ପ୍ରତିଶ୍ରୁତିର ପ୍ରଖର ସ୍ରୋତରେ ପ୍ରବାହିତ ପ୍ରମତ୍ତମଣିଷମାନେ ପ୍ରତିଶ୍ରୁତିକୁ ରକ୍ଷା କରି ଜୀବନରେ ପୂର୍ଣ୍ଣତାକୁ ଉପଲବ୍ଧି କରିବାପାଇଁ ସେମାନଙ୍କର ଯେଉଁ ପ୍ରୟାସକୁ ସତତ ଜାରିରଖନ୍ତି, ତାହା ଫଳବତୀ ହେବା କେତେ ଯେ କଷ୍ଟ ତାହା ଜଣେ ଅନୁଭବି ହିଁ ହୃଦୟଙ୍ଗମ କରିପାରେ। ତେଣୁ ତ କୁହାଯାଏ, ପ୍ରତିଶ୍ରୁତି ପ୍ରାପ୍ତିର ଅନ୍ୟନାମ ନୁହଁ ବରଂ ଏହା ସଂଘର୍ଷର ଏକ ଯଜ୍ଞବେଦି । ଆଉ ଏହି ଯଜ୍ଞବେଦିରେ ସାଧନାରତ ସାଧକର ମସ୍ତକ ଉପରେ କର୍ତ୍ତବ୍ୟର ଖଡ୍ଗ ଝୁଲନ୍ତା ଅବସ୍ଥାରେ ବିଦ୍ୟମାନ । ପ୍ରତିଶ୍ରୁତି ପାଳନ ବେଳେ କର୍ତ୍ତବ୍ୟରେ ଅବହେଳା ହେଲେ ଝୁଲନ୍ତା ଖଡ୍ଗଟି ସାଧକର ମସ୍ତକରେ ପତିତ ହୋଇ ତା’ ମୃତ୍ୟୁର କାରଣ ହୁଏ । ତେଣୁ ମୃତ୍ୟୁକୁ ସର୍ବଦା ଅତି ନିକଟରୁ ସନ୍ଦର୍ଶନ କରୁଥିବା ସାଧକଟିଏ ମୃତ୍ୟୁପାଇଁ ଭୟ କରେ ନାହିଁ ବରଂ ଆସନ୍ନମୃତ୍ୟୁର ଆଗମନ ପୂର୍ବରୁ ସେ ନିଜକୁ ସଚେତନ କରି କର୍ତ୍ତବ୍ୟକୁ ଈଶ୍ୱର ବୋଲି ଜ୍ଞାନ କରେ ଓ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରେ । କାରଣ ସେ ଏବେ ବୁଝିସାରିଲାଣି ଯେ କର୍ତ୍ତବ୍ୟ ବିନା ତା ପ୍ରତିଶ୍ରୁତି ଏଠି ‘ଆକାଶର କୟାଁ ଅବା ଚିଲିକାର ମାଛ’। ସାଧକର କର୍ତ୍ତବ୍ୟ ପାଳନ ବେଳେ ମମତା ଅପେକ୍ଷା ନିଷ୍ଠା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେହୁଏ । କାରଣ ମମତାର ସ୍ପର୍ଶ ଦେଇ ସାଧକଟିଏ କର୍ତ୍ତବ୍ୟ ପାଳନ କରିବା ବେଳେ ନିଷ୍ଠା ବେଳେ ବେଳେ ବାଟବଣା ହୁଏ । ତେବେ ନିଷ୍ଠାକୁ ସାଥୀ କରି ସାଧନାର ଯଜ୍ଞବେଦିରେ କର୍ତ୍ତବ୍ୟର କଠୋର ବ୍ରତକୁ ପାଳନ କରିପାରିଲେ ପ୍ରତିଶ୍ରୁତି ପୂର୍ଣ୍ଣ ରୂପ ପାଏ। ଏବଂ ଜୀବନରେ ପୂର୍ଣ୍ଣତାକୁ ଉପଲବ୍ଧି କରିହୁଏ । ତେଣୁ ଆସନ୍ତୁ, ପ୍ରତିଶ୍ରୁତିର ଉପଯୁକ୍ତ ମୂଲ୍ୟଙ୍କନ କରିବା ପାଇଁ କର୍ତ୍ତବ୍ୟର ମହୋଦଧିରେ ପ୍ରତ୍ୟହ ଅବଗାହନ କରି ଏକ ପୂର୍ଣ୍ଣ ଜୀବନକୁ ଉପଲବ୍ଧି କରିବା, କାରଣ ଉପଲବ୍ଧି ଓ କର୍ମ ପ୍ରବଣତା ବିନା ପ୍ରତିଶ୍ରୁତି ମାତୃଗର୍ଭରେ ହିଁ ମୃତ୍ୟୁ ଲଭିଥାଏ । ତେଣୁ ନିଷ୍ପତ୍ତି ଏବେ ଆମ ହାତରେ। ଆମେ ଆମ ପ୍ରତିଶ୍ରୁତିକୁ ପୂର୍ଣ୍ଣତାର ରୂପ ଦେବାପାଇଁ ନିଜକୁ ନିଜେ ଜାଗ୍ରତ କରିବା ନା ନିଦରେ ଶୋଇଯିବା !
Comments
Post a Comment