ଆଧ୍ୟାତ୍ମିକତା ମଣିଷ ମନର ଏକ ଅଦ୍ଵିତୀୟ ପରିଭାଷା । ଏହା ମଣିଷର ସାହିତ୍ୟ ଜ୍ଞାନ, ଭାଷା ବିନ୍ୟାସ ଓ ସୃଜନଶୀଳତାକୁ
ତା’ ଦିବ୍ୟଛୁଆଁରେ ପ୍ରଭାବିତ
କରିଥାଏ । ମଣିଷର ପ୍ରତିଟି ପ୍ରାଣତନ୍ତ୍ରୀକୁ ଏବଂ ସର୍ବୋପରି
ସମଗ୍ର ଜଗତକୁ ଏହା ଏକ ଅନ୍ଧକାରାଚ୍ଛନ୍ନ ଆବେଶ ମଧ୍ୟରୁ ଉଦ୍ଧାର କରି ଆଣି ଏକ ଅତୀନ୍ଦ୍ରିୟ
ଭାବଧାରାର ଦେଦିପ୍ୟମାନ ସକାରାତ୍ମକ ଦିଗବଳୟ ମଧ୍ୟକୁ ଆକର୍ଷୀ ନେଇଥାଏ । ଫଳତଃ, ମଣିଷ ମିଥ୍ୟା, ପ୍ରବଞ୍ଚନା ତଥା ଶଠତାର ଅନ୍ଧାରୀ ମୁଲକରୁ ନିଜକୁ
ମୁକଳେଇ ଆଣିପାରେ । ମଣିଷ ମଧ୍ୟରେ ଜମାଟ ବାନ୍ଧି
ଥିବା ସ୍ତୂପସ୍ତୂପ ନକାରାତ୍ମକ ଭାବନାକୁ ଏହା ଚିରଦିନ ପାଇଁ ସମାଧିସ୍ଥ ଦିଏ । ଅଜ୍ଞାନ ଅନ୍ଧକାରର
ଅସ୍ତଗୋଧୂଳି ତଳେ ଏହା ଜନ୍ମ ଦେଇଥାଏ ଏକ ଦୀପ୍ତିମାନ ପୁନେଇ ଜହ୍ନକୁ - ଆଉ ଏ ଜହ୍ନ ଆଲୁଅରେ
ଅଜ୍ଞାନରୂପୀ ଅମାବାସ୍ୟାର ଅମା ଅନ୍ଧକାର ଦୂରୀଭୂତ ହୁଏ । ଶେଷ ଆଶ୍ଵିନର ଅସ୍ତଗୋଧୂଳି
ତଳେ ବସି ଆଧ୍ୟାତ୍ମିକତାର କାନଭାସ ଉପରେ ମଣିଷ ତା’ ହୃଦୟରେ ଆଙ୍କି ଦିଏ ଶୈଶବରେ
ସେ ଛାଡ଼ି ଆସିଥିବା ତା’ ସକାରାତ୍ମକ ଚିନ୍ତନର ସ୍ମୃତିଫୁଲସବୁ…ସବୁରି ଅଲକ୍ଷ୍ୟରେ ତା
ମଧ୍ୟରୁ ଗୁଞ୍ଜରଣ ଶୁଭୁଥାଏ – “ ଆଧ୍ୟାତ୍ମିକତା ହିଁ ,
ସାହିତ୍ୟ, ଭାଷା ଓ ସୃଜନଶୀଳତାର ଅନ୍ୟନାମ,ସମ୍ପୂର୍ଣ୍ଣତାର ଦ୍ୟୋତକ, ପ୍ରଗତିର ପ୍ରତୀକ, ସମୃଦ୍ଧିର ମହାଦୀପ, ପ୍ରାପ୍ତିର
ମହାର୍ଘ୍ୟ ଓ ଶାନ୍ତିର ପ୍ରଦୀପ । ତାହେଲେ, ମଣିଷ ଏମିତି ଏକ ଆଧ୍ୟାତ୍ମିକ
ଦିଗବଳୟରେ ସାହିତ୍ୟ, ଭାଷା ଓ ସୃଜନଶୀଳତାର ସୃଷ୍ଟି
ପାଇଁ ନିଜକୁ ଆବିଷ୍କାର କରି ସକାରାତ୍ମକ ଭାବଧାରାକୁ ଆଦରି ନେଲେ କ୍ଷତି କ’ଣ ? ତେଣୁ ଆସନ୍ତୁ, ଆଜିର ଏ ମାହେନ୍ଦ୍ର ବେଳାରେ ନିଜକୁ ଆଧ୍ୟାତ୍ମିକ
ସାହିତ୍ୟ, ଭାଷା ଓ ସୃଜନଶୀଳତାର
ପରିବେଶରେ ହଜାଇଦେବା ଏବଂ ଅଜ୍ଞାନର ବହଳ କୁହୁଡି ମଧ୍ୟରେ ଅଣନିଃଶ୍ଵାସୀ
ହୋଇପଡ଼ୁଥିବା ପ୍ରତିଟି ଆତ୍ମାକୁ ଐଶୀ ଚେତନାର ସ୍ଵଚ୍ଛ ଆଲୁଅରେ ଉଦ୍ଭାସିତ କରିଦେବା ; କାରଣ ଆମେ
ପରା ଏ ବିଶ୍ଵର ଆଲୋକ ସନ୍ଧାନୀ ।
ସ୍ଵାଧୀନ ଭାରତର ଆଧ୍ୟାତ୍ମିକ ଦିଗବଳୟରେ ସ୍ଵାଧୀନତାର ମୂଲ୍ୟବୋଧକୁ
ବିତରଣ କରୁଥିବା ପ୍ରତିଟି ଦିବ୍ୟାତ୍ମା ଅତୃପ୍ତ ସନ୍ତାପିତ ପ୍ରାଣରେ ଆଧ୍ୟାତ୍ମିକତାର ଶୀତଳ
ଚନ୍ଦନ ବୋଳି ଯେଉଁ ଗୁରୁଦାୟିତ୍ଵକୁ ନିର୍ବାହ କରିବାର ସତତ ପ୍ରୟାସ କରି ଚାଲିଛନ୍ତି, ସେ ପ୍ରୟାସ ନିରନ୍ତର ଜାରି
ରହିବ ନିଶ୍ଚୟ ଏବଂ ଅନୁସନ୍ଧିତ୍ସୁ ମନକୁ ଆଧ୍ୟାତ୍ମିକତାର ବାର୍ତ୍ତା ଦେଇ ଶାନ୍ତ କରିବ ନିଶ୍ଚୟ । ସ୍ଵାଧୀନତାର ୭୭ବର୍ଷ ପରେ
ବି ଆମ ଭିତରୁ ବିଲୁପ୍ତ ହୋଇଯାଇଥିବା ସାମାଜିକ ଚେତନାକୁ ଜାଗ୍ରତ କରିବ ନିଶ୍ଚୟ । ଆର୍ଥିକ ଓ ରାଜନୈତିକ
ସାମ୍ୟତା ପ୍ରତିଷ୍ଠା କରି ଏ ବିଶ୍ଵ ସମୁଦାୟକୁ ସୂଚାଇ ଦେବ ଯେ, ସ୍ଵାଧୀନତା ଓ ଆଧ୍ୟାତ୍ମିକତା
ଏକତ୍ର ଗତିଶୀଳ ହେଲେ ହିଁ ସ୍ଵାଧୀନତାର ପ୍ରକୃତ ମୂଲ୍ୟାଙ୍କନ କରାଯାଇପାରିବ ; ଅନ୍ୟଥା ସ୍ଵାଧୀନତା ଏଠି ବିପର୍ଯ୍ୟସ୍ତ ହୋଇ ଅଗଣିତ ନିରୀହ ସରଳ ଆତ୍ମାକୁ ଏକ ହାହାକାରମୟ
ପରିବେଶ ମଧ୍ୟକୁ ନିକ୍ଷେପ କରିଦେବ । ତାହେଲେ, ଐଶୀ ଚେତନାକୁ ପାଥେୟ କରି ସ୍ଵାଧୀନତାର ମୂଲ୍ୟବୋଧକୁ ବିତରଣ କଲେ କ୍ଷତି କ’ଣ? କାରଣ ଆମ ଆଧ୍ୟାତ୍ମିକ ଭାବନା
ଓ ଐଶୀ ଚେତନା ବିନା ସ୍ଵାଧୀନତା କ’ଣ ତା’ ଦୀର୍ଘ ଯାତ୍ରାପଥରେ ସଫଳତାର ସହ ଯାତ୍ରା କରିପାରେ? ଏବେ ତ ସମୀକ୍ଷାର ବେଳ ଉପନୀତ
ଆଉ ଆମେ ହିଁ ତ ସମୀକ୍ଷକ ଏଠି। ଆମ ସମୀକ୍ଷା ଯଦି ଭୁଲ ହୋଇଯାଏ, ଅସଂଖ୍ୟ ସରଳ ନିଷ୍ପାପ ପ୍ରାଣ
ସେ ତ୍ରୁଟିରୂପୀ ଯୂପକାଠରେ ବଳି ପଡ଼ିଯିବେ- ଆଉ ଆମେ ?ସେ ମହାପାତକର ବୋଝକୁ ମୁଣ୍ଡାଇ କଳଙ୍କିତ ଇତିହାସର ପୁନରାବୃତ୍ତି କରିବା ପାଇଁ ବାଧ୍ୟ ହେବା । ତେଣୁ ଆସନ୍ତୁ, ସେ ବିଷମୟ ମୁହୂର୍ତ୍ତ ଆଗମନ ପୂର୍ବରୁ ନିଜକୁ ସଜାଡ଼ିନେବା ଐଶୀ ଭାବନାକୁ ସାଥି କରି । ତାହେଲେ ଆତ୍ମ-ଶୋଚନାର
ମହାଗ୍ଳାନିରେ ଆମେ ଆଉ ଦଗ୍ଧିଭୂତ ହେବା ନାହିଁ । ତେବେ ଚାଲନ୍ତୁ, ଥରଟିଏ ଆଧ୍ୟାତ୍ମିକତାର
ଦିବ୍ୟସ୍ପର୍ଶରେ ଆହ୍ଲାଦିତ ହେବା କାରଣ ଆମେ ପରା ଏ ମାଟିରେ ମୁକ୍ତିର ସଳିତାକୁ ପ୍ରଜ୍ଵଳନ
କରିବାପାଇଁ ଜଣେ ଜଣେ ଅଗ୍ରଦୂତ । ତେଣୁ ତ ମୋ ଲେଖନୀରୁ ଝରିଆସେ-
“ଆଲୋକ ବିତରିବା ଆସ ଅନ୍ଧାର ସାଉଁଟି ନେଇ
ଆଧ୍ୟାତ୍ମିକ ବଳୟରେ ,
ଆସ ଆମେ ଏକାକାର ହେବା
ଯିଏ ଅଛ ଯହିଁ ।
ସମୟ ଉପନୀତ ଏବେ ଆଉ ବେଳ ନାହିଁ
ଚାଲ ଜାଗ୍ରତ ହୁଅ ,
ମିଶିଯିବା ଆମେ ଆଧ୍ୟାତ୍ମିକ ବିଶ୍ଵରେ
ଯିଏ ଅଛ ଯହିଁ ।
Comments
Post a Comment