Stay tuned to my blog - " ସଦ୍-ଭାବନାର ପରିଭାଷା " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ସଦ୍-ଭାବନା ମଣିଷ ମନର ଏକ ଦିବ୍ୟ ଚିନ୍ତନ । ଏହା ମଣିଷର ବିଚାର ଧାରା ମଧ୍ୟରୁ ଉଦ୍ଭବ ହୋଇଥାଏ । ମଣିଷର ବିଚାରଧାରା ସୁନିୟନ୍ତ୍ରିତ, ଶୃଙ୍ଖଳିତ ଓ ସୁସଂଯତ ହୋଇପାରିଲେ ମଣିଷ ମଧ୍ୟରେ ସଂସ୍କାର ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ । ସଂସ୍କାରିତ ମଣିଷର ମନ-ବୃନ୍ଦାବନରେ ଏକ ସମୁନ୍ନତ ସଂସ୍କୃତି ଜନ୍ମ ନେଇଥାଏ । ସମୁନ୍ନତ ସଂସ୍କୃତିକୁ ଆପଣେଇ ନେଇଥିବା ଶୃଙ୍ଖଳିତ ବିଚାରଧାରାର ମଣିଷମାନଙ୍କ ମଧ୍ୟରେ ଆଚରଣ ପରିବର୍ତ୍ତନ ହୁଏ । ଆଚରଣର ପରିବର୍ତ୍ତନ ଫଳରେ ମଣିଷର ସ୍ଵଭାବ ବଦଳେ ଏବଂ ସେ ଆତ୍ମାନୁଶୀଳନର ସିଡ଼ି ଚଢି ନିଜ ମଧ୍ୟରେ ପରିବର୍ତ୍ତନ ଆଣେ ଏବଂ ପରିଶେଷରେ ଆତ୍ମାନୁଶୀଳନର ମହାବେଦୀ ଉପରେ ଏ ବିଶ୍ଵ ସମୁଦାୟ ପାଇଁ ମଙ୍ଗଳକାମନା କରିଥାଏ । ଏହି ପରିପ୍ରେକ୍ଷୀରେ ମାନବର ଗତି ଉର୍ଦ୍ଧ୍ଵମୁଖୀ ହୁଏ ଏବଂ ସେ ସାତ୍ତ୍ଵିକ ଗୁଣର ଅଧିକାରୀ ହୁଏ । ତେଣୁ ତ ଗୀତାରେ କୁହାଯାଇଛି-

