ସ୍ଵପ୍ନବିଭୋର ମଣିଷଟିଏ ପାହାନ୍ତି ସ୍ୱପ୍ନର ସମାପ୍ତି ପରେ ସଫଳତା ପ୍ରାପ୍ତି ପାଇଁ ପ୍ରତୀକ୍ଷା କରେ କିନ୍ତୁ ସଫଳତା ତା ପାଇଁ ସ୍ଵତଃସ୍ପୃତ ଭାବେ ଐଶୀ-ଆଶିଷ ହୋଇ ସ୍ଵର୍ଗରୁ ଝରି ଆସେନାହିଁ। ପ୍ରତୀକ୍ଷିତ ମୁହୂର୍ତ୍ତମାନେ ସଫଳତା ପ୍ରାପ୍ତି ପାଇଁ ପ୍ରତୀକ୍ଷା କରି ନିରାଶ ହେବାପରେ ତା'ର ମନେପଡ଼େ ସଂସ୍କୃତର ସେହି ଆପ୍ତ ବାକ୍ୟ- "ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ । ସେ କିଂକର୍ତ୍ତବ୍ୟ ବିମୁଢ ହୋଇ ଆକାଶକୁ ଚାହିଁରହେ । ସେ ପଛରେ ଛାଡ଼ି ଆସିଥିବା ସାଧନାର ରୁଦ୍ଧ କୋଠରି ତାକୁ ବାରମ୍ବାର ସଚେତନ କରୁଥାଏ- ହେ ସାଧକ ! ସ୍ଵପ୍ନ ପରେ ସମ୍ଭାବନା ତୁମ ଦ୍ଵାର ଦେଶରେ ସିନା ଉଭା ହୁଏ ତୁମକୁ ତୁମ କର୍ତ୍ତବ୍ୟ ସଂପର୍କରେ ସୂଚାଇ ଦେବାପାଇଁ। ହେଲେ ସଫଳତା ସ୍ଵତଃ ପ୍ରକ୍ରିୟାରେ ସ୍ଵର୍ଗରୁ ଐଶୀ-ଆଶିଷ ହୋଇ ଝରି ଆସେନାହିଁ। ସଫଳତା ପାଇଁ ତ ସାଧନାର ଯଜ୍ଞକୁଣ୍ଡରେ କର୍ତ୍ତବ୍ୟର ଘୃତ ସାଜି ବାରମ୍ବାର ଆହୁତି ସାଜିବାକୁ ହୁଏ। ଆଉ ଏବେ ତ ସେ ଆହୁତି ସାଜିବାର ସମୟ ଉପନୀତ। ଜାଗ୍ରତ ହୁଅ । ସଫଳତା ଏବେ ବି ତୁମକୁ ପ୍ରତୀକ୍ଷା କରିଛି। ହଁ , "ପାହାନ୍ତି ସ୍ଵପ୍ନ ସାଧନା ବିନା ତ ସତ ହୁଏନାହିଁ"। କଥାରେ ସିନା ଅଛି ପାହାନ୍ତି ସ୍ଵପ୍ନ ସତ ହୁଏ । କିନ୍ତୁ ଏହା ମଣିଷକୁ ସଫଳତା ଆଡ଼େ ପ୍ରେରିତ କରିବା ପାଇଁ ଏକ ଆପ୍ତ ବାକ୍ୟ ମାତ୍ର । ତେଣୁ ଆସନ୍ତୁ, ହାତ ପା’ନ୍ତାରେ ଥିବା ପ୍ରତିଟି ସଫଳତାର ପୁଷ୍ପକୁ ତୋଳି ଆଣିବା ପାଇଁ ଓ ସର୍ବୋପରି ଆମ ପାହାନ୍ତି ସ୍ଵପ୍ନକୁ ସାକାର କରିବା ପାଇଁ ସ୍ଵପ୍ନ ପରେ ସଫଳତା ପ୍ରାପ୍ତି ପାଇଁ ଜାଗ୍ରତ ହେବା ଆଉ ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ସାଧନାର ଯଜ୍ଞକୁଣ୍ଡରେ ନିଜେ ବାରମ୍ବାର ଆହୁତି ସାଜିବା । ତା’ହେଲେ ପାହାନ୍ତି ସ୍ଵପ୍ନ ସତ ହେବ ଏବଂ ସ୍ୱପ୍ନର ସମ୍ମାନ ସହ ଆମରି ସମ୍ମାନ ବି ବଞ୍ଚି ରହିବ । ତେବେ ଆଉ ବିଳମ୍ବ କାହିଁକି? ଆମେ ପରା ସ୍ଵାଭିମାନୀ । ଚାଲନ୍ତୁ, ଆମ ସ୍ୱାଭିମାନକୁ ରକ୍ଷା କରିବା ସାଧନାର ଯଜ୍ଞବେଦୀରେ। ତାହା ହିଁ ହେବ ଆମ ପୁରୁଷାର୍ଥର ପରିଚୟ ।
Comments
Post a Comment