ଆଧ୍ୟାତ୍ମିକତାର ପୁଣ୍ୟବେଦୀରେ ଆତ୍ମ-ପରିଚୟକୁ ଖୋଜୁଥିବା ପ୍ରତିଟି ଆତ୍ମା ଅନୁଭବର ଏରୁଣ୍ଡି ବନ୍ଧ ମଧ୍ୟରେ ନିଜକୁ ଥରେ ଆବିଷ୍କାର
କରିସାରିବା ପରେ ଏକ ସମ୍ପ୍ରସାରିତ ବିଶ୍ଵ ଆଡ଼କୁ ପ୍ରଧାବିତ ହୋଇଥାଏ । ଏହି ସ୍ଥିତିରେ ସେ ଆତ୍ମ-ଦର୍ଶନର ପ୍ରତିଟି ପାଖୁଡ଼ାକୁ ଅତି ନିକଟରୁ ଏପରି ଅନୁଭବ କରେ ଯେ ଉକ୍ତ ପାଖୁଡ଼ାମାନଙ୍କର
ଅନୁଧାବନ କରି ନିଜ ଜୀବନ ପର୍ଯ୍ୟାୟକୁ ସୁସଂଯତ ଓ ସୁବ୍ୟବସ୍ଥିତ କରିଥାଏ । ଏହି ଅନୁସରଣ ପର୍ଯ୍ୟାୟର
ପ୍ରତିଟି ସୋପାନରେ ତା’ ଭିତରୁ
ପ୍ରବାହିତ ହେଉଥିବା ଶ୍ରଦ୍ଧାର ସ୍ରୋତ ତାକୁ ସଂଯମତା ତଥା ସମ୍ଭ୍ରମତାର ପବିତ୍ର ଜଳରେ ଅବିଷିକ୍ତ
କରେ ଏବଂ ସେ ସ୍ଵତଃ ଶୋଧିତ ହୋଇ ନିଜକୁ ସ୍ଵୟଂସିଦ୍ଧ ପ୍ରମାଣ କରିଥାଏ । ତେଣୁ ତ ଗୀତାରେ
କୁହାଯାଇଛି-
श्रद्धावाँल्लभते ज्ञानं
तत्परः संयतेन्द्रियः।
ज्ञानं लब्ध्वा परां
शान्तिमचिरेणाधिगच्छति।।
ଶ୍ରଦ୍ଧାବାଁଲ୍ଲଭତେ ଜ୍ଞାନଂ ତତ୍ପରଃ ସଂଯତେନ୍ଦ୍ରିୟଃ ।
ଜ୍ଞାନଂ ଲବ୍ ଧ୍ଵା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ॥
ତେବେ, ଏହି ଶ୍ରଦ୍ଧାରୁ ଉତ୍ପନ୍ନ ଜ୍ଞାନର ସାଗରରେ
ଅବଗାହନ କରି ସେ ଯେତେବେଳେ ଆତ୍ମ ନିବେଦନ ମାଧ୍ୟମରେ ଜ୍ଞାନକୁ ପ୍ରସାରଣ କରିବାର ଭୀଷ୍ମ ଶପଥ ନେଇ ଆଗେଇ ଆସେ, ସେତେବେଳେ ହିଁ ସେ ଗୁରୁପଦବାଚ୍ୟ ହୁଏ । ଏହି ପର୍ଯ୍ୟାୟ ଯାତ୍ରାର ପ୍ରତିଟି ମୁହୂର୍ତ୍ତ
ଜଣେ ଗୁରୁଙ୍କ ଅଗ୍ନି ପରୀକ୍ଷା ହେଲେ ହେଁ ସେ ଏହି ଅଗ୍ନି ପରୀକ୍ଷାର ଯଜ୍ଞକୁଣ୍ଡରେ ନିଜେ ଆହୁତି
ସାଜି ସମଗ୍ର ମାନବ ସମାଜକୁ ଅନ୍ଧକାରରୁ ଆଲୋକ ରାଜ୍ୟକୁ ନେଇ ଚାଲନ୍ତି । ତେଣୁ ତ କୁହାଯାଏ -
अज्ञानतिमिरान्धस्य ज्ञानाञ्जनशलाकया।
चक्षुरुन्मीलितं येन तस्मै
श्री गुरवे नमः ॥
