ସମର୍ପଣର ଦୁଆରରେ ଦଣ୍ଡାୟମାନ ପ୍ରତିଟି ସଂଘର୍ଷରତ ଆତ୍ମା ସ୍ଵଶରୀରରୁ କ୍ରମାଗତ ନିର୍ଗତ ହେଉଥିବା ରୁଧିର ବିନ୍ଦୁକୁ ସନ୍ଦର୍ଶନ କରି ଧୈର୍ଯ୍ୟହରା ହୁଅନ୍ତିନି କେବେ। କାରଣ ସେମାନେ ତ ଏକ ଅସରନ୍ତି ଶକ୍ତି ବଳୟରୁ ଶମ୍ଭୁତ । ଆଉ ସେମାନଙ୍କର ଶକ୍ତି ପ୍ରବାହ ହିଁ ଏ ବିଶ୍ୱକୁ ଗତିଶୀଳ କରେ । ବନାନୀକୁ ସବୁଜିମାରେ ଭରିଦିଏ । ସୁପ୍ତ ଜୀବନରେ ଚଞ୍ଚଳତା ଭରିଦିଏ । ଫୁଲର ମୁଲାୟମ ପାଖୁଡ଼ାରେ ମମତାର ସ୍ପର୍ଶ ଦିଏ । କାରଣ ସେମାନେ ଏବେ ହୃଦୟଙ୍ଗମ କରିସାରିଲେଣି ଯେ, ଝରଣାର ଗତିପଥରେ ପାହଡ଼ଟିଏ ଠିଆ ହେଲେ ବି ସାଧନା ଓ ସମର୍ପଣଭାବ ସେ ପାହାଡ଼ର କଠିନ ଶଯ୍ୟାକୁ ତରଳାଇ ଦେଇପାରେ । ଅବଶ୍ୟ ଅକାରଣରେ ମଉଳିଯିବା ଏ ଦୁନିଆରେ କିଛି ନୂତନତ୍ଵ ନୁହଁ ; ତଥାପି ମଉଳା ପାଖୁଡ଼ାର ସମାଧି ଭିତରୁ ବି ସମ୍ଭାବନା ଜନ୍ମ ନେଇପାରେ । ପ୍ରତିଟି ଧ୍ଵଂସ ପରେ ତ ଅନ୍ୟ ଏକ ସର୍ଜନା ଏଠି ଅନିର୍ବାର୍ଯ୍ୟ । ତେଣୁ ତ ସୂର୍ଯ୍ୟ ବୁଡ଼ିଯିବା ପରେ ବି ଆଗାମୀ ସୂର୍ଯ୍ୟୋଦୟର ପ୍ରତୀକ୍ଷାରେ ଏ ମଣିଷ ରାତ୍ରୀର ଅନ୍ଧାରରେ ଅବିରତ ସଂଘର୍ଷକୁ ଭୁଲିଯାଏ । ବିସ୍ମୃତି ଯଦି ଆନନ୍ଦର ଅନ୍ୟ ନାମ ହୁଏ, ତେବେ ବି ସ୍ମୃତି ବଳୟରେ ନିଜ ଠିକଣାକୁ ପୁନଃ ଖୋଜିଲେ କ୍ଷତି କ'ଣ ? ତେଣୁ ହେ ମୋର ଆଲୋକ ସନ୍ଧାନୀ ଗଣ, କେଉଁ ଏକ ଅତୃପ୍ତ କୀଟର ଦଂଶନରେ ଜୀବନର ଦୀପ୍ତିମନ୍ତ ଶିଖାକୁ ନିର୍ବାପିତ ହେବାକୁ ଦିଅ ନାହିଁ । ପ୍ରତିଟି ଦଂଶନର ଉପସମ ପାଇଁ ଏ ପ୍ରକୃତି ବକ୍ଷରେ ମଲମର ଅଭାବ ତ ନାହିଁ। କେବଳ ଆବଶ୍ୟକ ସନ୍ଧାନୀ ମନଟିଏ । ଆଉ ଇଚ୍ଛାଶକ୍ତି ପ୍ରବଳ ହେଲେ ସନ୍ଧାନୀ ମନଟିଏ ପାଇଁ ପ୍ରତିଟି ଅସମ୍ଭବ ସମ୍ଭାବନାର ଅର୍ଘ୍ୟଥାଳି ଧରି ସମର୍ପଣର ଦ୍ଵାରଦେଶରେ ସ୍ଵତଃ ଉଭା ହୁଏ । ଆଉ ସେ ଅର୍ଘ୍ୟଥାଳରୁ ଉଦ୍ଭବ ଦୀପ୍ତିମନ୍ତ ଊର୍ଜା ଏ ବିଶ୍ୱକୁ ଆଲୋକିତ କରେ । ସେ ଆଲୁଅର ମହାପ୍ଳାବନରେ ଅତୃପ୍ତ କୀଟ ଦଂଶନରେ ନିଷ୍ପ୍ରଭ ହୋଇ ଆସୁଥିବା ଜୀବନ-ଦୀପ ପୁନଃ ପ୍ରଜ୍ଜ୍ଵଳିତ ହୋଇ ପୂର୍ବାପେକ୍ଷା ଅଧିକ ଦୀପ୍ତିମନ୍ତ ହୁଏ । ଆଉ ପରିଶେଷରେ ସେ ଦୀପ୍ତିର ଦିବ୍ୟଛୁଆଁରେ ଅତୃପ୍ତ କୀଟଟି ରୂପାନ୍ତରିତ ହୁଏ ସାଧବ ବୋହୂଟିଏ ରୂପାନ୍ତରଣ ପ୍ରକ୍ରିୟାରୁ ଜନ୍ମନେବା ଭଳି । ତେବେ ସେ ପ୍ରତିକ୍ଷିତ ମୁହୂର୍ତ୍ତମାନଙ୍କୁ ଆପଣେଇ ନେବା ପାଇଁ ଧୈର୍ଯ୍ୟର ଚୌକାଠ ମଧ୍ୟରେ ପ୍ରତୀକ୍ଷା କରିବା ଆସନ୍ତୁ ।
Comments
Post a Comment