର ଦୁଃଖ ନାହିଁ । ହେଲେ ଅପୂର୍ଣ୍ଣତାକୁ ନେଇ ଫେରୁଥିବା ମଣିଷମାନେ ଅନୁଭୂତି ବାଣ୍ଟିବାକୁ ପୁନଃ ପ୍ରତ୍ୟାବର୍ତ୍ତନ କରିବେ; ନଚେତ ସେମାନଙ୍କର ତ ନିର୍ବାଣ ପ୍ରାପ୍ତି ହୋଇଯିବ । ଆଉ ପ୍ରତିଟି ଆତ୍ମାର ନିର୍ବାଣ ହୋଇଗଲେ ବିଶ୍ଵ-ପ୍ରଗତି ସ୍ଥିର ହୋଇଯିବ । ସ୍ଥାଣୁତ୍ଵର ତୀବ୍ର ଜ୍ଵଳାରେ ମାନବ ସମାଜ ଉବୁଟୁବୁ ହେବ । ତେଣୁ ଆସନ୍ତୁନା ! ଆମେ ଏବେ ସକାରାତ୍ମକ ଅପୂର୍ଣ୍ଣ ଜୀବନଟେ ପାଇଁ ବିଶ୍ଵ ନିୟନ୍ତାଙ୍କ ଦିବ୍ୟ-ଦରବାରରେ ଅଳି କରିବା । ତାହେଲେ ସିନା ଏ ବିଶ୍ଵର ପ୍ରଗତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଆଗାମୀକୁ ଆଗକୁ ଯିବାପାଇଁ ପ୍ରେରଣା ପ୍ରଦୀପଟେ ଜାଳି ବତୀଘରଟେ ଭଳି ଦିଗ ଦେଖାଇବ ।

Comments