Stay tuned to my blog - ' ଉପଲବ୍ଧି ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 ଐଶୀ ଚେତନାର ପ୍ରବାହମାନ ଧାରାରେ ଭାସମାନ ପ୍ରତିଟି ଦିବ୍ୟାତ୍ମା ସିନ୍ଦୂରିତ ଆକାଶର ଦିଗବଳୟ ତଳେ ଅସ୍ତମିତ ସୂର୍ଯ୍ୟର ଦିବ୍ୟ ଆଭାକୁ ସାଉଁଟି ନେବାବେଳେ ଏ ପୃଥିବୀର ଦିବ୍ୟସୃଷ୍ଟି ପ୍ରକ୍ରିୟା ତଥା ତା ପୃଷ୍ଠରେ ଉପଲବ୍ଧ ଲିଳାୟିତ ସେ ଦିବ୍ୟ ଉପବନର ଅପୂର୍ବ ଶୋଭାକୁ ସନ୍ଦର୍ଶନ କରି ଜୀବନର ସମସ୍ତ ଆବିଳତାକୁ କ୍ଷଣଟିଏ ପାଇଁ ଭୁଲିଯାଏ। କାରଣ ସେଠି ନଥାଏ ପାର୍ଥିବ ପ୍ରେମର ଛଳନା ଅବା ମିଥ୍ୟା ପ୍ରବଞ୍ଚନା ; ଅଥବା ଶଠତା ଓ ପ୍ରତାରଣା। ପ୍ରାପ୍ତି ଓ ତୃପ୍ତିର ଚରମାନନ୍ଦ ସେଠି ଲହରି ଭାଙ୍ଗୁଥାଏ । ଦିବ୍ୟଧାମର ଶୋଭା ଓ ଆଭାକୁ ଅନୁଭବ କରି ସେଠି ପ୍ରତିଟି ଆତ୍ମା ତଲ୍ଳୀନ ହୁଅନ୍ତି କେଜାଣି କେଉଁ ଦିବ୍ୟ ପୁରୁଷର ସୂକ୍ଷ୍ମ ଛୁଆଁରେ। ସେଠି ଉପଭୋଗର ଦିବ୍ୟାନନ୍ଦ ପ୍ରାପ୍ତ ହୁଏ ସବୁରି ଅଲକ୍ଷ୍ୟରେ; ଅଥଚ, ଆସକ୍ତି ନଥାଏ। ଲାଳସାରହିତ ଏ ଦିବ୍ୟ ଅନୁଭବ ମଣିଷକୁ ଧରଣୀର ଶାନ୍ତ ସବୁଜ ରୂପ ଲାବଣ୍ୟରେ ମୋହିତ କରେ। ସବୁଜ ପ୍ରାଣର ଝଙ୍କାର ଏଠି ମନକୁ ଯେଭଳି ଝଙ୍କୃତ କରେ, ଜୀବନର ଯବନିକା ସେତିକି ଆହ୍ଲାଦିତ କରେ। କାରଣ ଏଠି ଏ ମଣିଷ ଉପଲବ୍ଧି କରିସାରିଲାଣି ଯେ, ଏ ଦିବ୍ୟ କ୍ଷେତ୍ରରେ ନିର୍ବାଣ ଆଉ ବେଶି ଦୂର ନାହିଁ। ବୋଧହୁଏ, ଏହା ତା'ର ଅନ୍ତିମ ନିର୍ମାଣ। ଏହାପରେ ତା'ର ଆଉ ପୁନର୍ଜନ୍ମ ନାହିଁ । ପୁନର୍ଜନ୍ମ ନହେଲେ ବି ସେ ବିଷାଦଗ୍ରସ୍ତ ହେବନି ଆଉ। କାରଣ ନିର୍ବାଣ ହିଁ ତ ଐଶୀସତ୍ତାକୁ ଉପଲବ୍ଧି କରିବା ପାଇଁ ଏକ ମାତ୍ର ମାର୍ଗ। ତେଣୁ ତ ଏଠି ସେ ଏବେ ଶୁଣି ପାରୁଛି ମୋହନ ମୂରଲୀର ମଧୁର ମୂର୍ଚ୍ଛନା। ତା ପ୍ରାଣତନ୍ତ୍ରୀ ଏବେ ଗୁଞ୍ଜରିତ ବଇଁଶୀର ସାତସୁରରେ । ପ୍ରଫୁଲ୍ଲତାରେ ଭରି ଯାଇଛି ଏବେ ତା'ର ମନ-ବୃନ୍ଦାବନ। ତେବେ ଏମିତି ଏକ ଦିବ୍ୟ ପରିବେଶରେ ନିଜର ପରିଚୟ ହଜେଇ ଦେଇ ଏକ ବିରାଟ ସତ୍ତା ମଧ୍ୟରେ ହଜିଗଲେ କ୍ଷତି କଣ? ଏ ସତ୍ତାର  ବିସ୍ତୃତି ତ ଭୂମିରୁ ଭୂମାଯାଏଁ ପରିବ୍ୟାପ୍ତ । ସୂର୍ଯ୍ୟରଶ୍ମିସମ ଏହା ସର୍ବତ୍ର ବିଚ୍ଛୁରିତ । ସାଗରଠୁ ବଳି ଏହା ତ ଆହୁରି ଗଭୀର ଏବଂ ଆକାଶଠୁ ବଳି ଏହା ଆହୁରି ପ୍ରସାରିତ। ତେଣୁ ଚାଲନ୍ତୁ, ଥରଟିଏ ସେ ଦିବ୍ୟସତ୍ତାର ବିଶାଳତାକୁ ଅନୁଭବ କରିବା ଆଉ ସେ ଅନୁଭବର ପ୍ରତିଟି କଣିକାରେ ଉପଲବ୍ଧି କରିବା ଆମେ ହଜେଇ ଦେଇଥିବା ଦିବ୍ୟାନନ୍ଦକୁ ।

Comments