Stay tuned to my blog- " ପ୍ରକାଶ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

  

 ଉଦାସୀ ମନର ଦୂର ଦିଗ୍ ବଳୟରେ ବେଳେ ବେଳେ ଅଦିନିଆ ଅନ୍ଧାରି ବାଦଲ ଉଦାସ ଭାବକୁ ବୃଦ୍ଧି କରିଥାଏ ସତ; ହେଲେ କେଜାଣି କାହାର ବଇଁଶୀସ୍ୱନରେ ସେଠି ଭରିଯାଏ ସ୍ଫୁର୍ତ୍ତିରୂପୀ  ସୂର୍ଯ୍ୟର ପ୍ରକାଶ  । ଉଦାସୀନତା ପାଇଁ ପ୍ରକାଶ ତ ଏକ ମହୌଷଧି । ଉଦାସୀନତା ଏକ ଶବ୍ଦର ନାମ ନୁହଁ ବରଂ ଏହା ତ ମାନବ ପାଇଁ ଅନେକ ଭାବନାର ତଥା ଆତ୍ମବେଦନାର ଯଥାର୍ଥ ଅଭିବ୍ୟକ୍ତିଟିଏ  । ଏହା ତ ସବୁରି ଜୀବନରେ ଆସେ ଢେରସାରା ଅନୁଭୂତିକୁ ନେଇ  । ତେବେ ସେ ଅନୁଭୂତି ଅବ୍ୟକ୍ତ ଓ ଅଦୃଶ୍ୟ ବୋଲି ନା କାହାରିକୁ କହି ହୁଏ ନା କାହାରିକୁ ଦେଖେଇ ହୁଏ  । ତେଣୁ ତ ସେ ଉଦାସଭାବ କ୍ରମେ କ୍ଲେଶରେ  ପରିବର୍ତ୍ତିତ ହୁଏ ଓ କ୍ରମେ ପରିବର୍ଦ୍ଧିତ ବି ହୁଏ  । ହେଲେ କିନ୍ତୁ , ସ୍ଫୁର୍ତ୍ତିରୂପୀ ସୂର୍ଯ୍ୟର ପ୍ରକାଶ ଏ ପରିବର୍ତ୍ତିତ ଓ ପରିବର୍ଦ୍ଧିତ କ୍ଲେଶକୁ ତା' ପ୍ରକାଶର ଦିବ୍ୟତାରେ ଆଗକୁ ବଢିବାକୁ ଦିଏ ନାହିଁ  । କାରଣ ଉଦାସ ଭାବ ମଣିଷର ମନବୃନ୍ଦାବନକୁ ପାଉଁଶ ତଳର ଅଗ୍ନିସ୍ଫୁଲିଙ୍ଗ ଭଳି ଜାଳିପୋଡି ଧ୍ୱଂସ କରିଦିଏ  । ତେଣୁ ତ ଉଦାସୀ ମଣିଷଟିଏ ପାଇଁ ପ୍ରକାଶ ସର୍ବଦା ମହୌଷଧି  ଭଳି କାର୍ଯ୍ୟ କରେ । ଆଉ ଏ ସୂର୍ଯ୍ୟର ପ୍ରକାଶକୁ ଅନୁଭବ କରିବାକୁ ହେଲେ ନିବୁଜ କୋଠରୀର ଚାରିକାନ୍ଥ ମଧ୍ୟରୁ ବାହାରି ଆସିବାକୁ ହେବ  । ଏକ ଗ୍ରାମ୍ୟ ବାଳିକାର ସରଳ ସ୍ୱପ୍ନୋତ୍ସଳା ଆନ୍ତରିକତାକୁ ନେଇ ମିଶିଯିବାକୁ ହେବ ସାଧାରଣ ଜନତାଙ୍କର ମହାସ୍ରୋତରେ  । ସାମନ୍ତବାଦର ମୁକୁଟକୁ ଓହ୍ଲେଇଦେଇ ମଜଦୁରର ପଗଡ଼ିକୁ ପିନ୍ଧିବାକୁ ହେବ  । ଏକ ଯୌବନୋତ୍ସଳା ନଦୀର ନୀଳାୟିତ ତରଙ୍ଗ ହୋଇ ପ୍ରତିଟି ଆଗନ୍ତୁକକୁ ନିଃସର୍ତ୍ତରେ ସ୍ୱାଗତ କରିବାକୁ ହେବ  । ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ନୀରବ ପ୍ରବୃତ୍ତି ଓ ଉନ୍ମତ ନିବିଡ଼ତାକୁ ସାଥି କରିବାକୁ ହେବ । ନଚେତ୍ ସ୍ଫୁର୍ତ୍ତିରୂପୀ ସୂର୍ଯ୍ୟର ପ୍ରକାଶ ଘୁଞ୍ଚି ଘୁଞ୍ଚି ଯିବ ନୀଳ ଆକାଶ ଭଳି -ନା ତାକୁ ଛୁଇଁ ହେବ ନା ତାକୁ ଦେଖିହେବ  । ଏକ ଅଦୃଶ୍ୟସତ୍ତା ଅବା ଏକ ପରୀସମ ସେ ଦୂରରୁ ହାତ ଠାରି ଡାକୁ ଥିବ ମରୁଯାତ୍ରୀକୁ ମରୁ ଉଦ୍ୟାନ ଡାକିବା ଭଳି  । ତେଣୁ ଆସନ୍ତୁ, ଉଦାସୀନତାକୁ ପରିତ୍ୟାଗ କରି ପ୍ରକାଶକୁ ଆପଣେଇ ନେବା  ।

   

Comments