ଅଜସ୍ର ରୋମାଞ୍ଚ ଓ ଉତ୍କଣ୍ଠାକୁ ପାଥେୟ କରି ମଣିଷ ଜୀବନ ଏଠି ଗତିଶୀଳ ଏକ ବୃତ୍ତାକାର ପଥରେ ଋତୁଚକ୍ର ଭଳି । ସମୟର ରୈଖିକ ଗତିରେ ବିଶ୍ଵାସ ନକରି ବୃତ୍ତିୟ ଗତିକୁ ମାନି ନେଇଥିବା ମାନବ ପ୍ରତିମୁହୂର୍ତ୍ତରେ ଏ ବିଶ୍ଵ ବକ୍ଷରେ ତା’ କୃତକର୍ମର ଫଳକୁ ଭୋଗ କରି ଚାଲିଥାଏ - ଆଉ ଆଗାମୀ ଜନ୍ମ ପାଇଁ ତା’ ହିସାବ ଖାତାରେ ତା’ କର୍ମ ତାଲିକାକୁ ପ୍ରସ୍ତୁତ କରିଥାଏ । ଅନ୍ଧାର ଓ ଆଲୁଅର ଏ ପୃଥିବୀରେ ମାଟିର ବାସ୍ନାକୁ ଅନୁଭବ କରିପାରୁଥିବା ପ୍ରତିଟି ମଣିଷ ତା’ ସ୍ଵାଭିମାନ ପାଇଁ ଅହର୍ନିଶି କର୍ମ କରି ଚାଲେ କାରଣ ସେ ଏବେ ବୁଝି ସାରିଛି ଯେ, ସମୟର ବୃତ୍ତିୟ ଗତିରେ ସେ ପୁଣି ଏ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ ତା’ ଅଧୁରା କର୍ମକୁ ସମାପ୍ତ କରିବାପାଇଁ , ଅନୁଭୂତିକୁ ବିତରିବା ପାଇଁ - ଠିକ ଯେମିତି ସାଗରର ଢେଉ କୂଳକୁ ପୁନଃ ପ୍ରତ୍ୟାବର୍ତ୍ତନ କରି ତା ପ୍ରଖର ସୁଅରେ ଭସାଇ ନେଇଥିବା ଦ୍ରବ୍ୟକୁ ବାହୁଡାଇ ଦିଏ । ତେବେ ମଣିଷର ଆଗମନ ଓ ପ୍ରସ୍ଥାନ ପାଇଁ ତ ପୃଥିବୀ ବକ୍ଷ ଚଳଚଞ୍ଚଳ ଏଠି । ତେଣୁ ତ ମଣିଷ କର୍ମକୁ ଭଲ ପାଏ ଓ କର୍ମ ଭିତରେ ଜୀବନକୁ ଭଲ ପାଏ ଆଉ ତା’ର ଭଲ ପାଇବା ହିଁ ତ କର୍ମ ମାଧ୍ୟମରେ ଅନେକ ରହସ୍ୟ ଉପରୁ ପର୍ଦ୍ଦାକୁ ଅପସାରଣ କରେ ଆଉ ତା’ ହିଁ ବୋଧେ ସଂସାରରେ ଶକ୍ତିର ଉତ୍ସ ହୋଇ ନିରନ୍ତର ପ୍ରବାହିତ ହୁଏ । ସେ ପ୍ରବାହମାନ ସ୍ରୋତରେ ମଣିଷ କୁଟାଖିଅଟେ ଭଳି ଭାସି ଭାସି ସମୟର ନିର୍ଦ୍ଦେଶ ଅନୁଯାୟୀ କର୍ମପ୍ରବଣ ହୁଏ । କାରଣ କର୍ମ ପ୍ରବଣତା ବିନା ଏ ମହା ପ୍ଲାବନରୁ ତା’ର ନିସ୍ତାର ନାହିଁ ଯେମିତି । ବିଶ୍ଵାସ ଓ ଅବିଶ୍ଵାସର ଦ୍ଵଛକିରେ କର୍ମ ମାଧ୍ୟମରେ ସେ ନିର୍ବାଣକୁ ପ୍ରତୀକ୍ଷା କରେ । ଆଲୁଅରେ ହେଉ କି ଅନ୍ଧାରରେ ହେଉ ମଣିଷକୁ ଏଠି କର୍ମ ସମ୍ପାଦନ କରିବାକୁ ହିଁ ହେବ । ତେଣୁ ସେ ତା’ ଭିତରେ ଥିବା ଆତ୍ମିକ ଚେତନାକୁ ସତତ ଜାଗ୍ରତ କରିବାପାଇଁ ପ୍ରୟାସ କରେ । ସେ ପ୍ରୟାସ ଯଦି ସଫଳ ହୁଏ, ତା ନିର୍ବାଣ ପ୍ରାପ୍ତି ସୁନିଶ୍ଚିତ ଏଠି । ତେବେ ସେ ପ୍ରୟାସକୁ ଆପଣେଇ ନେଲେ କ୍ଷତି କ’ଣ?
Comments
Post a Comment