Stay tuned to my blog - " ସନ୍ଧିତ୍ସୁ ମନର ଦିଗବଳୟରେ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ପ୍ରଗତିର ଧ୍ଵଜା ଧାରଣ କରି ପ୍ରାପ୍ତିକୁ ସନ୍ଧାନ କରୁଥିବା ପ୍ରତିଟି ଆଶାୟୀ ଦିବ୍ୟାତ୍ମା ପ୍ରତି ମୁହୂର୍ତ୍ତରେ ଏ ବିଶ୍ଵର ପ୍ରକୃତ ରହସ୍ୟକୁ ଉଦ୍ଘାଟନ କରିବା ପାଇଁ ବ୍ୟାକୁଳିତ ହୁଅନ୍ତି। ସେମାନଙ୍କ ବ୍ୟାକୁଳତା ବେଳେବେଳେ କୂଳ ଲଙ୍ଘନ କରି ଧୈର୍ଯ୍ୟବନ୍ଧ ସେପାରିରେ ଯେଉଁ ଅଦୃଶ୍ୟ ଶକ୍ତିର ଆବିଷ୍କାର କରେ, ତାହା ହିଁ ସମ୍ଭବତଃ ଶକ୍ତିର ଉତ୍ସ ରୂପେ ଏ ବିଶ୍ୱର ସୃଷ୍ଟି ତତ୍ତ୍ଵକୁ ଉନ୍ମୋଚନ କରିବା ପାଇଁ ପ୍ରୟାସ କରିଥାଏ  ଆଉ ସେମାନଙ୍କର ସେହି ପ୍ରୟାସ ଫଳବତୀ ହେଲେ ସେମାନେ ମହାପୁରୁଷ ପଦବାଚ୍ୟ ହୁଅନ୍ତି । ସେମାନଙ୍କର ପ୍ରତିଟି ଶବ୍ଦ ପ୍ରଗତିର ପ୍ରତୀକ ସାଜି ଏ ଜାତିକୁ ଅଗ୍ରଗତି କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ସେମାନଙ୍କର ପ୍ରୋତ୍ସାହନ ଓ ପ୍ରବାହ ଏ ମାନବ ଜାତିର ଶିରାପ୍ରଶିରା ତଥା ଧମନୀରେ ରୁଧିର ହୋଇ ପ୍ରବାହିତ ହୁଏ । ସେମାନଙ୍କର ସେହି ଦିବ୍ୟ ପ୍ରବାହ ଏ ଜାତିର ମନ ପ୍ରାଣରେ ପୁଲକ ଓ ଶିହରଣ ଭରିଦିଏ । ସେ ଶିହରିତ ମୁହୂର୍ତ୍ତମାନଙ୍କର ଶକ୍ତିକୁ ଏକତ୍ରିତ କରି ବିଶ୍ୱର ସାମୁହିକ ଓ ସାମଗ୍ରିକ କଲ୍ୟାଣ ସାଧନ ପାଇଁ ଏ ମଣିଷ ବ୍ରତି ହୁଏ । ଆଲୁଅ-ଅନ୍ଧାର, ସୁଖ-ଦୁଃଖ, ପ୍ରେମ-ପ୍ରତାରଣା ତଥା ଗନ୍ଧ-ବାସ୍ନା ସବୁ ଯେମିତି ତା ପାଇଁ ସମାନ ଏଠି ଲାଗେ । ମଣିଷ ଏଠି ପ୍ରତିଟି ପରିସ୍ଥିତି ସହ ଅଭ୍ୟସ୍ତ ହୋଇ ସାରିଲାଣି ବୋଲି ତା’ ପାଇଁ ଯୁକ୍ତ ଓ ବିଯୁକ୍ତ ସମଗୁରୁତ୍ୱ ବହନ କରେ। ଜୀବନରେ ସଂଘର୍ଷ ଯଦି ଅନିବାର୍ଯ୍ୟ ତେବେ ଆସନ୍ତୁ , ସେ ଆମ ଜୀବନ ପରିଧି ଭିତରକୁ ଜୋର କରି ମାଡ଼ି ଆସିବା ପୂର୍ବରୁ ତାକୁ ଆମେ ନିମନ୍ତ୍ରଣ ଦେଇ ଆହ୍ଵାନ କରି ଆଣିବା । କାରଣ ସଂଘର୍ଷ ବିନା ମଣିଷ କେବେ କ'ଣ ଶାଣିତ ଓ ସ୍ଵୟଂ ସଂପୂର୍ଣ୍ଣ ହୋଇପାରେ? ପୁନଶ୍ଚ , ନିମନ୍ତ୍ରିତ ଅତିଥିଟେ ସାଜି ଆସିଥିବା ସଂଘର୍ଷ ବିଶେଷ ପରିସ୍ଥିତି ନ ଉପୁଜିବା ପର୍ଯ୍ୟନ୍ତ ନା ଆମଠାରୁ ମୁହଁ ଫେରେଇ ନେଇପାରେ ନା ଆମକୁ ଶାଣିତ ନ କରି ଛାଡ଼ିପାରେ । ତେଣୁ କ୍ରମେ ସେ ଆମର ସାଥି ହୋଇଯାଏ । ଆଉ ଥରଟିଏ ମୈତ୍ରୀର ହାତ ଆମ ଆଡ଼େ ବଢେଇ ସାରିବା ପରେ ଅନ୍ତତଃ ସେ ଆମର କିଛି କ୍ଷତି କରେନା ବରଂ ଉପଲବ୍ଧି ଏବଂ ଅନୁଭୂତିର ସିନ୍ଦୁକରେ ସାଇତା ହୋଇଥିବା ମୁଠା ମୁଠା ପାହାନ୍ତି ସ୍ଵପ୍ନକୁ ଆମ ଆଞ୍ଜୁଳାରେ ଭରିଦେଇ ଆମ ଜୀବନର ପ୍ରତିଟି ପୃଷ୍ଠାକୁ ପ୍ରଗତିର ଆହ୍ୱାନରେ ଭରିଦିଏ। ତେବେ, ସଂଘର୍ଷକୁ ସାଥିକରି ଧୈର୍ଯ୍ୟର ସହ ରାସ୍ତା ଚାଲିଲେ କ୍ଷତି କ'ଣ?ତେଣୁ ତ ଆମ ସଂସ୍କୃତିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସଂଘର୍ଷରତ ଦୁଃଖୀମାନଙ୍କର ପରମ ବନ୍ଧୁ।

Comments