ମାଂସ ପିଣ୍ଡୁଳାଟି ଜୀବନ୍ୟାସ ପାଇବା ପରେ ସୂର୍ଯ୍ୟରଶ୍ମିର ପ୍ରଥମ ସ୍ପର୍ଶରେ ଶ୍ୟାମଳିମାଭରା ମାଟି ଚଟାଣରେ ଜୀବନର ମହାପର୍ବକୁ ଆରମ୍ଭ କରେ । କ୍ରମେ ସମୟର ପରିଧି ମଧ୍ୟରେ ତା’ ସତ୍ତା ବିଲୀନ ହେବାକୁ ଆରମ୍ଭ କରେ । ସମୟର ଦୂତମାନଙ୍କ ଅଦେଖା ନିର୍ଦ୍ଦେଶରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସେ । ଦିନ, ମାସ ଏବଂ ବର୍ଷ ସବୁକୁ ଅତିକ୍ରମ କରି ଅନେକ ବର୍ଷା, ବୈଶାଖୀ ଓ ବସନ୍ତର ମାଦକତାକୁ ଅନୁଭବ କରି ଋତୁଚକ୍ର ପରି ଜୀବନଚକ୍ର ତା’ର ଘୂରିବାକୁ ଆରମ୍ଭ କରେ ସମୟର ଅମଡ଼ା ରାସ୍ତାରେ । ଅନନ୍ତ ଯାତ୍ରା ପଥରେ ଯଦି ସେ ଥକିଯାଏ ତା’ ପରାଜୟ ଅନିବାର୍ଯ୍ୟ ବୋଲି ସେ ବୁଝିପାରେ । ସେ’ ତ ଏ ସୃଷ୍ଟିର ଶ୍ରେଷ୍ଠ ଜୀବ ଆଉ ତା’ ଶ୍ରେଷ୍ଠତ୍ଵକୁ ପ୍ରତି ମୁହୂର୍ତ୍ତରେ ପ୍ରତିପାଦିତ କରିବାପାଇଁ ସଂଘର୍ଷ ଓ ସାଲିସ ଅପରିହାର୍ଯ୍ୟ ଏଠି । ତେଣୁ ଅଜସ୍ର ରୋମାଞ୍ଚ ଓ ଉତ୍କଣ୍ଠାକୁ ସାଥି କରି ସେ ଅନ୍ତର୍ଦାହକୁ ଆପଣେଇ ନିଏ । କାରଣ ଏ ଦହନରୁ ଉତ୍ପନ୍ନ ଦିବ୍ୟଜ୍ୟୋତି ହିଁ ତ ତା’ ଚତୁଃପାର୍ଶ୍ଵରେ ଥିବା ଅମା-ଅନ୍ଧକାରକୁ ଦୂରୀଭୂତ କରିପାରେ । ତେଣୁ ସେ ଦହନରୁ ଉତ୍ପନ୍ନ ଦିବ୍ୟଶିଖାକୁ ସେ’ ଆପଣେଇ ନିଏ ଏବଂ ସେଠି ଅନୁଭବ କରେ ଜୀବନର ବାସ୍ନାକୁ । କାରଣ ଏ ଦହନର ରଶ୍ମିରେ ମାଟିର ବାସ୍ନା ଅଛି ଆଉ ସେ ବାସ୍ନାରେ ମାଦକତା ବି ଅଛି । ତେଣୁ ତ ଅନ୍ତର୍ଦାହର ପ୍ରତିଟି ପର୍ଯ୍ୟାୟରେ ମଣିଷ ବଞ୍ଚିବାକୁ ଚାହେଁ ଏବଂ ପ୍ରତିଟି ପର୍ଯ୍ୟାୟକୁ ଅନୁଭବ କରିବାକୁ ଚାହେଁ, ଆଉ ଏହା ହିଁ ତ ସୃଷ୍ଟିର ରହସ୍ୟକୁ ଉଦ୍ଘାଟନ କରିବାପାଇଁ ପ୍ରକୃଷ୍ଠ ମାର୍ଗ । ତେବେ, ସେ ସମୟ ଏବେ ଉପନୀତ । ତା’ହେଲେ ଆଉ ବିଳମ୍ବ କାହିଁକି? ଆମ୍ଭମାନଙ୍କ ମଧ୍ୟରେ ଅବଗୁମ୍ଫିତ ହୋଇ ରହିଥିବା ଆତ୍ମିକ ଚେତନାକୁ ଜାଗ୍ରତ କରିବା ଆସନ୍ତୁ ଥରେ । ଆକାଶର ନୀଳ ଆଖିରେ, ଝରଣାର କୁଳୁକୁଳୁ ଶବ୍ଦରେ, ପକ୍ଷୀର କାକଳିରେ ଓ ଫୁଲର ମୁଲାୟମ ପାଖୁଡ଼ାରେ ମମତାର ସ୍ପର୍ଶ ଦେଇ ଆମେ ଆଙ୍କିଦେବା ଅସଂଖ୍ୟ ଆତ୍ମାର ମନରେ ଉଙ୍କିମାରୁଥିବା ଜ୍ୟାମିତିକ ଚିତ୍ରକୁ କାରଣ ଆମେ ହିଁ ତ ପରା ଆଲୋକ ସନ୍ଧାନୀ ।
Comments
Post a Comment