Stay tuned to my blog - " ସିନ୍ଦୂରିତ ଆକାଶର ଦିଗବଳୟ ତଳେ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ସିନ୍ଦୂରିତ ଆକାଶର ଦିଗବଳୟ ତଳେ, ଅସ୍ତମିତ ସୂର୍ଯ୍ୟର ଆଭା ଆଢୁଆଳେ ମୋର ମନେ ପଡ଼ୁଥିଲା ପଛରେ ଛାଡ଼ି ଆସିଥିବା ଏ ସୃଷ୍ଟି ଉପବନର ଲିଳାୟିତ ଦୃଶ୍ୟାବଳୀ। ସେ ଉପବନରେ ନଥିଲା ଜୀବନର ଆବିଳତା। ସେଠି ବି ନଥିଲା ପାର୍ଥିବ ପ୍ରେମର ଛଳନା । ଅଥଚ ସେଠି ଥିଲା ପ୍ରାପ୍ତିର ଚରମ ଆନନ୍ଦ ଏବଂ ଥିଲା ଉପଭୋଗ କରିବାର ଚରମ ତୃପ୍ତି। ତେଣୁ ତ ବୋଧେ କବିବର ରାଧାନାଥ ରାୟ ଲେଖିଥିଲେ-

 "ସୁନ୍ଦର ତୃପ୍ତିର ଅବସାଦ ନାହିଁ,

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।" 

ସେଦିନ ଧରଣୀ ଥିଲା ଶାନ୍ତ- ସବୁଜ ଓ ନୀରବ। ତା' ନିରବତା ମଧ୍ୟରେ ସେ ମୋତେ ତା' ମନକଥା କହିଥିଲା। ତା'ର ସେ ନିରବତା ମଧ୍ୟରେ ହିଁ ତ ଭାବନାର ଜ୍ୟାମିତିକ ରେଖା ସବୁ ଆଙ୍କି ହୋଇଯାଇଥିଲା। ମୁଁ କିଛି ଜିଜ୍ଞାସା କରିବା ଆଗରୁ ସେ ତା'ର ଚୁପଚାପ ଓଠରେ ମୋ ପ୍ରତିଟି ଶବ୍ଦର ଉତ୍ତର ଲେଖୁଥିଲା ଆଉ ମୁଁ ବି ବୁଝି ପାରୁଥିଲି ତା ସାଙ୍କେତିକ ଉତ୍ତର ସବୁ। ତେବେ ଆଜି ଏମିତି କ'ଣ ହେଲା ଯେ ଜୀବନର ସବୁତକ ସବୁଜିମା ଫିକା ପଡ଼ିଗଲା ? ଦୃଶ୍ୟ ସରିବା ଆଗରୁ ସେଠି ଯବନିକାପାତ ହେଲା? ପୁଣି ଚଳଚଞ୍ଚଳ ପ୍ରାଣପ୍ରବାହ ଥମିଗଲା? ପ୍ରତିଟି ସ୍ଵପ୍ନ ଅନ୍ଧାରରେ ବାଟବଣା ହେଲା ? ଏ ପୃଥିବୀର ପ୍ରତିଟି କୋଣରୁ, ବାଡ଼ିବଗିଚାରୁ, ସ୍କୁଲ, କଲେଜ ଏବଂ ବିଶ୍ଵବିଦ୍ୟାଳୟରୁ, ଗାଁ ପୋଖରୀର ନିଛାଟିଆ ତୁଠରୁ ଅବା ସହରର ଫୁଟପାତ ଉପରୁ ଅସହାୟ କ୍ରନ୍ଦନର ସ୍ୱର ଶୁଭୁଥିଲା? ଅସହାୟତାର ପଦଚିହ୍ନ ସବୁ ଅଙ୍କା ହୋଇଥିଲା ? ତାହେଲେ "ହେ ଈଶ୍ୱର, ସବୁଜିମାଭରା ଧରିତ୍ରୀ କ'ଣ ତେବେ ବିପର୍ଯ୍ୟୟର କାହାଣୀ ଲେଖିବାକୁ ଆରମ୍ଭ କରିଛି ? ପୂର୍ବର ଅମୃତମୟ ବିଶ୍ଵ କ'ଣ ଏବେ ବିଷଜ୍ଵଳାରେ ଛଟପଟ ହେଉଛି ? ପୂର୍ବର ସେ ମାଧୁର୍ଯ୍ୟ କ'ଣ ଅପହୃତ ଆଜି କେଉଁ ପାଷାଣ୍ଡ ଦ୍ୱାରା ? ବୃଦ୍ଧର ଅଭିଜ୍ଞତା ଆଜି କ'ଣ ଅର୍ଥହୀନ? ପ୍ରୌଢ଼ର ଅନୁଭୂତିରେ କ'ଣ ଆଜି ନୂତନତା ନାହିଁ ? ଉତ୍ତର ଦିଅ ତା'ର....ଏମିତି କାହିଁକି ହେଲା? ତେଣୁ ତ ମୋ ଲେଖନୀରୁ ଝରି ଆସେ-

“ଯୁବକ ଆଖିରୁ ଏବେ ଉତ୍ସାହ ଯାଇଛି ହଜି,

ଯୁବତୀର ତନୁତନିମାରେ ଶିଥିଳତା କିଆଁ ଆଜି ?

ନିବୁଜ କୋଠରୀରେ ମୁଣ୍ଡ ପିଟୁଛି ଏବେ ପ୍ରୌଢ଼ର ଅନୁଭୂତି, 

ବୃଦ୍ଧର ଅଭିଜ୍ଞତା ଏବେ ହୋଇଗଲାଣି ସ୍ମୃତି !

ନବିନପ୍ଲାବନ ଏବେ ହେଲାଣି ଦେଖ ଇତି,

ବନ୍ଧା ପଡ଼ିଛି ଏବେ ଅତୀତର ସବୁତକ ସ୍ମୃତି ।

ଗଗନେ ଶୁଭଇ ଏବେ ବେକାରୀର ହାହାକାର,

ବ୍ୟାପିଛି ଚତୁର୍ଦ୍ଦିଗେ ଦାରିଦ୍ର୍ୟ ଅନ୍ଧକାର ।

ଏମିତି କିଆଁ ହେଲା କୁହ ହେ ଈଶ୍ୱର,

ବିଶ୍ଵ କି ଲେଖୁଛି ଏବେ ବିପର୍ଯ୍ୟୟ କାହାଣୀ ତା'ର ?

ଏବେ ସେ ସମୟ ଉପନୀତ

 ଦିଅ ତା' ଉତ୍ତର !

    

Comments