Stay tuned to my blog - " କ୍ଳାନ୍ତି ଆଉ କେତେଦୂର" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

   ଏକ କ୍ଳାନ୍ତ ମାନସିକତାକୁ ନେଇ ପ୍ରତି ମୁହୂର୍ତ୍ତରେ ନିଜ ସହ ସାଲିସ କରି ଚାଲିଥିବା ପ୍ରତିଟି ମଣିଷ ବେଳେ ବେଳେ ନିରାଶାର ବାଲିଝ୍ଡ଼ ମଧ୍ୟରେ ନିଜ ଠିକଣାକୁ ହଜେଇ ଦିଅନ୍ତି।  ତେବେ ଏଭଳି ମଣିଷମାନଙ୍କର ମାନସିକ ଅବସାଦକୁ ପ୍ରଶମିତ କରିବା ପାଇଁ ସାମ୍ପ୍ରତିକ ସମାଜରେ ଯେଉଁ ସଚେତନତାର ଆବଶ୍ୟକତା ରହିଛି, ତାହା ଆଜି ବିପର୍ଯ୍ୟସ୍ତ ।  ଏଭଳି ସ୍ଥିତିର ମୁକାବିଲା କରିବାକୁ ହେଲେ ମଣିଷର କ୍ଳାନ୍ତ ଓଠରେ ହସର ଜୁଆରକୁ ସୃଷ୍ଟି କରିବାକୁ ହେବ।  କାରଣ ହର୍ଷୋତଫୁଲ୍ଲିତ ମୁଖମଣ୍ଡଳ ହିଁ ଅବସାଦ ଓ କ୍ଳାନ୍ତି ଦୂରୀକରଣର ମହୌଷଧି । ତେଣୁ ଏ ମହୌଷଧିକୁ ଅକୁଣ୍ଠରେ ବିତରଣ କରି  ସମାଜରୁ ଅବ୍ୟକ୍ତ ଅବସାଦ ଓ କ୍ଳାନ୍ତିକୁ ଦୂରୀଭୂତ କରିପାରିଲେ ହିଁ ସମାଜର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇପାରିବ । ଏ ଦିବ୍ୟ ମହୌଷଧି ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଈଶ୍ଵରଙ୍କର ସୃଷ୍ଟିରେ ଉପଲବ୍ଧ । ତେଣୁ ସେ ମହୌଷଧିର ସତ୍ ବିନିଯୋଗ କରିବା ଆସନ୍ତୁ । ଏ କ୍ଷେତ୍ରରେ ଆମ୍ଭମାନଙ୍କର ସାମାନ୍ୟ ଯୋଗଦାନ ଏ ପ୍ରକ୍ରିୟାକୁ ବିଶ୍ଵପ୍ରସାରି କରିବ ନିଶ୍ଚୟ । ଅନ୍ୟ ପକ୍ଷରେ ଏ କର୍ତ୍ତବ୍ୟ ପାଳନରେ ସାମାନ୍ୟ ଅବହେଳା ବିଶ୍ଵ- ସମୁଦାୟଙ୍କ ମୁଖ ମଣ୍ଡଳରୁ ଆନନ୍ଦକୁ ଛଡାଇ ନେଇ ସେମାନଙ୍କୁ  କ୍ଳାନ୍ତିର ଏକ ମହାଚ୍ଛନ୍ନ ଆବେଶ ମଧ୍ୟରେ ନିକ୍ଷେପ କରିଦେବ । ତେଣୁ ଆସନ୍ତୁ, ପ୍ରତିଟି ମୁଖ ମଣ୍ଡଳରେ ସେ ଦିବ୍ୟାନନ୍ଦକୁ ଭରିଦେବାପାଇଁ ସ୍ମିତହାସ୍ୟ ଦେଇ ସମସ୍ତଙ୍କୁ ଆମେ ସ୍ଵାଗତ କରିବା ଏ ପିଣ୍ଡରେ ପ୍ରାଣ ଥିବାଯାଏ । କାରଣ ଆମେ ପରା ସେ ଦିବ୍ୟ ଐଶୀସତ୍ତାର ଗୋଟିଏ ଗୋଟିଏ ଅଂଶ ବିଶେଷ ; ଆଉ ଆମ୍ଭମାନଙ୍କ ମଧ୍ୟରେ ଏକ ଦିବ୍ୟ ବନ୍ଧନ ଆଜି ବି ଆମକୁ ଗୋଟିଏ ପଟ୍ଟଭୂମିରେ ଭାଇଚାରାର ସନ୍ଦେଶ ପ୍ରଦାନ କରି ଚାଲିଛି। ସେ ସନ୍ଦେଶ ଅଦୃଶ୍ୟ ସତ ଅଥଚ ନିରନ୍ତର ପ୍ରବାହିତ; ଆଉ ସେ ପ୍ରବାହର ସ୍ରୋତରେ ଆମେ ଭାଷମାନ ଏଠି ଯୁଗରୁ ଯୁଗକୁ । ସେ ପ୍ରବାହର ଦିବ୍ୟବାସ୍ନା ଏଠି ପ୍ରତିପ୍ରାଣକୁ ଆହ୍ଲାଦିତ କରିଥାଏ ପ୍ରତି ମୁହୂର୍ତ୍ତରେ । ତା’ ହେଲେ ଆସନ୍ତୁ , ଆମର ସେ ଦିବ୍ୟଗୁଣର ସଦୁପଯୋଗ କରିବା ନଚେତ୍ କ୍ଳାନ୍ତି ଆମର ଚିର ସହଚର ହୋଇ ରହିଥିବ ।

Comments