ପ୍ରତିମା ପୂଜାର ଅର୍ଘ୍ୟଥାଳି ଧରି ପରିବର୍ତ୍ତନଶୀଳ ସାମାଜିକ ସ୍ଥିତିର ପ୍ରମତ୍ତ ମୁହୂର୍ତ୍ତମାନଙ୍କୁ ଦକ୍ଷତାର ସହ ମୁକାବିଲା କରିବାପାଇଁ ପ୍ରତିଟି ପୂର୍ଣ୍ଣାଙ୍ଗ ମଣିଷ ପ୍ରଯୁକ୍ତି ବିଦ୍ୟାର ପ୍ରଖର ସ୍ରୋତରେ ଯେତେବେଳେ ଭାସିବାକୁ ଆରମ୍ଭ କରେ, ସେତେବେଳେ ପାରମ୍ପରିକତାର ପ୍ରଲୁବ୍ଧ ଚାବୁକ ପ୍ରହାରରେ ତା’ ଶରୀରର ସର୍ବାଙ୍ଗରୁ ଝରି ଆସିଥିବା ରୁଧିର ସ୍ରୋତ ତା’ ଚତୁଃପାର୍ଶ୍ଵର ପରିବେଶକୁ ଲାଲ କରିଦିଏ । ପରମ୍ପରା ଓ ପ୍ରଯୁକ୍ତି ବିଦ୍ୟାର ଦୋଛକିରେ ଦଣ୍ଡାୟମାନ ହୋଇ ସେ କିଂକର୍ତ୍ତବ୍ୟ ବିମୁଢ ହୋଇ ଚାହିଁରହେ ତା’ ମୁଣ୍ଡ ଉପରେ ଥିବା ନୀଳ ଆକାଶ ଆଡ଼େ । ପ୍ରଗତିର ଧ୍ଵଜା ଧାରଣ କରି ପ୍ରାପ୍ତିକୁ ସନ୍ଧାନ କରୁଥିବା ତା’ ହସ୍ତଯୁଗଳ ସହସା ଥମିଯାଏ । ସମ୍ଭାବନାର ସମସ୍ତପଥ ତା’ ପାଇଁ ରୁଦ୍ଧ ହୋଇଯାଏ । ପରମ୍ପରାର ଅର୍ଗଳିରେ ନିରୀହ ଛାଗସମ ଗ୍ରୀବାକୁ ସ୍ଥାପନ କରି ସେ ପ୍ରଯୁକ୍ତି ବିଦ୍ୟାର ବିରୋଧ କରିପାରେନା କାରଣ ତା’ ସାମ୍ନାରେ ଏବେ ଭବିଷ୍ୟତର ଆହ୍ଵାନ । ତେଣୁ ତ ସେ ନିଜକୁ ପ୍ରଶ୍ନ କରେ ତା’ ସାମ୍ନାରେ ଥିବା ପରମ୍ପରାର ଏରୁଣ୍ଡି ବନ୍ଧ ଅତିକ୍ରମ କରି ସତରେ ସିଏ କ’ଣ ପ୍ରଯୁକ୍ତି ବିଦ୍ୟାର ପୃଥିବୀରେ ପାଦ ଥାପି ପାରିବ? ଯଦି ହଁ, ତେବେ ଏ ପରମ୍ପରାର ଲୌହଶୃଙ୍ଖଳକୁ ସେ ଛିନ୍ନ କରୁନି କାହିଁକି? ଯଦି ପରମ୍ପରାର କୋଠରି ଅନ୍ଧକାରାଛନ୍ନ ତାହେଲେ ପରମ୍ପରାର ବିଷଜ୍ଵଳାରେ ମଣିଷ କାହିଁକି ଆଜି ଜର୍ଜରିତ? ପରମ୍ପରା ସତରେ କ’ଣ ଅଭିଶପ୍ତା? ପ୍ରଯୁକ୍ତି ବିଦ୍ୟା ତେବେ କ’ଣ ପରମ୍ପରା ବିନା ତିଷ୍ଟି ରହିପାରେ ? ଆସନ୍ତୁ ଥରେ, ତା’ର ଉତ୍ତର ଖୋଜିବା ନିଜ ଭିତରେ । ଆମ ପୂର୍ବଜଗଣ ସଯତ୍ନରେ ସାଇତି ରଖିଥିବା ଆମର ଏ ପରମ୍ପରା ସବୁ ସତରେ କ’ଣ ଅଲୋଡ଼ା ନା ପ୍ରଯୁକ୍ତି ବିଦ୍ୟାର ଭିଡ଼ ଭିତରେ ବାଟବଣା? ପରମ୍ପରା କ’ଣ ସତରେ ଅସ୍ତିତ୍ଵହୀନ? ତା’ ଉତ୍ତର ଖୋଜିବା ଚାଲନ୍ତୁ ଥରେ । ନଚେତ ଆମେ ବି ଅସ୍ତିତ୍ଵହୀନ ହୋଇଯିବା ପ୍ରଯୁକ୍ତି ଶାସ୍ତ୍ରର ଭିଡ଼ରେ । ନିଷ୍ପତ୍ତି ଏବେ ଆମ ହାତରେ ।
Comments
Post a Comment