ତେଣୁ ଆସନ୍ତୁ! ଆଜିର ଏ ଦିବସରେ ସେ ମହାନ ଶୋଧିତ ଦିବ୍ୟାତ୍ମାମାନଙ୍କ ଉଦ୍ଦେଶ୍ୟରେ
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେମାନଙ୍କ ପାଇଁ ଏକ ସୁସ୍ଥ ନିରାମୟ ଜୀବନ କାମନା କରିବା। କାରଣ ସେମାନଙ୍କ ବିନା ଏ ବିଶ୍ଵ ରସାତଳଗାମୀ
ହେବା ଅନିବାର୍ଯ୍ୟ । ସେମାନେ ହିଁ ତ ଏ ମାନବ ସମାଜର କର୍ଣ୍ଣଧାର, ସଭ୍ୟତାର ଅଗ୍ରଦୂତ । ତେଣୁ ସେମାନଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ
ସମର୍ପଣ କରି ସେ ଗୀତାବାଣୀକୁ ଉଚ୍ଚାରଣ କରିବା –
ଯତ୍ତଦଗ୍ରେ ବିଷମିବ ପରିଣାମେ ଅମୃତୋପମମ୍ ।
ତତ୍ ସୁଖଂ ସାତ୍ତ୍ୱିକଂ ପ୍ରୋକ୍ତମାତ୍ମବୁଦ୍ଧିପ୍ରସାଦଜମ୍ ॥
ଗୁରୁବାଣୀ ବେଳେବେଳେ ସାଧାରଣ ମାନବଟେ ପାଇଁ ବିଷଜ୍ଵଳା ଭଳି କଷ୍ଟଦାୟକ ହେଲେ ହେଁ ସେହି
ବାଣୀ ପରବର୍ତ୍ତୀ ଜୀବନ ପର୍ଯ୍ୟାୟରେ ଅମୃତବତ୍ ମାନବକୁ ଅମରତ୍ଵ ପ୍ରଦାନ କରେ ,ଏଥିରେ ସନ୍ଦେହର ଅବକାଶ ନାହିଁ । ତେଣୁ ତ ଗୀତାରେ
କୁହାଯାଇଛି –
କ୍ରୋଧାଦ୍ ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତିବିଭ୍ରମଃ ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି ॥
ତେଣୁ ତ ଗୁରୁ ସମାଜରେ ଏକ ସ୍ଵତନ୍ତ୍ର ଆସନର ଅଧିକାରୀ ହୁଅନ୍ତି । ସେ ଆସନ କ୍ରୋଧ,ମୋହ, ମାୟାଠାରୁ
ଉର୍ଦ୍ଧ୍ଵରେ ରହି ଏକ ଲାଳସାହୀନ ବଳୟରେ ପ୍ରାଣୀ ଜଗତକୁ ଦିବ୍ୟଦର୍ଶନ ପ୍ରଦାନ କରେ ଆଶାହୀନ ଭାବେ
। ଆଉ ସେ ଆଶାହୀନ ତଥା ସୀମାହୀନ ବ୍ୟକ୍ତିତ୍ଵମାନଙ୍କର ବନ୍ଦାପନା ପାଇଁ ସାଧାରଣ ମାନବର ବନ୍ଦାପନାର
ଅର୍ଘ୍ୟଥାଳି କ୍ଷୁଦ୍ରାତିକ୍ଷୁଦ୍ର ମନେହୁଏ । ତେଣୁ ଆସନ୍ତୁ, ଥରଟିଏ
ସେ ମହାନ୍ ଦିବ୍ୟାତ୍ମାମାନଙ୍କର ଅଦୃଶ୍ୟ ସାନ୍ନିଧ୍ୟକୁ ଲାଭ କରି ନିଜ ଜୀବନକୁ ଅମୃତସିକ୍ତ
କରିବା ଏବଂ ନିଜେ ଅମୃତ ସନ୍ଧାନ ପାଇଁ ପ୍ରେରିତ ହେବା ।
Comments
Post a Comment