ନୂତନତା ମଣିଷ ମନର ଏକ ନିଆରା ଅନୁଭୂତି । ଇତିହାସର ସରଳରୈଖିକ ଗତିରେ ଏହା ତ୍ୱରାନ୍ୱିତ । ତଥାପି ଏଠି ଋତୁଚକ୍ରର ଘୂର୍ଣ୍ଣନ ଗତି ବି ମଣିଷକୁ ବେଳେବେଳେ ଭ୍ରମିତ କରିଥାଏ କାରଣ ପୁରାତନତା ବି ବେଳେବେଳେ ଅନେକ ବର୍ଷର ବ୍ୟବଧାନ ପରେ ନୂତନତାର ଭ୍ରମ ସୃଷ୍ଟି କରି ଆତ୍ମ ପ୍ରକାଶ କରେ; ତଥାପି ମଣିଷ ସେ ପୁରାତନତାରୁ ଜନ୍ମ ନେଇଥିବା ନୂତନତାକୁ ହୃଦୟ ଭରି ଭଲପାଏ । କାରଣ ଏ ପରିବର୍ତ୍ତନଶୀଳ ଦୁନିଆରେ ମଣିଷ ସର୍ବଦା ପ୍ରଗତିର ଧ୍ଵଜା ଧାରଣ କରି ଆଗକୁ ଯିବାରେ ହିଁ ରୁଚି ରଖିଥାଏ । କାରଣ ମାଂସ ପିଣ୍ଡୁଳାଟି ଜୀବନ୍ୟାସ ପାଇବା ପରେ ଅଥବା ଶୁଖିଲା ଶାଖାରେ ପତ୍ର କଅଁଳିବା ପରେ ମଣିଷ ମନରେ ବା ପ୍ରକୃତି କୋଳରେ ଯେଉଁ ଉନ୍ମାଦନା ସୃଷ୍ଟି ହୁଏ, ତାହା ସର୍ବତ୍ର ନବୀନ ପ୍ଲାବନ ଭରିଦିଏ । ଆଉ ସେ ପ୍ଲାବନର ପ୍ରବାହରେ ଜୀବନ ଚଳଚଞ୍ଚଳ ହୁଏ ଏବଂ ସେ ଚଳଚଞ୍ଚଳତା ମଧ୍ୟରେ ପ୍ରାଣସତ୍ତା ଜାଗ୍ରତ ହୁଏ ଆଉ ଏହା ହିଁ ସୃଷ୍ଟି ପ୍ରକ୍ରିୟାର ଅନ୍ୟନାମ ଓ ସର୍ଜନାର ପରିଭାଷା । ଏହି ପରିଭାଷା ହିଁ ତ ନୂତନତାର ଦ୍ୟୋତକ । ତା’ହେଲେ, ଏ ପରିବର୍ତ୍ତିତ ପରିଭାଷାକୁ ଆଦରି ନେବାରେ ଆଜି ଆମ୍ଭମାନଙ୍କ ମଧ୍ୟରେ ଦ୍ଵିଧା କାହିଁକି? ତେବେ ଆମର ଏ ନୂତନତାରେ କ’ଣ ତ୍ରୁଟି ପରିଲକ୍ଷିତ ହେଲା ? ଆସନ୍ତୁ ଥରଟିଏ ତା’ର ଅନୁଶୀଳନ କରିବା । କାରଣ ଆମେ ହିଁ ତ ନୂତନ ପ୍ରଭାତରେ ଆଲୋକ ସନ୍ଧାନୀ । ଆମର ସଠିକ ସନ୍ଧାନ ହିଁ ତ ଏ ବିଶ୍ଵକୁ ନୂତନ ଉନ୍ମାଦନାରେ ଭରିଦେବ । ଅଜସ୍ର ରୋମାଞ୍ଚ, ଉତ୍କଣ୍ଠା ଓ ଚେତନାରେ ମାନବ ସମାଜକୁ ଋଦ୍ଧିମନ୍ତ କରିଦେବ । ଆମରି ଭାବନାର ପ୍ରତିଫଳନରେ ଏ ସୃଷ୍ଟିରେ ଅମୃତ ବର୍ଷା ହେବ । ଆମ ମଧ୍ୟରୁ ଉତ୍ପନ୍ନ ହେଉଥିବା ସକାରାତ୍ମକ ନୂତନ ଚିନ୍ତନ ଏ ସୃଷ୍ଟିର ବିଷ ପ୍ରକ୍ରିୟାକୁ ବିନଷ୍ଟ କରିଦେବ । ଆମେ ନବୀନ ଦୁର୍ବାଦଳ ଭଳି ପ୍ରଭାତର କାକରରେ ଭିଜି ଭିଜି ପ୍ରତିଭାତ ହେବା କ୍ରୋଧ, ହିଂସା ଓ ଅସୂୟାରୁ ଉର୍ଦ୍ଧ୍ଵରେ ରହି । ପ୍ରତିଟି ଆତ୍ମାକୁ ସ୍ଵାଗତ କରିବା ଆମେ ସକାଳର ସଦ୍ୟ ସୁମନ ଭଳି । ନୂତନତା ବିନା ଏ ଧରିତ୍ରୀ ଅଧୁରା ପ୍ରାୟ । ପ୍ରତିଟି ପ୍ରଭାତ ଏଠି ଆମ ପାଇଁ ନୂତନତାରେ ଭରିଯାଉ । ଆମ ଆଚରଣ, ଆମ ଭାବନା, ଆମ ବିଶ୍ଵାସ ମଧ୍ୟରେ ସମ୍ମୁନ୍ନତ ପରମ୍ପରାର ବାସ୍ନା ଭରିଯାଉ ଆଉ ସେ ଦିବ୍ୟବାସ୍ନା ହିଁ ନୂତନ ବର୍ଷର ଜପାମାଳି ହେଉ । ଆମ ଭିତରେ ଦିବ୍ୟଶକ୍ତି ଭରିଯାଉ ପୁରାତନତାର ଅଳନ୍ଧୁ ପୋଛିବା ପାଇଁ । କାରଣ ଆମକୁ ବଞ୍ଚିବାକୁ ହେବ ଏବଂ ଏ ସୃଷ୍ଟିକୁ ବଞ୍ଚାଇବାକୁ ହେବ । ଆମକୁ ଆଙ୍କିବାକୁ ହେବ ଏ ନୂତନ ବର୍ଷରେ ଅନେକ ଅତୃପ୍ତ ଆତ୍ମାର ଜ୍ୟାମିତିକ ଚିତ୍ରକୁ । କାରଣ ସେଠି ହିଁ ତ ଆମେ ସନ୍ଧାନ କରିପାରିବା ଆମ ଅଲକ୍ଷ୍ୟରେ ଆମେ ସମ୍ପାଦନ କରିଥିବା ତ୍ରୁଟି ସବୁ ଏବଂ ନିଜକୁ ସଂଶୋଧନ କରିବାର ସୂତ୍ରକୁ । ତେଣୁ ତ ମୋ ଲେଖନୀରୁ ଝରି ଆସେ-
“ଆତ୍ମାନୁଶୀଳନର
ପୁଣ୍ୟ ବେଦିରେ
ନିଜକୁ ସଜାଡେ ଯିଏ,
ବିଜୟ ପତାକା ଉଡାଇ ସେ ପାରେ
ପ୍ରତି ଯୁଗେ ଏଠି ସିଏ ।
ଆମେ ସ୍ଵାଭିମାନି
ସ୍ଵାଭିମାନ ବଳେ
ନୂତନତା ଆଣୁଥିବା,
ନବୀନ ପ୍ଲାବନେ ଏ ଧରା ଧାମକୁ
ଆମେ ହିଁ ତ ବାହି ନେବା ।

Comments
Post a Comment