Stay tuned to my blog - " ପ୍ରବାହମାନ ସମୟରଧାରେ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ଏକ ପ୍ରବାହମାନ ସାୟାହ୍ନର ଅଗଣାରେ ଠିଆ ହୋଇ ଅସ୍ତସୂର୍ଯ୍ୟର ଏଲିଜିରେ ମଣିଷ ଯେତେବେଳେ ତା’ ଆସନ୍ନ ବିଦାୟୀ ମୁହୂର୍ତ୍ତକୁ ଦୂରରୁ ଅନୁଧ୍ୟାନ କରେ, ସେତେବେଳେ ସେ ସହସା ଚମକି ଉଠେ କେଜାଣି କାହାର ଶୀତଳ ସ୍ପର୍ଶରେ । ପଛରେ ସେ ଛାଡ଼ି ଆସିଥିବା ମୁହୂର୍ତ୍ତଗୁଡ଼ିକ ପାଇଁ ତା’ ଆଖିପତା ଓଦା ହୋଇଆସେ । ପ୍ରତିଟି ସୂର୍ୟୋଦୟର ଅନୁଭୂତିକୁ ସେ ତା’ କଳ୍ପନା ରାଇଜରୁ ସାଉଁଟି ଆଣି ଅବଚେତନ ମନରେ ସେ କରିଥିବା ପ୍ରତିଟି ଭୁଲ ପାଇଁ ସେ ଅନୁଶୋଚନା କରେ । ଅନୁଶୀଳନର ଯଜ୍ଞବେଦିରେ ଆତ୍ମଗ୍ଳାନିର ହୋମାଗ୍ନିରେ ନିଜେ ଦଗ୍ଧିଭୂତ ହୁଏ । ପ୍ରାପ୍ତି ଓ ଅପ୍ରାପ୍ତିର ହିସାବ ଖାତାରେ ଯୋଗ-ବିଯୋଗ ଓ ଗୁଣନ-ହରଣ କରେ । କିନ୍ତୁ ଏ କ’ଣ? ପ୍ରତିଟି ଗଣିତ ଫଳ ତା’ ପାଇଁ ଶୂନ ହୋଇଯାଏ । ତେବେ ଜୀବନବ୍ୟାପୀ ତା’ ମାନ-ଅଭିମାନ, ସ୍ଵପ୍ନ ଓ ସ୍ଵାଭିମାନ କ’ଣ ଏବେ ଶୂନ୍ୟରେ ମିଳେଇ ଗଲା ? ଶ୍ମଶାନ ଜୁଇରେ ସେ ସବୁ କାହା ନିର୍ଦ୍ଦେଶରେ ପାଉଁଶ ହୋଇଗଲା? ସେ କିଂକର୍ତ୍ତବ୍ୟ ବିମୁଢ ହୋଇ ଆକାଶକୁ ଚାହିଁ ରହେ । କାଳେ ଆକାଶରୁ ତା’ ପାଇଁ ପ୍ରେରଣାର ବାରି ବର୍ଷିଯିବ । କିନ୍ତୁ ଏବେ ଯେ ସମୟ ଅତିକ୍ରାନ୍ତ ହୋଇସାରିଛି । ଜୀବନର କ୍ଳାନ୍ତ ସାୟାହ୍ନରେ ସବୁ ଯେମିତି ଏବେ ଫିକା ଲାଗିଲାଣି । ସବୁ ତ ଏବେ ରଙ୍ଗହୀନ ଦିଶିଲାଣି।  ତେଣୁ ତା’ର ମନେପଡ଼େ ପିଲାଦିନର ବାଲିଘର ଖେଳ । ସାଗରର ଢେଉ ତା’ ବାଲିଘର ଭସାଇ ନେଇଥିଲା ବୋଲି ସେ ବାପା-ବୋଉଙ୍କ କୋଳରେ ମୁଣ୍ଡ ରଖି କେତେ ଲୁହ ଢାଳିଥିଲା! ହେଲେ ଏବେ ତ ସେ ଭାସି ଯିବ ଗୋଟାପଣେ ସମୟ ଢେଉରେ! ତା’ ଆଖିରୁ ଲୁହସବୁ ଶୁଖି ଯାଇଛି ଏବେ ! ହଁ, ଲୁହ ଥିଲେ ବି କାହା କୋଳରେ ଲୁହ ଢାଳନ୍ତା ସେ ! ତେଣୁ, ସେ ନିଜକୁ ସାନ୍ତ୍ଵନା ଦେଇ ଈଶ୍ଵରଙ୍କୁ ଗୁହାରୀ କରେ, ! ହେ  ଈଶ୍ଵର ! ଆସନ୍ତା ଜନ୍ମରେ ମୁଁ ଆଉ ଭୁଲ କରିବିନି।  ଆତ୍ମାନୁଶୀଳନର ଲେଲିହାନ ଶିଖାରେ ମୁଁ ସଂଶୋଧିତ ହୋଇସାରିଛି ଏବେ । ମୋତେ, ଆଉ ଗୋଟିଏ ସୁଯୋଗ ଦିଅ । ଆର ଜନ୍ମରେ ତୁମ ଅଭିଳାଷକୁ ପୂର୍ଣ୍ଣ କରିବି ନିଶ୍ଚୟ ।  

Comments