ପ୍ରକୃତି କୋଳରେ ଏବେ କଂକ୍ରିଟ କୋଠା ଓ ଅଟ୍ଟାଳିକା ପରିବର୍ତ୍ତେ ଧାଡ଼ି ଧାଡ଼ି ପର୍ଣ୍ଣ କୁଟୀରମାନଙ୍କର ଭିଡ଼। ଆଉ ସେହି ପର୍ଣ୍ଣ କୁଟୀରମାନଙ୍କରୁ ଉତ୍ଥିତ ଧୂମ୍ର କୁଣ୍ଡଳିରେ ପ୍ରକୃତିର ଆକାଶ ଆଚ୍ଛାଦିତ । ଏବେ ଏ ମଣିଷର ମାନସିକତାରେ କାହିଁକି ଏ ପରିବର୍ତ୍ତନ ତେବେ? ଅତ୍ୟାଧୁନିକ ଉଗ୍ର ଆଧୁନିକ ସଭ୍ୟତା ଠାରୁ ମଣିଷ କାହିଁକି ଆଜି ଦୂରେଇ ଆସିଛି ? ସେ କ'ଣ ତେବେ ପୂର୍ବ ସ୍ଥିତିକୁ ଫେରିବାକୁ ଚାହେଁ ନା ସହରୀ ସଭ୍ୟତାର କୋଳାହଳ ଠାରୁ ଦୂରେଇ ଆସି ପ୍ରକୃତିର କମନୀୟ ରୂପ-ଲାବଣ୍ୟକୁ ଉପଭୋଗ କରିବାକୁ ଚାହେଁ ? ତେବେ ସେଥିରେ ଯାହା ସତ୍ୟତା ଥାଉନା କାହିଁକି, ସେ ଏବେ ଅଣନିଃଶ୍ୱାସୀ ହୋଇପଡ଼ିଛି ତା’ ଚତୁଃପାର୍ଶ୍ଵରେ ଥିବା ଉଗ୍ର ଆଧୁନିକତାର ପ୍ରଭାବରେ। ଜଳବାୟୁ ପ୍ରଦୂଷଣ ତ ଏବେ ସୀମା ଅତିକ୍ରମ କରି ବଞ୍ଚିବା ପ୍ରକ୍ରିୟାକୁ ବିନଷ୍ଟ କରିସାରିଲାଣି । ଜଙ୍ଗଲ ସମ୍ପଦ ତ ତା’ ସବୁଜିମାଭରା ପ୍ରାଚୁର୍ଯ୍ୟକୁ ହରାଇ ସାରିଲାଣି ; ତେବେ ପ୍ରକୃତିର ଏ ବିଧ୍ୱଂସୀ ରୂପ ପାଇଁ ଦାୟୀ କିଏ ? ଦିନେ ଏ ବିଶ୍ଵ ପୃଷ୍ଠରେ ତ ଯାଯାବରମାନେ ଶୂନ୍ୟବାଣୀ ଶ୍ରବଣ କରି ନଦୀ ଉପତ୍ୟକାରେ ସଭ୍ୟତାର ବିକାଶ ସାଧନ କରିଥିଲେ ଲହୁଲୁହ ଦେଇ। ଆଜି ହଠାତ୍ ଏମିତି କ'ଣ ହେଲା ଯେ, ସେମାନେ ବିକାଶର ଧାରାରୁ ମୁହଁ ଫେରାଇ ନେଇ ବିଧ୍ୱଂସୀ ପର୍ବରେ ସାମିଲ ହୋଇଗଲେ ଏବଂ ବିତସ୍ପୃହ ମନ ନେଇ ପ୍ରକୃତିର ପର୍ଣ୍ଣ କୁଟୀରକୁ ପୁଣି ଆପଣେଇ ନେଇ ଧୂମ୍ର କୁଣ୍ଡଳୀର ଆଚ୍ଛାଦିତ ଆକାଶରେ ନିଜ ପରିଚୟକୁ ଖୋଜି ଚାଲିଛନ୍ତି , ହୋମାଗ୍ନିର ଅଗ୍ନି ଶିଖାରେ ଆହୁତି ସାଜି ନିଜକୁ ପରିଶୋଧନ କରୁଛନ୍ତି ? ତେବେ, ଏବେ କ'ଣ ନୂତନ ଜନପଦକୁ ପୁନଃ ସୃଷ୍ଟି କରି ସେମାନେ ଏକ ଚତୁର୍ଥ ବିଶ୍ୱର ପରିକଳ୍ପନା କରୁଛନ୍ତି କି ? ଯଦି ହଁ, ସେ ବିଶ୍ୱରେ ସେମାନେ କ'ଣ ପୂର୍ବସ୍ଥିତ ସବୁଜିମାକୁ ଫେରାଇ ଆଣି ପାରିବେ କି ? ସେଠି କ'ଣ ବୈଦିକ ମନ୍ତ୍ରଧ୍ୱନିର ଗଭୀର ଓଁକାର ଧ୍ୱନି ମଧ୍ୟରେ ଶାନ୍ତି ବିରାଜମାନ କରିବ କି ? ଆସନ୍ତୁ ଥରେ ନିଜକୁ ପଚାରିବା ।
|
|
|
Comments
Post a Comment