ପ୍ରତିଭା ପରିସ୍ଫୁଟନର ଆଦ୍ୟ ପ୍ରଭାତରେ ଯେଉଁ ପ୍ରତିଭାଗଣ ବାଳାରୁଣର ରକ୍ତିମ ଆଭାରେ ନିଜସ୍ଵ ଢଙ୍ଗରେ ସ୍ଵାଧୀନ ଭାବରେ
ଆଗକୁ ଯିବାର ସ୍ୱପ୍ନରେ ବିଭୋର ହୋଇ ଉଠନ୍ତି , ସେହି ପ୍ରତିଭାଗଣ ସେମାନଙ୍କର ସ୍ଵପ୍ନକୁ ବାସ୍ତବ ରୂପ ଦେବାବେଳେ ସମୟେ ସମୟେ
ପାରିବାରିକ ତଥା ସାମାଜିକ ବନ୍ଧନକୁ ଅତିକ୍ରମ କରି ବି ଏକାକୀତ୍ଵପଣକୁ ଅନୁଭବ କରନ୍ତି ନାହିଁ। କାରଣ ସେମାନେ ସ୍ଵ-ପ୍ରତିଭାର ମୂଲ୍ୟାୟନ କରି ସାହସକୁ ପୁଞ୍ଜି କରି ଏ
ଜୀବନ-ଯଜ୍ଞରେ ଆହୁତି ସାଜି ନିଜକୁ ପ୍ରତିଷ୍ଠା କରନ୍ତି ଓ ସ୍ଵୟଂସିଦ୍ଧ ପ୍ରତିଭା ହେବାର ଗୌରବରେ
ନିଜକୁ ଗୌରବାନ୍ଵୀତ କରନ୍ତି। ପ୍ରଗତିର ଧ୍ୱଜା ଧାରଣ କରି ପ୍ରତିଟି
ଆତ୍ମା ପାଇଁ ଉଦାହରଣ ସାଜି ପାରିଥିବା ଏ ପ୍ରତିଭାଗଣ ନିଜ ପୁରୁଷାର୍ଥକୁ ପ୍ରମାଣିତ କରିବାବେଳେ
କୌଣସି ନକାରାତ୍ମକ ଆତ୍ମାମାନଙ୍କର ଆଶିଷ ଭିକ୍ଷା କରନ୍ତି ନାହିଁ। ବରଂ ଈଶ୍ୱରଙ୍କର ଚିର ଆଶିଷକୁ ପାଥେୟ କରି କର୍ମ କରନ୍ତି ।
କାରଣ କର୍ମ ହିଁ ସେମାନଙ୍କର ସଫଳତାର ଚାବିକାଠି। ଏକନିଷ୍ଠ କର୍ତ୍ତବ୍ୟ ସାଧନ ବେଳେ ରାଜଦଣ୍ଡଧାରୀ ପ୍ରତିଟି ବନ୍ଧନରୁ ଉର୍ଦ୍ଧ୍ଵରେ ରହି କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ସେମାନେ
କର୍ତ୍ତବ୍ୟର ଖଡ୍ଗଧାର ଉପରେ ଚାଲିବାକୁ ଶ୍ରେୟସ୍କର ମନେ କରନ୍ତି ।
ସଫଳତାକୁ ସନ୍ଧାନ କରି ଚାଲିଥିବା ଏଭଳି ଦିବ୍ୟାତ୍ମାମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ
ଜାତି ଅଗ୍ରସର ହୁଏ,
ସେମାନେ ହିଁ ଏ
ବିଶ୍ଵ ପୃଷ୍ଠରେ ପରବର୍ତ୍ତୀ ସମୟରେ ମହାପୁରୁଷ ପଦବାଚ୍ୟ ହୁଅନ୍ତି। ଇତିହାସର ଅନେକ ସଂଗୃହୀତ
ତଥ୍ୟରୁ ଏହା ଉପଲବ୍ଧି ହୋଇଛି ଯେ, ପ୍ରତିଟି ମହାପୁରୁଷଙ୍କର ଜୀବନ କାହାଣୀ ବହୁଘାତ-ପ୍ରତିଘାତ, ସଂଘର୍ଷ-ସାଲିସ୍, ଉତ୍ଥାନ-ପତନ ମଧ୍ୟ ଦେଇ ଗତିଶୀଳ । ସେମାନଙ୍କ ଜୀବନର ସାଧନା ପଥରେ ନା ଅଛି କ୍ଳାନ୍ତି ନା ଅଛି
ବିରକ୍ତି । କାରଣ ସେମାନେ ଗତିରେ ହିଁ ବିଶ୍ୱାସ କରନ୍ତି। ‘ଯାତ୍ରା’, ଜୀବନର ଅନ୍ୟତମ ପରିଚୟ ବୋଲି ସେମାନେ ଉପଲବ୍ଧି କରିସାରିବା
ପରେ ଏବେ ଆଉ ସେମାନଙ୍କୁ କୌଣସି ବାଧା ପ୍ରତିହତ କରେ ନାହିଁ । ତେବେ ସେଭଳି ଆତ୍ମାମାନଙ୍କୁ
ଜୀବନର ଆଦର୍ଶ କରିବା ଆସନ୍ତୁ। କାରଣ ସେମାନେ ହିଁ ପରା ଏ ଜାତିର ଭଗୀରଥ......ଜୀବନ-କୋଣାର୍କର
ମୁଣ୍ଡିମରା ଅଭିଯାନରେ ବିଶୁ ପୁଅ ଧରମା । ଥରଟିଏ ସେମାନଙ୍କର ସଫଳ ରାଇଜରେ ବିଚରଣ ପୂର୍ବକ
ସେମାନଙ୍କର ଜୀବନ କାହାଣୀକୁ ପଢ଼ିବା ଆସନ୍ତୁ ନିଜକୁ ସେ କାହାଣୀର ନାୟକ ଭୂମିକାରେ ରଖି ।
Comments
Post a Comment