ଉଦିତ ବାଳାୠଣର ଆଦ୍ୟ କିରଣରେ ରାତ୍ରିର କାକରରେ ପ୍ରାତଃ ସ୍ନାନ କରିଥିବା ସବୁଜ ଘାସ ଗାଲିଚା ଉପରେ ନାଲି ଟୁକୁଟୁକୁ ସାଧବ ବୋହୁର ମଖମଲ ପାଟବସ୍ତ୍ର ପରିହିତା ରୂପ ଲାବଣ୍ୟକୁ ସଂଦର୍ଶନ କଲେ ଈଶ୍ୱରଙ୍କର ପ୍ରକୃତିରେ ସୌନ୍ଦର୍ଯ୍ୟବୋଧର ମହତ୍ତ୍ଵକୁ ଅନୁଭବ କରିହୁଏ । ଏଠି ପ୍ରକୃତିର ସୌନ୍ଦର୍ଯ୍ୟସହ ଐଶୀ ଚେତନାର ସମ୍ପର୍କ ଅତି ନିବିଡ଼ ବୋଲି ମନେହୁଏ । ପ୍ରକୃତିର ସରଳ ନିରାଡ଼ମ୍ବର ସକାରାତ୍ମକ ପରିବେଶରେ ମଣିଷ ପଛରେ ଛାଡ଼ି ଆସିଥିବା ଅତୀତକୁ ବର୍ତ୍ତମାନର ତରାଜୁରେ ତଉଲିବାକୁ ଆରମ୍ଭ କରେ ଏବଂ ତା’ ଆସନ୍ନ ଭବିଷ୍ୟତକୁ ବର୍ତ୍ତମାନର ଆଇନାରେ ପ୍ରତିଫଳନ କରାଏ । କିନ୍ତୁ ଏ କ’ଣ ? ତରାଜୁର ଓଜନ ଓ ଦର୍ପଣର ପ୍ରତିଫଳନ ସବୁ ତ ଏଠି ଶୂନ । ତା’ ହେଲେ ଏମିତି କାହିଁକି ହେଲା? ଏଥିପାଇଁ ଏ ମଣିଷ ଜାତି କଣ ଦାୟୀ ନୁହଁ ? ସବୁଜିମାଭରା ପ୍ରକୃତି କୋଳରେ ଆଜି କାହିଁକି ବିଧ୍ଵଂସର ତାଣ୍ଡବ ଲୀଳା? କାହିଁକି ଧୂସରିତ ଆଜି ତା’ ବର୍ଣ୍ଣବିଭା ? ଚାଲନ୍ତୁ, ଥରଟିଏ ଏ ତଥ୍ୟକୁ ଅନୁଶୀଳନ କରି ଏ ବିଶ୍ୱକୁ ଏକ ଆସନ୍ନ ଝଡ଼ରୁ ରକ୍ଷା କରିବା । ଅଧୁନା ଏ ବିଷମୟ ମୁହୂର୍ତ୍ତରେ ଆବାଳ - ବୃଦ୍ଧ - ବନିତାଙ୍କ ମଧ୍ୟରେ ସଚେତନ ଭାବ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ମାନବ ସମାଜ ଏମିତି ଏକ ବିଧ୍ୱଂସୀ ସମୟର ସାମ୍ନା କରି ଚାଲିଥିବ । ଫଳତଃ ଏ ବିଶ୍ଵର ଉତ୍ତରପିଢି ଆମ୍ଭମାନଙ୍କୁ ଅପନିନ୍ଦାରେ ବୁଡ଼ାଇଦେବେ । ଆମ ଉତ୍ତରପିଢିଙ୍କ ନିମିତ୍ତ ଆମେ ଏତିକି କର୍ତ୍ତବ୍ୟ ସମ୍ପାଦନ ନ କରି ପାରିଲେ ଆମେ ସେମାନଙ୍କର ଅଗ୍ରଜ ବା ଶ୍ରେଷ୍ଠ ପୂର୍ବ ବଂଶଧର ବୋଲି ଦାବି କରିବା କେମିତି ? ଆମ ଉତ୍ତରପିଢି କ୍ଷତିଗ୍ରସ୍ତ ହେଲେ ଆମ ଐତିହ୍ୟ ରୁଗ୍ଣ ହୋଇପଡିବ ଏବଂ ଆମର ଭବିଷ୍ୟତ ବି ଅନ୍ଧକାର ମଧ୍ୟରେ ଚିରଦିନ ପାଇଁ ଲୀନ ହୋଇଯିବ । ଏହା ଇଂରେଜ ଅମଳର ଅନ୍ଧକୂପ ହତ୍ୟାଭଳି ଆମକୁ ଚିରକାଳ ପାଇଁ ନିନ୍ଦା କରି ଚାଲିଥିବ ; ଆଉ ତା’ର ଭୟଙ୍କର ପରିଣତିକୁ ଏ ସମୟ ସାମ୍ନା କରିପାରିବ ତ ? ନିଷ୍ପତ୍ତି ଏବେ ଆମ ହାତରେ । ଆମେ ସଚେତନ ହେଲେ ଏ ବିଶ୍ଵ ହସି ଉଠିବ ନଚେତ୍ ଏ ବିଶ୍ୱରେ ହାହାକାର ବ୍ୟାପିଯିବ ।
|
|
|

Comments
Post a Comment