ସମୁଦ୍ର ବେଳାରେ ବାଲି ଘରଟିଏ ତୋଳିବାର ପ୍ରବଳ ଆକାଂକ୍ଷା ନେଇ ଶିଶୁଟିଏ ଜନ୍ମ ନିଏ ଏଠି । ପ୍ରାଣରେ ଅସରନ୍ତି କୁତୂହଳୀକୁ ନେଇ ସେ ତା’ର ସଂକଳ୍ପକୁ ପୁରା କରିବାକୁ ଚାହେଁ । ଅବୋଧ ମନ ତା’ର ଆଗେଇ ଚାଲେ ପ୍ରତିଟି ପ୍ରତିକୂଳତାକୁ ଅତିକ୍ରମ କରି । ତେବେ ନିରନ୍ତର ସାଧନାର ଏହି ବେଗ ଯଦି ଥମିଯାଏ, ତା’ ବାଲିଘରକୁ ସାଗରର ଅମାନିଆ ଢେଉ ଭସାଇ ନିଏ ; ଅନ୍ୟଥା ବାଲିଘର ବଞ୍ଚିରହେ ଓ ସମୟକ୍ରମେ କଙ୍କ୍ରିଟ ଘରରେ ପରିଣତ ହୁଏ ପ୍ରତିଟି ଊର୍ମିମାଳାକୁ ପ୍ରତିହତ କରି । ଅଧ୍ୟବସାୟୀ ମଣିଷମାନଙ୍କ ପାଇଁ ଏହା ହିଁ ସମ୍ଭବତଃ ପୁରୁଷାର୍ଥକୁ ପ୍ରମାଣିତ କରିବାର ମହୌଷଧି । ତେଣୁ ତ ଘର ତୋଳିବାର ସଂପୂର୍ଣ୍ଣ ଅର୍ଥକୁ ବୁଝିବା ଆଗରୁ ଯେଉଁ ଶିଶୁମାନେ ଚପଳ ଶୈଶବ ଓ କୈଶୋର ଅବସ୍ଥାରେ ଶୃଙ୍ଖଳାର ନିଗଡ଼ ମଧ୍ୟରେ ନିଜ ନିଜକୁ ଆବଦ୍ଧ ରଖିପାରନ୍ତି , ସେମାନଙ୍କ ପାଇଁ ସାଗରର ଢେଉ ଆଶିଷର ବେଲପତ୍ରୀ ଆଣେ, ଅନ୍ୟଥା ଆତ୍ମଗ୍ଳାନିର ଧୁ ଧୁ ନିଆଁରେ ଶିଶୁମନ ପୋଡ଼ିଯାଏ ଯୁବାବସ୍ଥାରେ । ତେବେ ସଂପୂର୍ଣ୍ଣ ଜୀବନଟିଏ ପାଇଁ ସ୍ଵପ୍ନ ଦେଖୁଥିବା ପ୍ରତିଟି ମଣିଷ ତା’ଜୀବନର ଆବଦ୍ଧ ପର୍ଯ୍ୟାୟଗୁଡ଼ିକୁ ଶୃଙ୍ଖଳାର ମୁକ୍ତପ୍ରାଙ୍ଗଣରେ ପରିପୃଷ୍ଠ କରାଇଲେ କ୍ଷତି କ’ଣ? ତେଣୁ ଆସନ୍ତୁ , ପୂର୍ଣ୍ଣତାକୁ ଅନୁଭବ କରିବାପାଇଁ ଆଶାୟୀ ଆତ୍ମାଗଣ ମିଳିତ ହୋଇ ସଂକଳ୍ପ ନେବା ଶୃଙ୍ଖଳାର ଯଜ୍ଞବେଦିରେ ପୁରୁଷାର୍ଥକୁ ପ୍ରମାଣିତ କରିବାପାଇଁ । କାରଣ ଅପୂର୍ଣ୍ଣତାରୁ ହିଁ ଅଭିବୃଦ୍ଧିର ପ୍ରେରଣା ଆସେ । ଆମେ ଅପୂର୍ଣ୍ଣ ବୋଲି ତ ଚଳଚଞ୍ଚଳ, ଅପୂର୍ଣ୍ଣ ବୋଲି ତ ସଚେଷ୍ଟ । ଏହି ଅପୂର୍ଣ୍ଣତାର ନୌକାରେ ବସି ଆମେ ସନ୍ଧାନ କରିବା ପୂର୍ଣ୍ଣତାକୁ । ନବଜାଗରଣ ଆମକୁ ହାତ ଠାରି ଆହ୍ଵାନ ଦେଉଛି- ହେ ମୋର ଅପୂର୍ଣ ଆତ୍ମାଗଣ ! ତୁମ ସନ୍ଧାନୀ ମନକୁ ଜାଗ୍ରତ କର ଥରେ । ଜାଗରଣର ମହାଦୀପ ସ୍ଵୟଂ ପ୍ରଜ୍ଜ୍ୱଳିତ ହେବ ସେଠି । ଆଉ ସେ ମହାଦୀପର ଆଲୁଅରେ ତୁମେ ଉଦ୍ଭାସିତ ହେବ ନିଶ୍ଚୟ । ପୂର୍ଣ୍ଣତା ତ ତୁମ ଜନ୍ମଗତ ଅଧିକାର । ଆଉ ବିଳମ୍ବ କାହିଁକି ?
Comments
Post a Comment