ଅନ୍ତର୍ଦାହର ଅନନ୍ତ ଯାତ୍ରା ପଥରେ ଏବେ ଅସୁମାରି ଶବ୍ଦଚାଙ୍ଗୁଡ଼ିଙ୍କର ଭିଡ଼ । ପ୍ରତିଟି ହୃଦୟସ୍ପର୍ଶୀ ଭାବନାର ପ୍ରତିଫଳନ ସେଠି ଲହଡ଼ି ଭାଙ୍ଗୁଛି ଏବେ ନିରନ୍ତର । ତୋଳି ଆଣିବାକୁ ହେବ ସେ ପୃଷ୍ଠଭୂମିରୁ ତରଙ୍ଗାୟିତ ଭାବନାର ପ୍ରତିଟି ଢେଉକୁ । ଏବେ ଭୂମିରୁ ଭୂମା ଯାଏ ଅନ୍ତର୍ଦାହର ଶିଖା ପରିବ୍ୟାପ୍ତ । ଶବ୍ଦମାନଙ୍କର ପ୍ରତିଧ୍ୱନିରେ ଏବେ ତା' ତନୁ-ମନ ଅନୁରଣିତ । ଶବ୍ଦ ବିନା ଏବେ ଅନ୍ତର୍ଦାହର ଆଉ କ'ଣ ଅଛି ଯେ ସେ ତାକୁ ନେଇ ତ୍ୱରାନ୍ୱିତ ହେବ ? ତେଣୁ ଶବ୍ଦ ପାଲିଙ୍କିରେ ଏବେ ସେ ତା ' ଆକାଶ ସାରା ଘୂରି ବୁଲେ କିଛି ପ୍ରାପ୍ତି ଆଶାରେ । ସେ ଅତୃପ୍ତ ନୁହଁ ତଥାପି ଖୋଜୁଛି କେଜାଣି କ’ଣ ? କାରଣ ଖୋଜିବାରେ ହିଁ ତ ଦିବ୍ୟାନନ୍ଦ ଥାଏ । ଆଉ ଏ ଖୋଜିବା ପ୍ରକ୍ରିୟା ଥମିଗଲେ ପ୍ରକୃତି ବି ନୀରବି ଯିବ । ତା' ଚଳଚଞ୍ଚଳତା ଆଉ ପ୍ରଲୁବ୍ଧ କରିବନି ଦର୍ଶକଙ୍କୁ । ପ୍ରକୃତିର ଚଳଚଞ୍ଚଳତା ପୁରୁଷକୁ ତା' ପୁରୁଷାର୍ଥକୁ ପ୍ରମାଣିତ କରିବା ପାଇଁ ପ୍ରେରିତ କରେ ବୋଲି ଏଠି ପୁରୁଷଟିଏ ଗତିଶୀଳ । ତେଣୁ ତ କୁହାଯାଏ -"ବୀରଭୋଗ୍ୟା ବସୁନ୍ଧରା " । ତା'ହେଲେ ଅନ୍ତର୍ଦାହର ପୃଷ୍ଠଭୂମିରେ ପ୍ରତିଟି ଅତୃପ୍ତ ଆତ୍ମା ତୃପ୍ତିର ମଧୁଫେଣା ସନ୍ଧାନ କଲାବେଳେ ମଧୁମକ୍ଷିକାମାନଙ୍କର ଜୀବନ ବ୍ୟାପି କଷ୍ଟଲବ୍ଧ ସଞ୍ଚୟକୁ ସମ୍ମାନ ଦେଇ ପାରିଲେ ହିଁ ମାନବ ସମାଜ ସମୃଦ୍ଧିର ସୂର୍ଯ୍ୟାଲୋକରେ ଆଲୋକିତ ହେବ । ଅନ୍ୟଥା ଅନ୍ଧକାରର ଏକ ମହାଚ୍ଛନ୍ନ ଆବେଶ ମଧ୍ୟରେ ଏ ସଭ୍ୟତା ଲୀନ ହେଇଯିବ । ଅର୍ନ୍ତଦାହର ଆକାଶରେ ଚିକ୍-ମିକ୍ କରୁଥିବା ତାରାଫୁଲସବୁ ଏ ବିଶ୍ୱକୁ ଏମିତି ସେମାନଙ୍କର କ୍ଷୀଣ ଆଲୁଅରେ ଆଲୋକିତ କରି ଚାଲିଥାନ୍ତୁ -ଏତିକି ହିଁ କାମନା । ଅର୍ନ୍ତଦାହର ପୃଷ୍ଠଭୂମିରେ ପ୍ରଗତିର ଧ୍ଵଜା ଧାରଣ କରି ଆମ ଯୁବପ୍ରତିଭାଗଣ ଗତିଶୀଳ ନ ହେଲେ ସେମାନଙ୍କର ବୌଦ୍ଧିକ ବଳୟ ମଧ୍ୟରେ ଆମ ପ୍ରତିଭାମାନଙ୍କୁ ବିଚରଣ କରିବାର ଅପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା କେମିତି ? କାରଣ ସେମାନେ ହିଁ ପରା ଏ ନିର୍ମାଣ ପ୍ରକ୍ରିୟାର ମୁଖ୍ୟ କର୍ଣ୍ଣଧାର, ପୁରୋଧା ଏବଂ ପୁରୋହିତ ବି ।

Comments
Post a Comment