Stay tuned to my blog - " ମୁକସାକ୍ଷୀ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ବାସ୍ତବତାର ଅନୁଭୂତିକୁ କାହିଁକି କେଜାଣି ଏ ମଣିଷ ଭୁଲିଯାଏ ବେଳେବେଳେ  । ଭୁଲିଯାଏ ପୁଣି ତା’ ଭିତରେ ଥିବା ଅବତାରୀ ଅଂଶକୁ । ଏଠି ଏ ବିଶ୍ଵ ପୃଷ୍ଠରେ ପ୍ରତିଟି ମଣିଷ କାହାର ନା କାହାର ଅବତାର ନିଶ୍ଚୟ । ତେବେ  ତାକୁ ସ୍ଵୀକାର କରି ସେ ଦାୟିତ୍ଵକୁ ସଠିକ ରୂପେ ନିର୍ବାହ କରିବାରେ କୁଣ୍ଠା କାହିଁକି? ଏ ଧରା ପୃଷ୍ଠରେ ମଣିଷ ହୃଦୟଙ୍ଗମ କରିସାରିଛି ଯେ- “ ନର ମଣ୍ଡଳେ ଦେହ ବହି,

         ଦେବତା ହେଲେ ହେଁ ମରଇ”।

ତେବେ ମରଣକୁ ଭୟ କରି ନିଜ ଚାରିଆଡ଼େ ଏମିତି ଲୁହାବାଡ଼ ନିର୍ମାଣ କରିବାର ମାନେ କ’ଣ? ସେ ଲୁହାବାଡ଼ ନିର୍ମାଣର ସମୟ ଓ ସାଧନକୁ ଜଗତ ହିତରେ ବିନିଯୋଗ କଲେ ତ ସେ ମରି ବି ଅମର ହୁଅନ୍ତା । ଏ ମୃତଶୀଳ ଶରୀରର ସୁରକ୍ଷା କ’ଣ ଲୁହାର ପଞ୍ଜୁରି ଭିତରେ କରିବା ନିହାତି ଆବଶ୍ୟକ?

ଜାରାର ଶର ସନ୍ଧାନରେ ସେ ଦିନ ଶ୍ରୀକୃଷ୍ଣ ବି ତ ଏ ବିଶ୍ଵ ପୃଷ୍ଠରୁ ବିଦାୟ ନେଇଥିଲେ ଶିଆଳି-ଲତା ଗହଳରେ । ତା’ ହେଲେ, ସେ କ’ଣ ଶକ୍ତିହୀନ ଥିଲେ? ବୋଧହୁଏ, ଆମ ସମସ୍ତଙ୍କର ଉତ୍ତର ହେବ ‘ନା’ । ତା’ ହେଲେ ଏ ବିଶ୍ଵର ମହାପ୍ରବାହର ସମୟର ନିରନ୍ତର ସ୍ରୋତରେ କିଏ ଚିରନ୍ତନ? ଆମେ ସମସ୍ତେ କହିବା ବୋଧେ - ‘କୀର୍ତ୍ତି’ । ‘କୀର୍ତ୍ତି’ ବି ଏଠି ପ୍ରତୀକାତ୍ମକ ଅଟେ । ତେଣୁ ତ ଶ୍ରୀକୃଷ୍ଣ ଏ ଧରାକୁ ଛାଡ଼ି ଯିବାବେଳେ ପ୍ରତୀକଟିଏ ରଖିଦେଇ ଗଲେ ।

ତେଣୁ ଆସନ୍ତୁ ନା, ପ୍ରତି ମୁହୂର୍ତ୍ତରେ ଆମେ ଜୀଉଁଥିବା ଜୀବନକୁ ପ୍ରତୀକ ନିର୍ମାଣରେ ବିନିଯୋଗ କରିବା । କାରଣ, ଏ ଶରୀର ଶୂନ୍ୟରେ ମିଶିଯିବା ପରେ ଆମେ ପ୍ରତୀକାତ୍ମକ ଭାବେ ହିଁ ଆମ ଉପସ୍ଥିତିକୁ ଏ ବିଶ୍ଵପୃଷ୍ଠରେ ଜାହିର କରିପାରିବା । ଆମ ପରେ ବା ଆମ ପୂର୍ବରୁ ଆମ ସ୍ଥିତି କ’ଣ ଥିବ ବା ଥିଲା, ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । କେବଳ ସମୟ ହିଁ ତା’ର ଜ୍ଵଳନ୍ତ ସାକ୍ଷୀ । ତେବେ ନିରପେକ୍ଷତାକୁ ମାଳି କରି ପିନ୍ଧିଥିବା ସେ ସମୟକୁ ଆମ ଜୀଇଁଲା ମୁହୂର୍ତ୍ତମାନଙ୍କର ହିସାବ ରଖିବା ପାଇଁ ଅନୁରୋଧ କଲେ କ୍ଷତି କ’ଣ ? କାରଣ, ସେ ହିଁ ତ ପ୍ରତିଟି ପ୍ରତୀକର ମୁକସାକ୍ଷୀ । 

Comments