ପ୍ରତୀକ୍ଷାର ଜଉଘରେ ପ୍ରାପ୍ତିକୁ ଖୋଜୁଥିବା ପ୍ରତିଟି ମଣିଷ ପ୍ରାଣଭରି ଯେତେବେଳେ ପ୍ରଗତିର
ପ୍ରତିଧ୍ଵନି ଶୁଣେ, ସେତେବେଳେ ସେ ପ୍ରାଚୁର୍ଯ୍ୟର
ଚାଙ୍ଗୁଡ଼ିଟେ ପାଇଁ ପ୍ରଗଲ୍ଭ ପ୍ରାୟ ହୋଇ ଅନ୍ତରର ପ୍ରଦୀପକୁ ସଯତ୍ନରେ ପ୍ରଜ୍ବଳନ କରି
ପର୍ଯ୍ୟାପ୍ତ ଆନନ୍ଦ ଲହରିରେ ଭାସି ଭାସି ପ୍ରମତ୍ତ ହୋଇଉଠେ। ହୃଦୟ ବୀଣାର ପ୍ରତିଟି ଝଙ୍କାର
ମଧ୍ୟରୁ ସେ ଶ୍ରବଣ କରି ପାରେ ପ୍ରଭୁ ଜଗନ୍ନାଥଙ୍କର ପ୍ରଶାନ୍ତ ବାଣୀ। ସେ ବିସ୍ମିତ ହୋଇ ଚାହିଁ
ରହେ ଆକାଶରେ ଫୁଟି ଥିବା ଅସଂଖ୍ୟ ନକ୍ଷତ୍ର ଆଡ଼େ। ତା'ର
ମନେହୁଏ, ଏମାନେ ତ ତା' ପାଇଁ
ପ୍ରେରଣା ପ୍ରଦୀପ। କାରଣ ସେମାନଙ୍କ ମିଞ୍ଜିମିଞ୍ଜି ଆଲୁଅର ମିଳିତ ଉଦ୍ୟମରେ ଜହ୍ନ ବିନା ଏଠି
ପ୍ରତିଟି ଅମାବାସ୍ୟା ଅନ୍ତତଃ ପଥିକମାନଙ୍କୁ ଗଭୀର ଅନ୍ଧକାରରୁ ସୁରକ୍ଷା ଦେଇଥାଏ । ତାହେଲେ
ପ୍ରଗତିର ପତାକା ଧରି ଅଗ୍ରଦୂତ ସାଜି ଯେଉଁ ପବିତ୍ର ଆତ୍ମାଗଣ କ୍ଷୁଦ୍ର ହେଲେ ହେଁ ଜାତିର
କର୍ଣ୍ଣଧାର ବୋଲି ମନେହୁଅନ୍ତି, ସେମାନଙ୍କୁ ସ୍ଵାଗତ କଲେ
କ୍ଷତି କ'ଣ ?
ତାହେଲେ ଆସନ୍ତୁନା , ଆମ ଅନ୍ତରାତ୍ମାରେ ଅହର୍ନିଶୀ ପ୍ରଜ୍ଜ୍ଵଳିତ ହେଉଥିବା ଅଭିମାନ
ପ୍ରଦୀପକୁ ଅବିଳମ୍ବେ ନିର୍ବାପିତ କରି ସ୍ୱାଭିମାନର ପ୍ରଦୀପ ଶିଖାରେ ପ୍ରତିଟି ମୁହୂର୍ତ୍ତକୁ
ଉପଭୋଗ କରିବା ଏବଂ ପ୍ରଶମିତ କରିଦେବା ଆମ ଭିତରେ କ୍ରମାଗତ ଜଳୁଥିବା କ୍ରୋଧର ଅଗ୍ନିଶିଖାକୁ।
କାରଣ ଆମେ ପରା ଅମୃତ ସନ୍ଧାନି । ଆମରି ଅମୃତ ଛୁଆଁରେ ଏ ଜଗତ ଏବେ ମଧୁସିକ୍ତ ହୋଇଉଠୁ। ଦିବ୍ୟ
ଐଶୀ- ସତ୍ତାର କମନୀୟ ସ୍ପର୍ଶରେ ଆମ ମନପ୍ରାଣ ପୁଲକିତ ହେଉ। ଆମ ହୃଦୟ କୋଠରୀରେ ପ୍ରେମର
ଦୀପଶିଖା ଅଖଣ୍ଡ ପ୍ରଦୀପର ରୂପ ନେଉ। ଆମପାଇଁ ପ୍ରତିଟି ରାତ୍ରି ଏଠି ଶିବରାତ୍ରି ହେଉ ଓ ଆମରି
ଭିତରୁ ଶୁଭୁଥାଉ " ସର୍ବେ ଭବନ୍ତୁ ସୁଖୀନଃ" ର ମନ୍ଦ୍ରମଧୁର ମନ୍ତ୍ରଧ୍ଵନି। ଏ
ବିଶ୍ୱ ପୃଷ୍ଠରେ ପ୍ରଜ୍ଜ୍ଵଳିତ ହେଉଥିବା ଅସୂୟା ଦାବାନଳର ଲେଲିହାନ ଶିଖା ଆମରି ସ୍ପର୍ଶରେ
ନିର୍ବାପିତ ହେଉ ଏବଂ ଶାନ୍ତିର ଦୁର୍ବାଦଳରେ ପ୍ରତିଟି ପ୍ରଭାତ ଆଗାମୀ ପିଢ଼ିକୁ ସ୍ୱାଗତ
କରୁଥାଉ।
Comments
Post a Comment