Stay tuned to my blog - " ପ୍ରେରଣା ପ୍ରଦୀପ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ସମୀକ୍ଷାର ସୋପାନରେ ସ୍ମୃତିର ଚାଙ୍ଗୁଡ଼ିରୁ ସ୍ଵପ୍ରତିଭାକୁ ସନ୍ଧାନ କରୁଥିବା ପ୍ରତିଟି ଦିବ୍ୟାତ୍ମା କସ୍ତୁରୀମୃଗସମ ବେଳେ ବେଳେ ଭ୍ରମିତ ହୁଅନ୍ତି। ସମର୍ପଣର ଅନ୍ତିମ ପାହାଚରେ ଦଣ୍ଡାୟମାନ ହୋଇ ବି ସେମାନେ ହୃଦବୋଧ କରିପାରନ୍ତିନି ସେମାନଙ୍କର ସମର୍ପଣସମ୍ଭୂତା କୃତି ସମ୍ପର୍କରେ ।  ଜୀବନରେ ମିଶାଣ, ଫେଡ଼ାଣ , ଗୁଣନ, ହରଣର ଜଟିଳ ଗାଣିତ୍ୟିକ ସୂତ୍ରର ଭିଡ଼ ମଧ୍ୟରେ ସେମାନେ ନିଜ ଭିତରୁ ଆସୁଥିବା ସୁରଭିତ ବାସ୍ନାକୁ ଖୋଜି ଖୋଜି ନୟାନ୍ତ ହୋଇସାରିବା ପରେ ସେ ଅନାବିଷ୍କୃତକୁ ଆବିଷ୍କାର କରନ୍ତି ନିଜ ଭିତରେ ଜଣେ କେହି ପ୍ରେରଣାଦାତାର ନେତୃତ୍ୱରେ ; ଯାହାକି ସେଦିନ ଘଟିଥିଲା ମହାଭାରତ ଯୁଗର କୁରୁକ୍ଷେତ୍ରରେ । ଅର୍ଜୁନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ଯୁଦ୍ଧବିଦ୍ୟାକୁ ଆବିଷ୍କାର କରି ଶ୍ରୀକୃଷ୍ଣ ଅର୍ଜୁନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଓ ଉଦ୍ଦୀପନାକୁ ଜାଗ୍ରତ କରିଥିଲେ ତାହା ହିଁ ସମ୍ଭବତଃ ଏ ମାନବ ଜାତିକୁ ଏକ ନୂତନ ମୋଡ଼ ପ୍ରଦାନ କରିଥିଲା । ଆଉ ଏ ମାନବ ଜାତି ଅର୍ଜୁନଙ୍କର  ପୁରୁଷାର୍ଥକୁ ସ୍ଵୀକୃତି ପ୍ରଦାନ କରି ମାନବ ଜାତିର ଆଦର୍ଶ ପୁରୁଷ ରୂପେ ପ୍ରମାଣିତ କରିଥିଲା । ଆଉ କୃଷ୍ଣ ଅର୍ଜୁନଙ୍କର କଥୋପକଥନ ଗୀତାବାଣୀ ମାଧ୍ୟମରେ ଯୁଗରୁ ଯୁଗକୁ ଅନୁସରଣ କରିଥିଲା । ତେବେ, ଅଧୁନା ମଣିଷ ମଧ୍ୟରେ ଥିବା ଦିବ୍ୟ ପ୍ରତିଭାକୁ ଏକ ଅନାବିଷ୍କୃତ ଇଲାକାରୁ ଆବିଷ୍କାର କରି ଆଣି ମାନବ ସମାଜର ହିତ ସାଧନ ପାଇଁ ବିନିଯୋଗ କରିବାକୁ ଆଜି କାହିଁକି ଏ ବିଶ୍ୱରେ ଶ୍ରୀକୃଷ୍ଣ ମାନଙ୍କର ଅଭାବ ପରିଲକ୍ଷିତ ହୋଇଛି ? କାହିଁକି ଆଜି ଅଗଣିତ ଅର୍ଜୁନ ଗାଣ୍ଡିବ ଚାଳନା ପାଇଁ ନିଜ ସାମର୍ଥ୍ୟକୁ ନେଇ ସନ୍ଦିହାନ ? ଆସନ୍ତୁ, ତା’ର ତର୍ଜମା କରିବା ଆମେ । କାଳେ, ଆମର ଏ ସମୂହ ଉଦ୍ୟମ ଏ ମାନବ ସମାଜ ପାଇଁ ଅଗଣିତ ଅର୍ଜୁନଙ୍କ ମଧ୍ୟରେ ଭରିଦେବ ଶତସିଂହର ସାହାସ ଓ ଶକ୍ତି ।  ଆଉ ଆମର ଏ ଉଦ୍ୟମ ନିରନ୍ତର ଜାରି ରହିଲେ ସମୟର ପଟ୍ଟଭୂମିରେ ଶ୍ରୀକୃଷ୍ଣମାନେ ଜନ୍ମ ନେବେ ନିଶ୍ଚୟ ପ୍ରେରଣାର ପ୍ରଦୀପ ଧରି, ଯାହାକି ଏ ବିଶ୍ୱକୁ ଆଉ ପାଦେ ଆଗେଇ ନେବ ।  ତା’ ହେଲେ ଆଉ ବିଳମ୍ବ କାହିଁକି ?

Comments