“ ଉର୍ଦ୍ଧ୍ଵଂ ଗଚ୍ଛନ୍ତି ସତ୍ତ୍ଵସ୍ଥା ,

ମଧ୍ୟେ ତିଷ୍ଠନ୍ତି ରାଜସାଃ ।

 ଜଘନ୍ୟଗୁଣବୃତ୍ତିସ୍ଥା,

 ଅଧୋ ଗଚ୍ଛନ୍ତି ତାମସାଃ ”।

ସଦ୍- ଭାବନା ମାନବକୁ ସଂଶୟ ମୁକ୍ତ କରିଥାଏ କାରଣ ସଂଶୟ ବ୍ୟକ୍ତିର ମନ ସର୍ବଦା ଅସନ୍ତୁଳିତ ହୋଇଥାଏ ଏବଂ ସେ ସଜ୍ଜନମାନଙ୍କ ଠାରୁ ସର୍ବଦା ଦୂରେଇ ରହିଥାଏ । ଫଳତଃ ତା’ମଧ୍ୟରୁ ସୁବିଚାର ଉତ୍ପନ୍ନ ହୁଏ ନାହିଁ । ତା’ ପରିବେଶ ଦୂଷିତ ହୋଇଥାଏ । ତେଣୁ ବୁଝିବାକୁ ହେବ ଯେ, ଯେଉଁ ମଣିଷ ଏକ କୁପରିବେଶ ମଧ୍ୟରେ ଜୀବନ ନିର୍ବାହ କରେ ସେ ବ୍ୟକ୍ତି ସଦଭାବନାରହିତ ହୋଇଥାଏ । ତେଣୁ ଆସନ୍ତୁ,  ଆମେ ଶପଥ ନେବା ଏକ ସକାରାତ୍ମକ ବିଶ୍ଵ ନିର୍ମାଣ କରିବାପାଇଁ । ତେବେ, ଏହି ନିର୍ମାଣ ପ୍ରକ୍ରିୟାର ମହାରଥୀମାନେ ସକାରାତ୍ମକ ଚିନ୍ତନକୁ ପ୍ରସାରଣ କରିବା ପାଇଁ ସମଷ୍ଟିଗତ ଭାବେ ଉଦ୍ୟମ ଜାରି ରଖିବା । ଆମର ଏ ଉଦ୍ୟମ ନିରନ୍ତର ଜାରି ନରହିଲେ ବିଶ୍ଵର ନିର୍ମାଣ ପ୍ରକ୍ରିୟା ଥମିଯିବ । ଆମର ଏ ପ୍ରକ୍ରିୟା ପ୍ରତିଟି ପ୍ରାଣକୁ ତ୍ୱରାନ୍ୱିତ କରୁ ଏକ ନୂତନ ବିଶ୍ଵସମୁଦାୟ ସୃଷ୍ଟି ପାଇଁ, ଯାହାକି କ୍ରୋଧ, ମୋହ ଓ ମାୟା ଭଳି ଦୁର୍ଗୁଣକୁ ସମାଧିସ୍ଥ ଦେବ । କାରଣ କ୍ରୋଧ ମଣିଷର ବିଚାରଧାରାକୁ ବିନଷ୍ଟ କରିଥାଏ ଓ ମଣିଷ ବୁଦ୍ଧିଭ୍ରଷ୍ଟ ହୋଇ ନକରାତ୍ମକ ଚିନ୍ତନକୁ ଆପଣେଇ ନେଇ ବିଶ୍ଵ ପାଇଁ ଧୂମକେତୁ ସାଜିଯାଏ । ତା’ଭିତରେ ଥିବା ରାକ୍ଷସ ପ୍ରକୃତି ଆତ୍ମ ପ୍ରକାଶ କରେ । ତେଣୁ ତ ଗୀତାରେ କୁହାଯାଇଛି-

                         “ କ୍ରୋଧାତ୍ ଭବତି ସମ୍ମୋହଃ,

                           ସମ୍ମୋହାତ୍  ସ୍ମୃତିବିଭ୍ରମଃ ।

                           ସ୍ମୃତିଭ୍ରଂସାତ୍ ବୁଦ୍ଧିନାଶୋ ,

                           ବୁଦ୍ଧିନାଶାତ୍ ପ୍ରଣଶ୍ୟତି” ।।

ତାହେଲେ ଆସନ୍ତୁ, ଏକ ନୂତନ ବିଶ୍ଵ ସର୍ଜ୍ଜନା ପାଇଁ ସଦଭାବନାକୁ ବିତରଣ କରିବା ଦେୟମୁକ୍ତ ଭାବେ କାରଣ ଆମେ ପରା ଏ ବିଶ୍ଵର ଆଲୋକ ସନ୍ଧାନୀ ! ତେଣୁ ତ ମୋ ଲେଖନୀରୁ ଝରି ଆସେ-

                       “ଆଲୋକ ସନ୍ଧାନୀ ଆମେ ଆଲୁଅ ବିତରିବା,

                        ବିତରଣ ମନ୍ତ୍ରରେ ଝଙ୍କୃତ ହେବା ।

                        ସଦ୍-ଭାବନାରେ ପ୍ରତିପ୍ରାଣ ମୋହିନେବା,

                        ଅମୃତ ବରଷାରେ ସଦା ଭିଜୁଥିବା ।

Comments