ଏକ ପ୍ରତୀକାତ୍ମକ ସ୍ଵପ୍ନର ନଉକାରେ ସମ୍ଭାବନାକୁ ପାଥେୟ କରି ଉଦ୍ ଭ୍ରାନ୍ତ ମଣିଷ ବେଳେ ବେଳେ ଏକ ଉଦ୍ଭଟ ଚିନ୍ତନର ନିଶାରେ ମସଗୁଲ୍ ହୋଇ ତା ସ୍ଵପ୍ନିଳ ଦିଗ୍ ବଳୟରେ ହଜିଯାଏ । ତେବେ, ଏ ହଜିଯିବା ସମୟରେ ତା'ର ଅବାଞ୍ଚିତ ଉଦ୍ବେଳନ ଦେଖି କେହି କେହି ତା’ର ଏ ଆଚରଣ ପ୍ରତି କଟାକ୍ଷ କରନ୍ତି । କିନ୍ତୁ ମାନସିକ ସ୍ତରରେ ସ୍ଥିର ହୋଇ ସାରିଥିବା ସ୍ଥିତପ୍ରଜ୍ଞ ମଣିଷମାନେ ଏ ଉଦ୍ବେଳନକୁ ଅତି ହାଲୁକା ଭାବରେ ଗ୍ରହଣ କରି ସମାଜର କଟାକ୍ଷ ପ୍ରତି ଆଦୌ ଭୃକ୍ଷେପ କରନ୍ତି ନାହିଁ । କାରଣ ସେମାନେ ସ୍ଵୟଂସିଦ୍ଧ ବୋଲି ଏ ଦୁନିଆ ବୁଝୁ ବା ନ ବୁଝୁ ଅନ୍ତତଃ ସେମାନେ ବୁଝିଛନ୍ତି ଯେ ନିଜେ ସେମାନେ ସ୍ଵୟଂ ସମ୍ପୂର୍ଣ୍ଣ ; ଅଥଚ ଅନ୍ୟମାନଙ୍କ ଦୃଷ୍ଟିରେ ଅସଂପୂର୍ଣ୍ଣ । ଅସଂପୂର୍ଣ୍ଣତା ଯଦି ତ୍ୱରାନ୍ୱିତ ହେବାର ବାର୍ତ୍ତାବହ, ତେବେ ନିଜକୁ ଅସଂପୂର୍ଣ୍ଣ ରଖିଲେ କ୍ଷତି କ'ଣ ? ପୂର୍ଣ୍ଣତା ପରା ମଣିଷକୁ ସ୍ଥାଣୁ ଓ ପଙ୍ଗୁ କରିଦିଏ । ପ୍ରବାହ-ପଥ ରୁଦ୍ଧ କରି ପ୍ରଗତିର ପ୍ରତିବନ୍ଧକ ସାଜେ । ତେଣୁ ଆସନ୍ତୁ, ପ୍ରତିଟି ପ୍ରତୀକାତ୍ମକ ସ୍ଵପ୍ନକୁ ସମ୍ଭାବନାର କାନ୍ ଭାଷ୍ ଉପରେ ସଫଳତାର ଚିତ୍ରପଟଟେ କରି ଆଙ୍କିବା । କାରଣ କିଏ ଜାଣେ ଆମର ଏ ଅଙ୍କନ କାହା ଜୀବନରେ ବୈପ୍ଳବିକ ପରିବର୍ତ୍ତନର ସ୍ରୋତକୁ ସୃଷ୍ଟି କରିବ; ଯାହାକି ସମୟର ଗଡ୍ଡାଳିକା ପ୍ରବାହରେ ଜଗତର ମଙ୍ଗଳ ପାଇଁ ବହୁଥିବ ଯୁଗରୁ ଯୁଗକୁ । ଆମେ ପରା ଅମୃତ ସନ୍ଧାନୀ । ବିନ୍ଦୁ ମଧ୍ୟରେ ସିନ୍ଧୁକୁ ସନ୍ଧାନ କରିବା ଆମେ । ଏବେ ବି ଆମେ ଜାଗ୍ରତ। ଆମ ସୁପ୍ତ ଆକାଂକ୍ଷା ଆଜି ବି ଆମକୁ ହାତଠାରି ଡାକେ ରୂପାନ୍ତରଣର ବାର୍ତ୍ତାବହ ସାଜିବା ପାଇଁ। ଆଉ ଆମେ ପରିବର୍ତ୍ତନର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରଦୂତ ନ ସାଜିଲେ ସ୍ଵପ୍ନ ଆମର ଶୂନ୍ୟରେ ମିଳେଇ ଯିବ ଏବଂ ତା’ ପ୍ରତିଧ୍ଵନି ଆମ ବିଫଳତାକୁ ଦୋହରାଇ ଆମକୁ ଉପହାସ କରୁଥିବ ଯୁଗରୁ ଯୁଗକୁ। ତା’ ହେଲେ, ଆଉ ବିଳମ୍ବ କାହିଁକି? ଚାଲନ୍ତୁ, ସାଥୀ ହୋଇ ସମ୍ମିଳିତ କଣ୍ଠରେ ଉଚ୍ଚାରଣ କରିବା -
" ଆମେ ଜାଗ୍ରତ,
ଆମେ ନୁହଁ ସୁପ୍ତ ,
ଆମେ ଭେଦିଯିବୁ ବନ-ପରବତ,
ଏ ଜାତି ସୁରକ୍ଷା ଆମରି ବ୍ରତ,
ମିଳାଇବା ଆସ ହାତରେ ହାତ ।”
Comments
Post a Comment