ପ୍ରତୀକ୍ଷାର ଦିଗ୍-ବଳୟରେ ପ୍ରତି ମୁହୂର୍ତ୍ତରେ ନିଜ ଠିକଣାକୁ ଖୋଜୁଥିବା ବେଠିକଣା ମଣିଷମାନେ ପ୍ରତିଟି ବିଡମ୍ବିତ ମୁହୂର୍ତ୍ତରେ ନିଜର ପ୍ରାପ୍ତି ପାଇଁ ସନ୍ଦିହାନ ହୋଇପଡନ୍ତି । ପ୍ରତୀକ୍ଷାର ଦୂର ଦିଗ୍-ବଳୟରେ ସେମାନେ ଏବେ ବି ତ ବାଟବଣା । ପୂର୍ବ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିବାର ସମସ୍ତ ରାସ୍ତା ରୁଦ୍ଧ ସେମାନଙ୍କ ପାଇଁ । ପ୍ରତୀକ୍ଷାର ଚକ୍ରବ୍ୟୁହରେ ସେମାନେ ତ ବନ୍ଦି ଏବେ । ଅଭିମନ୍ୟୁର ଚକ୍ରବ୍ୟୁହ ଠାରୁ ଏହା ତ ଆହୁରି ଜଟିଳ । ଏଠି ମୃତ୍ୟୁ ନାହିଁ ସତ, ହେଲେ ଯନ୍ତ୍ରଣା ଅଛି । ପ୍ରାପ୍ତି ଏଠି ବିଡମ୍ବିତ । ତଥାପି ବଞ୍ଚିବାକୁ ହେବ କାରଣ ଏଠାରୁ ନମୁକୁଳିବା ଯାଏଁ ମୃତ୍ୟୁଲୋକରେ ପହଞ୍ଚି ତ ହୁଏନା । ଜନ୍ତୁରାଣ ବି ଏଠି ଭୟଭୀତ । ଏଠି ପ୍ରାଚୁର୍ଯ୍ୟ ଅଛି ହେଲେ ପ୍ରାଚୁର୍ଯ୍ୟକୁ ସ୍ପର୍ଶ କରିବାରେ ପ୍ରତିବନ୍ଧକ ଅଛି । ପ୍ରତିବନ୍ଧକର ଏରୁଣ୍ଡି ବନ୍ଧରେ ପ୍ରତିକ୍ଷିତ ମୁହୂର୍ତ୍ତମାନଙ୍କର ଭିଡ଼ । ତେଣୁ ଏ ଭିଡ଼ ମଧ୍ୟରେ ନିଜ ପରିଚୟକୁ ହଜାଇଦେବା ଆଗରୁ ଧୈର୍ଯ୍ୟର ବନ୍ଧଟିଏ ନିର୍ମାଣ କରିବା; ଆଉ ସେ ବନ୍ଧ ମଧ୍ୟରେ ରହି ନିଜର ସ୍ଥିତିକୁ ପୁନଃ ସ୍ଥାପନ କରିବା ଓ ସମୃଦ୍ଧିର ସୌଧ ନିର୍ମାଣ ପାଇଁ ସ୍ଵପ୍ନ ଦେଖିବା । କିଏ ଜାଣେ, ସମୃଦ୍ଧିର ତାଜମହଲ ଗଢିବାକୁ ଏଠି ଉତ୍ସାହୀ ମୁହୂର୍ତ୍ତମାନଙ୍କର ସାନ୍ନିଧ୍ୟ ପ୍ରାପ୍ତ ହେବ କି ନା ! ତଥାପି ସକାରାତ୍ମକ ଚିନ୍ତନକୁ ଆପଣେଇ ନେବା ହିଁ ଶୁଭଂକର ଏଠି । ତେଣୁ ବୋଧେ ଗୀତାରେ ଲେଖା ଅଛି ସ୍ଥିତପ୍ରଜ୍ଞ ମଣିଷର ସଫଳତା ସମ୍ପର୍କରେ । ତାହେଲେ ଆସନ୍ତୁ, ଆପଣେଇ ନେବା ସ୍ଥିତପ୍ରଜ୍ଞତାକୁ । ପ୍ରତିଟି ପରିସ୍ଥିତିରେ ପ୍ରତୀକ୍ଷା ଦିଗ୍-ବଳୟର ଲକ୍ଷ୍ମଣରେଖା ମଧ୍ୟରେ ନିଜର ଧୈର୍ଯ୍ୟକୁ ଆଉଥରେ ପରଖି ନେବା । ନଚେତ ସମୟର ତୀବ୍ର ଉପହାସ ଆମପାଇଁ ଅସହ୍ୟ ହେବ ଏବଂ ଆମକୁ ସେ ସ୍ଥିତିରୁ ଉଦ୍ଧାରିବା ପାଇଁ ନା କେହି ଆସିବେ ନା ଆମେ ସେଠୁ ମୁକୁଳି ପାରିବା ! ଏବେ ନିଷ୍ପତ୍ତି କେବଳ ଆମର ହିଁ ଆମର ।
Comments
Post a Comment