ସମୟର ଗତି ନିରନ୍ତର ଏଠି । ପ୍ରଗତିର ସୋପାନକୁ ନିରବଚ୍ଛିନ୍ନ ଭାବେ ସନ୍ତର୍ପଣରେ ଅତିକ୍ରମ କରି ଏହା ପ୍ରବାହମାନ। ପ୍ରତିଟି ଆତ୍ମାର ସ୍ଵାଭିମାନକୁ ସଯତ୍ନରେ ତଥା ସସ୍ନେହରେ ତା’ ନିରନ୍ତର ସ୍ରୋତରେ ପ୍ରବାହିତ କରାଇ ସେ ପ୍ରତିଟି
ଜୀବନକୁ ତରଙ୍ଗାୟିତ କରିଥାଏ। ସମୟର ଢେଉରୁ ସେ ତରଙ୍ଗକୁ ତୋଳିଆଣି
ଯେଉଁ ଏକନିଷ୍ଠ ସାଧକଗଣ ସେ ତରଙ୍ଗାୟିତ ସ୍ୱାଭିମାନର ସଦୁପଯୋଗ କରିପାରନ୍ତି,
ସେମାନଙ୍କ ଜୀବନ
ମଧୁମୟ ହୁଏ ଏବଂ ସମୃଦ୍ଧିରେ ଭରିଯାଏ । ସମୀରଣର ମୃଦୁ ହିଲ୍ଲୋଳରେ ଦୋଳାୟମାନ ସମୟରେଖା କ୍ଷଣିକ ବତାସୀ ଝଡ଼ର ଆହବରେ ଦୋହଲି ଯାଏନା ବରଂ ସ୍ଥିତପ୍ରଜ୍ଞ ମହର୍ଷିଟେ ଭଳି ବତାସୀ ଝଡ଼କୁ ସାନ୍ତ୍ଵନା ଦେଇଚାଲେ ଧୈର୍ଯ୍ୟଶୀଳା ହେବାପାଇଁ । ବତାସୀ ଝଡ଼ର କ୍ଷଣିକ କ୍ରୋଧ ବିଶ୍ଵପୃଷ୍ଠରେ ସାମୁହିକ କ୍ଷତିସାଧନ କରେ ସତ ; ହେଲେ ସେ କ୍ଷତିର ପୁନଃଭରଣା ସମୟ ବୁକୁରେ କରାଯାଇପାରେ ବୋଲି ସମୟ ବାରମ୍ବାର ଚେତାବନୀ
ଦେଇଥାଏ। ସମୟ ସୂଚକ ଫଳକଟିଏ କୌଣସି କାରଣରୁ କାର୍ଯ୍ୟକ୍ଷମ ହୋଇନପାରିଲେ ବି ସମୟ ତା’ ଗତି ପଥରେ ନିରନ୍ତର ଗତିଶୀଳ ହୁଏ । ତେଣୁ ଏଥିରୁ ବୁଝିବାକୁ ହେବ ଯେ ସମୟ ଓ ସ୍ରୋତ କାହାରିକୁ ପ୍ରତୀକ୍ଷା କରନ୍ତି ନାହିଁ । କାରଣ ସେମାନେ ପ୍ରତୀକ୍ଷା କରିବାର ଅର୍ଥ ହେଲା ସଭ୍ୟତାର ବିଲୀନତା । ତେଣୁ ଆସନ୍ତୁ, ନିରନ୍ତର ପ୍ରବାହମାନ ସମୟର ସଦୁପଯୋଗ କରି ଏ ମାନବ ସଭ୍ୟତାକୁ
ଚିରଯୌବନା କରି ଗଢିତୋଳିବା । କାରଣ ସମୟର ଅଗଣାରେ ଆମେ ସମସ୍ତେ ଜଣେ ଜଣେ
ବିଷୁମହାରଣା ଅଥବା ଧରମା। ଆମ ସଭ୍ୟତା ରୂପୀ କୋଣାର୍କର ନିର୍ମାଣ ଏବଂ ମୁଣ୍ଡିମରା ଦାୟିତ୍ଵ ଆମରି ମୁଣ୍ଡ ଉପରେ ଏବେ।
ଆମେ ନିଦ୍ରା ବିଜଡ଼ିତ ହେଲେ ସମୟ ଆମ ସାହାସ ଓ ଶକ୍ତିକୁ ଭସାଇ ନେଇଯିବ ବେଠିକଣା ଭାବେ ଏବଂ ଆମ
ଉପରେ ଅକାଳ ବାର୍ଦ୍ଧକ୍ୟ ଅନାୟାସରେ ରାଜୁତି କରିବ। ଆଉ ସେତେବେଳେ ବିଗତ ସମୟର ମୁହୂର୍ତ୍ତମାନଙ୍କୁ ମୂଲ୍ୟାଙ୍କନ ନ କରିପାରି ଆମେ ସମୟ
ଅଗଣାରେ ଅନୁଶୋଚନାର ଲେଲିହାନ ଶିଖାରେ ଦଗ୍ଧିଭୂତ ହେଉଥିବା । ତେଣୁ ଆସନ୍ତୁ, ସେ ବିଷମୟ
ବିଷାଦ ମୁହୂର୍ତ୍ତମାନେ ଆମକୁ ବିଷଜ୍ୱାଳାରେ ଛଟପଟ କରିବା ଆଗରୁ
ଆମେ ଜାଗ୍ରତ ହେବା ଆମ ସୁନେଲି ଭବିଷ୍ୟତ ପାଇଁ ।
Comments
Post a Comment