ବିଂଶ ଶତାବ୍ଦୀର ଅନ୍ତିମ ପାବଛରେ ଦଣ୍ଡାୟମାନ ପ୍ରତିଟି ମଣିଷ ଆତ୍ମ-ପରିଚୟକୁ ଖୋଜି ଖୋଜି କ୍ଳାନ୍ତ ହୋଇପଡ଼ିବା ପରେ ଶକ୍ତି ସ୍ଵରୂପିଣୀ ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ଶରଣାପନ୍ନ ହୁଏ । ଶାରଦୀୟ ଆକାଶର ତାରକିତ ରଜନୀରେ ଜହ୍ନର ଶୀତଳ କିରଣରେ ମାଆ ଦୁର୍ଗାଙ୍କର ଆଶିଷରେ ତା’ ମଧ୍ୟରେ ଶକ୍ତି ସଂଚାର ହୁଏ ଏବଂ ତା’ ପରେ ସେ ଶକ୍ତିପୁଞ୍ଜରୁ ଉତ୍ପନ୍ନ ହୁଏ ଜୀବସତ୍ତା । ପୁରୋହିତଙ୍କର ମନ୍ତ୍ର ଉଚ୍ଚାରଣରେ ଚତୁର୍ଦ୍ଦିଗରେ ଜୀବନୀ ଶକ୍ତି ଭରିଯାଏ ଏବଂ ଶେଷରେ ମାଟି ପିତୁଳାଟି ଜୀବନ୍ୟାସ ପାଏ । ତା’ରି ସ୍ପର୍ଶରେ ନିର୍ଜୀବ ସଜୀବ ହୁଏ । ବୃକ୍ଷ ଶାଖାରେ ପତ୍ର କଅଁଳି ଉଠେ । ପ୍ରତିଟି ବୃକ୍ଷଶାଖା ପଲ୍ଲବିତ ହେବା ପରେ ସୂର୍ଯ୍ୟ ରଶ୍ମିର ସ୍ପର୍ଶରେ ଶାଖାପ୍ରଶାଖା ପୁଷ୍ପିତ ହୁଏ । ଆଉ ତା'ପରେ? ତା’ପରେ ଶ୍ୟାମଳିମା ଭରା ମାଟି ଚଟାଣରେ ଜୀବନର ମହାପର୍ବ ଆରମ୍ଭ ହୁଏ । ଆଉ ଏ ସବୁ ସମ୍ଭବ ହୁଏ ପ୍ରକୃତିର ସ୍ଵୟଂଚାଳିତ ସିଲଟ ଉପରେ । ପ୍ରକୃତିର ଅନ୍ୟନାମ ହିଁ ତ ଶକ୍ତି । ଆଉ ସେ ଶକ୍ତି ହିଁ ମାଆ ର ସ୍ୱରୂପ । ଏହି ମାତୃଶକ୍ତି ତ ଅକ୍ଷୟ କବଚର ନିର୍ଭରଯୋଗ୍ୟ କଫିନ ମଧ୍ୟରେ ଏ ବିଶ୍ଵର ମାନବ ସମାଜକୁ ଧରି ରଖିଛି କାହିଁ କେଉଁ ଆଦିମ ଯୁଗରୁ ଅଦ୍ୟାବଧି । ଦିନ, ମାସ ଓ ବର୍ଷ ସବୁକୁ ଅତିକ୍ରମ କରି ଅଗଣିତ ବର୍ଷା, ବୈଶାଖୀ ଓ ବସନ୍ତକୁ ଜିଣି ବୃତ୍ତିୟ ଗତିରେ ସେ ଏଠି ଘୂର୍ଣ୍ଣାୟମାନ । ପାପ-ପୁଣ୍ୟର ଚିତ୍ରଗୁପ୍ତ ପାଞ୍ଜିକୁ ସେ ହିଁ ବୋଧେ ନିୟନ୍ତ୍ରଣ କରି ଚାଲିଛି କାହିଁ କେଉଁ ଆଦିମ ଯୁଗରୁ । ତେଣୁ ହିଁ ତ ବୋଧେ ଏ ବିଶ୍ଵ ବ୍ରହ୍ମାଣ୍ଡ ଏଯାବତ ପ୍ରଳୟରୁ ନିଜକୁ ରକ୍ଷା କରିପାରିଛି । ଋତୁଚକ୍ରସମ ଜୀବନଚକ୍ର ଏଠି ଘୂରି ଚାଲିଛି ସେ ଶକ୍ତିର ପ୍ରବାହରେ । ତେବେ ଏ ଭଳି ଏକ ଶକ୍ତିକୁ ପାଥେୟ କରି ଆମେ ଆଗେଇ ଯିବା ଆସନ୍ତୁ ଏ ବିଶ୍ଵର ନିର୍ମାଣ ପାଇଁ; କାରଣ ଆମେ ହିଁ ତ ଏ ବିଶ୍ଵର ସର୍ବୋତ୍ତମ ଜୀବସତ୍ତା । ଆମ ବିନା ଏ ନିର୍ମାଣ କାର୍ଯ୍ୟ ଅଧୁରା ଯେମିତି । ତା'ହେଲେ ଆଉ ବିଳମ୍ବ କାହିଁକି ସେ ସମୟ ଯେ ଉପନୀତ ଏବେ । ସମୟର ସେ ପ୍ରବାହମାନ ସ୍ରୋତରେ ଆସନ୍ତୁ ଆମେମାନେ ଏକାକାର ହୋଇଯିବା ଶାରଦୀୟ ଉତ୍ସବର ଏ ପବିତ୍ର ମାହୋଲରେ । ପ୍ରତିଟି ଓଠରେ ଆମେ ଭରିଦେବା ହସର ଜୁଆର ଏବଂ ସେ ଜୁଆରରେ ଧୋଇ ହୋଇଯିବ ଦୁଃଖର ପ୍ରତିଟି ଅଧ୍ୟାୟ । ମାତା ଦୁର୍ଗାଙ୍କର ଦିବ୍ୟସ୍ପର୍ଶରେ ଆମେ ଭରି ଦେବା ପ୍ରତିଟି ହୃଦୟରେ ଦିବ୍ୟ ଚେତନାର ଧାରା । ଆଉ ସେ ଦିବ୍ୟ ଆତ୍ମଚେତନା ପ୍ରତିଟି ପ୍ରତିବନ୍ଧକକୁ ଅତିକ୍ରମ କରି ନୂତନତ୍ଵରେ ଭରିଦେବ ପ୍ରତିଟି ମନପ୍ରାଣ । ମାତା ଦୁର୍ଗାଙ୍କର ମମତାଭରା ସ୍ପର୍ଶରେ ପ୍ରତିଟି ଅତୃପ୍ତ ଆତ୍ମା ଏଠି ତୃପ୍ତିର ମଧୁପାନ କରି ବଞ୍ଚିବାକୁ ଚାହେଁ । କାରଣ ମାଆ ଦୁର୍ଗା ତ ଜୀବନୀ ଶକ୍ତିର ଆଧାର । ତେଣୁ ତ ମାଆ ଦୁର୍ଗାଙ୍କ ପାଇଁ ମୋ ଲେଖନୀରୁ ଝରି ଆସେ –
“ ନର,ପଶୁ, ପକ୍ଷୀ, କୀଟ, ତରୁ, ଲତା
ସବୁ ତ ତୋହରି ମାତ,
ତୋ ଆଜ୍ଞାରେ ସୂର୍ଯ୍ୟ ଚନ୍ଦ୍ର ଏଠି
ହୋଇଥାନ୍ତି ଆତଯାତ” ।
ତେବେ ଆସନ୍ତୁନା ! ଭାଇଚାରା ଭାବକୁ ବିତରଣ କରି ମାଆ ଦୁର୍ଗାଙ୍କର ଏ ଶାରଦୀୟ ଉତ୍ସବକୁ ସାଫଲ୍ୟମଣ୍ଡିତ
କରିବା ।
Comments
Post a Comment