ଏକ ଅଭିନବ ସଂସ୍କୃତିର ଅଭିରୁଚିସମ୍ପର୍ଣ୍ଣ ବଇଁଶୀ ସୁରରେ ଏକ ସମୁନ୍ନତ ସଭ୍ୟତାର ଐତିହ୍ୟକୁ ଖୋଜି ମାନବ ଯେତେବେଳେ ତା’ ସାଧନାବେଦୀରେ ସ୍ଥିରଚିତ୍ତରେ ନିଜକୁ ଆହୁତି ଦେବାପାଇଁ ପ୍ରସ୍ତୁତ ହୁଏ, ସେତେବେଳେ ସୁଦୂର ଗଗନରୁ ସ୍ଵତଃ ପୁଷ୍ପବୃଷ୍ଟି ହୁଏ ଦେବଗଣଙ୍କ ଦ୍ଵାରା । ଅଧୁନା ଏ ମାନବ ସଂସ୍କୃତି ଅବକ୍ଷୟମୁଖୀ ହୋଇପଡ଼ିଥିବା ବେଳେ ଏଭଳି ପୁଷ୍ପବୃଷ୍ଟି ମାନବ ସମାଜ ପାଇଁ ଏକ ଶୁଭ ସୂଚନା ନିଶ୍ଚୟ। ଏ ସଂସ୍କୃତିର ପୁନରୁଦ୍ଧାର କରି ଏହାର ପୁନଃ ପ୍ରତିଷ୍ଠା କରିବାପାଇଁ ଆଜିର ଯୁବଶକ୍ତିଙ୍କ ମଧ୍ୟରେ ଶତସିଂହର ସାହାସ ସଞ୍ଚାର ନ ହୋଇପାରିଲେ ଆମ ଏ ସଂସ୍କୃତି ଅଚିରେ ଅଧୋପତନମୁଖୀ ହୋଇ ରସାତଳଗାମୀ ହୋଇପଡିବ ଏବଂ ଏ ସଂସ୍କୃତିର ସମାଧି ଉପରେ ବହୁ ବିଦେଶୀ ସଂସ୍କୃତି ସେମାନଙ୍କର ସ୍ଥିତିକୁ ସୁଦୃଢ କରିଦେବେ । ତେଣୁ ଆମ ଅବଲୁପ୍ତ ସଂସ୍କୃତିର ପୁନରୁତ୍ଥାନ ପାଇଁ ଆସନ୍ତୁ ପ୍ରୟାସ ଜାରିରଖିବା । ଆମେ ରୁଚି ସମ୍ପର୍ଣ୍ଣ ହୋଇପାରିଲେ ହିଁ ଆମ ସଂସ୍କୃତିକୁ ଆମେ ଏକ ନୂତନ ରୂପ ପ୍ରଦାନ କରିପାରିବା। ବୈଦିକ ଯୁଗରୁ ଅଦ୍ୟାବଧି ଆମ ସଂସ୍କୃତି କେତେ ମୁନିଜନଙ୍କୁ ସୃଷ୍ଟି କରି ତା’ ଐତିହ୍ୟକୁ ସମୃଦ୍ଧ କରିଛି, ତା ହିସାବ ଇତିହାସ ନିକଟରେ ଆଜି ବି ଅବଗୁମ୍ପିତ । ଆମ ସଂସ୍କୃତିର ସେ ଅନାବିଷ୍କୃତ ଦିଗକୁ ଆବିଷ୍କାର କରିପାରିଲେ ହିଁ ଏ ସଂସ୍କୃତିର ପ୍ରକୃତ ମୂଲ୍ୟାଙ୍କନ ସମ୍ଭବ ହୋଇପାରିବ। ଅନ୍ୟଥା ଏ ସଂସ୍କୃତିର ସମୃଦ୍ଧ ପୃଷ୍ଠଭୂମି ଅନ୍ଧକାର ମଧ୍ୟରେ ଚିରଦିନ ଲାଗି ଏକ ଅଜଣା ଅଧ୍ୟାୟ ହୋଇ ରହିଯିବ; ତେବେ ଏ ସଂସ୍କୃତିର ଉଦ୍ଧାର କାର୍ଯ୍ୟ ଏବେ ଆମ ହାତରେ ହିଁ ନ୍ୟସ୍ତ । ଆମରି କ୍ରିୟାଶୀଳତା ହିଁ ଏ ସଂସ୍କୃତିକୁ ଏକ ସୁସ୍ଥ ରୂପ ପ୍ରଦାନ କରିବ ନିଶ୍ଚୟ। ଆମେ ପ୍ରବାହିତ ହେଲେ ଆମ ସଂସ୍କୃତି ବି ପ୍ରବାହିତ ହେବ। ଆମେ ମୃତ ପ୍ରାୟ ହୋଇଗଲେ ଏ ସଂସ୍କୃତି ବି ମୃତ ପ୍ରାୟ ହୋଇପଡ଼ିବ । ତେଣୁ ଚାଲନ୍ତୁ, ଥରଟିଏ ଜାଗ୍ରତ ହେବା । ଅବଚେତନ ଅବସ୍ଥାରୁ ଉଠିଆସି ଚେତନା ରାଇଜରେ ବିଚରଣ କରିବା ଓ ଆମ ସଂସ୍କୃତିର ସମୃଦ୍ଧ ଅତୀତକୁ ପୁନର୍ଜୀବିତ କରି ଉଦ୍ଘୋଷଣ କରିବା।
"ଆମ ସଂସ୍କୃତି ଆମ ପରିଚୟ
ଅଛି କେ ତା’ ଠାରୁ ବଡ଼,
ସଂସ୍କୃତି ବିନା ପାରିବା କି
ଜିଣି
ଆମେ ଏଠି ରାଜଗଡ"।
Comments
Post a Comment