ସ୍ଵପ୍ନକୁ ଫଳବତୀ କରିବାର ପ୍ରତିଟି ସୋପାନକୁ ଅତିକ୍ରମ କରିବାକୁ ହେଲେ ସଂଘର୍ଷ ଓ ସ୍ଵାଭିମାନ ସର୍ବଦା ଏକତ୍ର ଗତିଶୀଳ ହେବା ବାଞ୍ଛନୀୟ । ସେମାନେ ସର୍ବଦା ଯମଜ ସନ୍ତାନ ଭଳି ଅଥବା ଯୁଗ୍ମବୃନ୍ତ ଭଳି ସମୃଦ୍ଧିକୁ ଆପଣେଇ ନିଅନ୍ତି । ଶକ୍ତିର ସମସ୍ତ ଉତ୍ସକୁ ସାଉଁଟି ଆଣି ସେମାନେ ଯେତେବେଳେ ସ୍ଵପ୍ନମାନଙ୍କୁ ସଫଳତାର ବନ୍ଧନରେ ଛନ୍ଦି ଦିଅନ୍ତି, ସେତେବେଳେ ସୃଷ୍ଟିର ସମସ୍ତ ସମ୍ଭାବନା ସତେ ଯେମିତି ଲହଡ଼ି ଭାଙ୍ଗେ ସେମାନଙ୍କ ଚତୁଃପାର୍ଶ୍ଵରେ । ସଂଘର୍ଷ, ସ୍ଵାଭିମାନ, ସ୍ଵପ୍ନ ଓ ସମ୍ଭାବନାର ସୁରକ୍ଷା ବଳୟ ମଧ୍ୟରେ ଆତ୍ମ-ଚେତନାକୁ କର୍ଷଣ କରୁଥିବା ପ୍ରତିଟି ଆତ୍ମା ଏ ବିଶ୍ଵର ବିସ୍ତୀର୍ଣ୍ଣ ଅଗଣାରେ ବାଟବଣା ହୁଅନ୍ତିନି କେବେ । କାରଣ ବିବେକରୂପୀ ଦିଗବାରେଣୀ ଯନ୍ତ୍ରକୁ ପାଥେୟ କରି ସେମାନେ ରାସ୍ତା ଚାଲନ୍ତି ସର୍ବଦା । ଅନ୍ଧାରରେ ହେଉ ଅବା ଆଲୁଅରେ ହେଉ ଆତ୍ମାମାନଙ୍କୁ ତ ଏଠି ଗତି କରିବାକୁ ହିଁ ହେବ । କାରଣ ଗତି ହିଁ ଜୀବନର ଅନ୍ୟନାମ । ସ୍ଥାଣୁତ୍ଵ ତ ମୃତ୍ୟୁର ପଦଧ୍ୱନିକୁ ଶୁଣାଇଥାଏ ସର୍ବଦା । ତେବେ ଏ ପରିପ୍ରେକ୍ଷୀରେ ଜୀବନରେ ଗତିଶୀଳତାକୁ ସାଥୀ କଲେ କ୍ଷତି କ'ଣ ? ତେଣୁ ଆସନ୍ତୁ, ସମ୍ଭାବନାର ସୁରକ୍ଷା ବଳୟ ମଧ୍ୟରେ ସ୍ଵପ୍ନକୁ ସାଉଁଟିବା । ଆଉ ସେହି ସାଉଁଟା ସ୍ଵପ୍ନମାନଙ୍କୁ ପାହାନ୍ତି ଆକାଶର ସିନ୍ଦୂରିତ ଦିଗବଳୟ ମଧ୍ୟରେ ହଜେଇ ନଦେଇ ସୂର୍ଯ୍ୟାଲୋକରେ ସବୁରି ସମ୍ମୁଖରେ ବାସ୍ତବ ରୂପ ଦେବା । ତେବେ ସ୍ଵପ୍ନମାନଙ୍କୁ ବାସ୍ତବତାର କାନଭାସ୍ ଉପରେ ଆଙ୍କିବା ପାଇଁ କ'ଣ ଆବଶ୍ୟକ ଜାଣନ୍ତି ? ଏଥିପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ସାହସ । କାରଣ ଧୈର୍ଯ୍ୟ ଓ ସାହସ ବିନା ପ୍ରତିଟି ସଫଳତାର ସୋପାନ ଏକ କଣ୍ଟକଶଯ୍ୟା ଭଳି ମନେହୁଏ । ଆଉ ସେ ଶଯ୍ୟା ଉପରେ ନିଜକୁ ପରୀକ୍ଷା କରିବାବେଳେ ମଣିଷ ଥମିଯାଏ ଓ ବରଫର ଶୀତଳତା ତା’ ଉପରକୁ ମାଡ଼ିଆସେ । ତେଣୁ ଆସନ୍ତୁ, ଅନେକ ଅତୃପ୍ତ ମୁହୂର୍ତ୍ତକୁ ତୃପ୍ତ କରିବାକୁ ଆମେ ପ୍ରଚେଷ୍ଟା କରିବା । ଆମେ ପଛରେ ଛାଡି ଆସିଥିବା ପ୍ରତିଟି ବିଫଳତାର ଫର୍ଦ୍ଦକୁ ପୁନଃ ଅବଲୋକନ କରି ଆମ ତ୍ରୁଟିକୁ ସଂଶୋଧନ କରିବା । କାରଣ ଆମେ ପରା ଏ ସୃଷ୍ଟିର ଶ୍ରେଷ୍ଠ ଜୀବ। ତ୍ରୁଟିକୁ ସଂଶୋଧନ କରି ଆମେ ତ୍ୱରାନ୍ୱିତ ନହେଲେ ଏ ବିଶ୍ୱ ସମୁଦାୟକୁ ଆମେ କ'ଣ ଦେବା ? ଆମେ ପରା ଗାଣ୍ଡିବଧାରୀ ଅର୍ଜୁନଙ୍କ ଉତ୍ତରପିଢ଼ି ! ଆମରି ଅବଦାନ ସିନା ଏ ସୃଷ୍ଟିର ସମ୍ପଦ ।
Comments
Post a Comment