Stay tuned to my blog - ' ଅଦୃଶ୍ୟସତ୍ତା' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 

ଋତୁଚକ୍ର  ପରି ଜୀବନଚକ୍ର ଏଠି ଘୂରି ଚାଲିଛି କାହିଁ କେଉଁ ଆଦିମ ଯୁଗରୁ ଅଦ୍ୟାବଧି  ।ଏହି ପ୍ରକ୍ରିୟା ତ ଏ ବିଶ୍ୱର ଏକ ଚିରନ୍ତନ ପ୍ରକ୍ରିୟା  ।ସମୟର ଅମଡ଼ା ରାସ୍ତାରେ ଏହି ଘୂର୍ଣ୍ଣନ ଗତିର ସମାପ୍ତି ନାହିଁ ଯେମିତି । ମଣିଷ ଏ ଘୂର୍ଣ୍ଣନ ପ୍ରକ୍ରିୟାର ଏକ ଅଂଶବିଶେଷ  । ସେ ସୃଷ୍ଟିର ଶ୍ରେଷ୍ଠ ଜୀବଟିଏ ବୋଲି ଏ ଘୂର୍ଣ୍ଣନ ପ୍ରକ୍ରିୟା ସହ ସାମିଲ କରିପାରିଛି ସମ୍ଭବତଃ ଏବଂ ନିଜ ସଭ୍ୟତାକୁ ନେଇ ତିଷ୍ଠି ରହିଛି ପ୍ରଗତିର ଧ୍ଵଜା ଧାରଣ କରି ପ୍ରାପ୍ତିର ସୋପାନ ଅତିକ୍ରମ କରି  । କେତେ ରୋମାଞ୍ଚ, ଉତ୍କଣ୍ଠା ଓ ଆବେଗ ମଧ୍ୟରେ ତା ' ଜୀବନ ଗତିଶୀଳ । ଚେନାଏ ଆଲୋକ ଏବଂ ଚେନାଏ ଅନ୍ଧାରର ପୃଥିବୀକୁ ନେଇ ସେ ଏଠି ବ୍ୟସ୍ତ ବିବ୍ରତ ଅଥଚ ତା'ରି ଭିତରେ ସ୍ୱୟଂସିଦ୍ଧ ହେବା ପାଇଁ ପ୍ରତ୍ୟହ ଜାଗ୍ରତ  ।ସେଥିପାଇଁ ତ ସେ ସୃଷ୍ଟିର ଶ୍ରେଷ୍ଠ ଜୀବ  ।ପୃଥିବୀର ଆଲୁଅରେ ଓ ଅନ୍ଧାରରେ ମାଟିର ବାସ୍ନାରେ ସେ ଏଠି ନିଜ ସୃଷ୍ଟି ପାଇଁ ହଜିଯାଏ  । ସେ ଜୀବନକୁ ଭଲପାଏ ବୋଲି ବଞ୍ଚି ରହିଛି ଏବଂ ବଞ୍ଚିବାର ପ୍ରକ୍ରିୟା ମଧ୍ୟରେ ସୃଷ୍ଟିର ରହସ୍ୟକୁ ଉଦ୍ଘାଟନ କରିଛି ବାରମ୍ବାର  ।ଶକ୍ତିର ଆବିଷ୍କାର ବି କରିଛି ସେ  ।ଆଲୁଅରେ ହେଉ ଅବା ଅନ୍ଧାରରେ ହେଉ ଯଦି ଏଠି ବଞ୍ଚି ରହିବା ହିଁ ସତ୍ୟ ତା'ହେଲେ ଏ ମଣିଷକୁ ତା' ଆତ୍ମିକ ଚେତନାର କର୍ଷଣ କରିବାକୁ ହେବ କାରଣ ଆତ୍ମିକ ଚେତନା ବିନା ମଣିଷ କ'ଣ ସୁସ୍ଥ ଜୀବନଟିଏ ବଞ୍ଚିପାରେ ? ଆକାଶର ନୀଳ ଆଖିରେ, ଝରଣାର କୁଳୁକୁଳୁ ଶବ୍ଦରେ ଏବଂ ଫୁଲର ମୁଲାୟମ ପାଖୁଡ଼ାରେ ଜୀବନର ସୌନ୍ଦର୍ଯ୍ୟକୁ ଆତ୍ମ-ଚେତନା ବିନା କ'ଣ ଉପଲବ୍ଧି କରିହୁଏ  ? ମମତାର ସ୍ପର୍ଶ ଦେଇ ଜୀବନ ଚିତ୍ରକୁ ଆଙ୍କିବାକୁ ହେଲେ ଅସଂଖ୍ୟ ଅତୃପ୍ତ ଆତ୍ମାର ଜ୍ୟାମିତିକ ରେଖାକୁ ନେଇ ତୃପ୍ତିର ସମତଳ କ'ଣ ଆଙ୍କି ହୁଏ  ? ତେଣୁ ଚାଲନ୍ତୁ ସୁସ୍ଥ ଜୀବନଟିଏ ବଞ୍ଚିବା ପାଇଁ ଆତ୍ମ-ଚେତନାର ପ୍ରବାହମାନ ଧାରାରେ ନିଜକୁ ଭସେଇ ନେବା ଏବଂ ଜୀବନର ମୁଲାୟମ ପାଖୁଡ଼ା ସବୁକୁ ସଯତ୍ନରେ  ସାଉଁଟି ନେଇ ସେଗୁଡିକୁ ଅକାଳରେ ମଉଳିବାକୁ ଦେବାନାହିଁ  । କିଛି ପୁରୁଣା ଅନୁଭୂତିକୁ ନେଇ ନୂତନତ୍ଵକୁ  ନିର୍ମାଣ କରିବା - ଠିକ୍ ଯେମିତି ମଣିଷର ଜୀବନଚକ୍ର ଏଠି ଗୋଟିଏ ଜନ୍ମ ପରେ ଆଉ ଗୋଟେ ଜନ୍ମ ନେଇଥାଏ  । ଝରଣା ଏଠି ଗତିଶୀଳ ବୋଲି ତ ସାଗରର ବକ୍ଷରେ ଲୀନ ହୋଇ ଜଗତର ମଙ୍ଗଳ ସାଧନା କରିଥାଏ  । ତା'ହେଲେ ଏ କ୍ଷୁଦ୍ର ମଣିଷ ଏକ ମହାସତ୍ତାରେ ଆତ୍ମ-ଚେତନାକୁ ପାଥେୟ କରି ଜନମଙ୍ଗଳ ପାଇଁ ଲୀନ  ହୋଇଗଲେ କ୍ଷତି କ'ଣ  ? 

Comments