ସଂମ୍ଭ୍ରମତାର ପଦ୍ମ ପାଖୁଡ଼ାକୁ ଜୀବନର ଆଦର୍ଶ କରି ଯେଉଁ ଦିବ୍ୟାତ୍ମାଗଣ ଜୀବନ-ପଥକୁ ଅତିକ୍ରମ କରିବାର ଭୀଷ୍ମ ଶପଥ ଗ୍ରହଣ କରନ୍ତି, ସେମାନଙ୍କର ଜୀବନର ଯାତ୍ରାପଥ ସ୍ଵଂତଃ ପ୍ରକ୍ରିୟାରେ ପୁଷ୍ପିତ ହୋଇଥାଏ । ସେମାନେ ବୁଝିପାରନ୍ତି ଯେ ସତ୍ୟର ବିକଳ୍ପ ନାହିଁ । ଏହା ପରିବର୍ତ୍ତନଶୀଳ ନୁହଁ । ମନ-ଉଦ୍ୟାନରେ ଜୀବନର ଆଦ୍ୟସୋପାନରେ ଯାହା ଥରେ ରୋପିତ ହୁଏ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରିଥାଏ । ତେଣୁ ଏକ ସକାରାତ୍ମକ ଚିନ୍ତନର ଚାରାକୁ ସତ୍ୟରୂପି କୁଣ୍ଡ ମଧ୍ୟରେ ରୋପଣ କରିପାରିଲେ ମଣିଷର ସମଗ୍ର ଜୀବନ ମଧୁମୟ ହୁଏ । ଆଉ ଏ ମଧୁମୟ ପଥରେ ଯାତ୍ରା କରି ସେମାନେ ଏ ଜଗତ ପାଇଁ ଐଶୀ ଆଶିଷ କାମନା କରନ୍ତି। ଫଳତଃ, ଏ ଜଗତର ଯାତ୍ରା ପଥରୁ ସମସ୍ତ ବିପରୀତ ଦୁଃଶକ୍ତି ସେ ମଧୁସ୍ପର୍ଶରେ ସ୍ଵତଃ ଶୋଧିତ ହୋଇଯାଏ। ଏ ଶୋଧନ ପ୍ରକ୍ରିୟା ନିରନ୍ତର ଜାରି ରହିଲେ ଏ ବିଶ୍ଵ ମଧୁସିକ୍ତ ହୋଇ ଏଠାରେ ସ୍ୱର୍ଗସୁଖ ଅନୁଭୂତ ହୁଏ। ସ୍ଵର୍ଗର ପାରିଜାତ ପୁଷ୍ପରେ ଏ ବିଶ୍ଵପୃଷ୍ଠ ସଭିଙ୍କୁ ଆହ୍ଲାଦିତ କରେ । ପୁନଶ୍ଚ, ଏ ଆହ୍ଲାଦ ସ୍ଥିତି ମଧ୍ୟରୁ ଏକ ଦିବ୍ୟ ଚେତନା ଉଦଭବ ହୋଇ ସେ ଚେତନାର ଦିବ୍ୟ ଊର୍ଜା ଦିଗନ୍ତ ବିସ୍ତାରି ହୁଏ। ସେ ମହାଚେତନାର ଦିବ୍ୟ ପ୍ରବାହରେ ମଣିଷ ସମାଜ ତଲ୍ଲିନ ହୋଇ ଦିବ୍ୟ ଗୁଣାବଳୀରେ ବିଭୂଷିତ ହୁଏ ଏବଂ ପରିଶେଷରେ ଏ ବିଶ୍ୱପୃଷ୍ଠ ଅଗଣିତ ଦିବ୍ୟାତ୍ମାଙ୍କର ବିହାର ସ୍ଥଳରେ ପରିଗଣିତ ହୁଏ । ତେବେ ଏଭଳି ଉଦ୍ୟମକୁ ଜାରି ରଖି ଊର୍ଦ୍ଧ୍ଵମୁଖୀ ହେଲେ କ୍ଷତି କ'ଣ ? ସତ୍ୟ ଅପରିବର୍ତ୍ତିତ ବୋଲି ତ ଏହା ଅସମ୍ଭବ ମନେ ହୁଏ ନାହିଁ। ଆଉ ଏ ବିଶ୍ବ ପୃଷ୍ଠରେ ମାନବ ହିଁ ଏକମାତ୍ର ପ୍ରାଣୀ ଯିଏ କି ଏହାକୁ ଅନୁଭବ କରିପାରେ। ତେଣୁ ଆସନ୍ତୁ, ଅତୀତରେ ଅବଲୁପ୍ତ ହୋଇସାରିଥିବା ଏ ମାନବୀୟ ଗୁଣାବଳୀକୁ ପୁନଃଉଦ୍ଧାର କରି ଏ ବିଶ୍ୱକୁ ପୁନଃ ସକାରାତ୍ମକ ଚିନ୍ତନ ଦ୍ଵାରା ରୁଦ୍ଧିମନ୍ତ କରିବା ପାଇଁ ବ୍ରତିହେବା । କାରଣ ଆମେ ସମସ୍ତେ ପରା ଜଣେ ଜଣେ ଦେବବ୍ରତ । ଆମକୁ ପୁନଃ ସ୍ଵର୍ଗଧାମକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ ସାନ୍ତନୁଙ୍କ ପୂର୍ବଜ ଇକ୍ଷ୍ୱାକୁବଂଶୀ ମହାଭୀଷଙ୍କ ଭଳି ।
|
|
|
Comments
Post a Comment