“ମାନବ ଧରମ ଦୟା କ୍ଷମା ବିନା
ଶୋଭା କିବା ପାଇଥାଏ,
ଦୟା, କ୍ଷମା ସିନା ଏ ମାନବେ ଏଠି
ଅବତାର କରିଦିଏ”।
ଈଶ୍ଵରଙ୍କର ଦିବ୍ୟ ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ଏ ମଣିଷ ଦୟା ଓ କ୍ଷମାର ଏକ
ଅବତାର । ତା’ରି ଭିତରେ ଅଛି ଅନ୍ୟକୁ
ଆପଣେଇ ନେବାର ଅସୀମ ଶକ୍ତି । ତେବେ ସେ ଅସିମ ଶକ୍ତିକୁ ଯେଉଁମାନେ ସଠିକ ରୂପେ ଆବିଷ୍କାର କରି
ତା’ର ଉପଯୁକ୍ତ ବିନିଯୋଗ କରିପାରନ୍ତି,
ସେମାନଙ୍କ ଜୀବନ ପଥରେ ଆଶିଷର ପୁଷ୍ପ ବୃଷ୍ଟି ହୋଇଥାଏ । ସେମାନେ ହିଁ ଏକ ଦିବ୍ୟସତ୍ତାକୁ
ପ୍ରତ୍ୟେକ୍ଷରେ ଅନୁଭବ କରିବାର ଅହେତୁକ ଆନନ୍ଦକୁ ଉପଲବ୍ଧି କରନ୍ତି । ପ୍ରତିଟି ପ୍ରାଣୀ ମଧ୍ୟରେ
ସେମାନେ ଦେଖନ୍ତି ଈଶ୍ଵରଙ୍କର ନିରାକାର ରୂପ । ବୋଧେ, ସେହି ଦିବ୍ୟରୂପ
ସନ୍ଦର୍ଶନରେ ହିଁ ସେମାନଙ୍କ ମଧ୍ୟରେ ରୂପାନ୍ତରଣ ସମ୍ଭବ ହୁଏ । ସେହି ରୂପାନ୍ତରଣ ପ୍ରକ୍ରିୟା
ତ୍ୱରାନ୍ୱିତ ହେଲେ ସେମାନଙ୍କ ମଧ୍ୟରେ ଦୟା ଓ କ୍ଷମା ଭଳି ମହନୀୟ ଗୁଣ ଜନ୍ମନିଏ । ଦୟା, କ୍ଷମା, ସ୍ନେହ ଓ ପ୍ରୀତିର ଚାଙ୍ଗୁଡ଼ିକୁ ମୁଣ୍ଡରେ ଧରି
ବିତରଣର ମହାପର୍ବରେ ସେମାନେ ଯୋଗଦାନ କରନ୍ତି କାରଣ ସେମାନେ ହୃଦୟଙ୍ଗମ କରିସାରିଲେଣି ଯେ, ବିତରଣ ବିନା ଏଠି ପ୍ରତ୍ୟେକ ପ୍ରାଣୀ ଅସ୍ତିତ୍ଵହୀନ । ଅସ୍ତିତ୍ଵକୁ ଖୋଜୁଥିବା
ପ୍ରତିଟି ପ୍ରାଣୀ ଆଗାମୀ ଜନ୍ମରେ ବିଚଳିତ ହୋଇଥାନ୍ତି ବୋଲି ସେମାନଙ୍କର ହୃଦବୋଧ ହୋଇସାରିଲାଣି
। ଏହି ହୃଦବୋଧତା ହିଁ ତ ପ୍ରାଣୀ ଜଗତକୁ ନିର୍ବିକାର ଓ ନିଷ୍କାମ କରିଦିଏ ଏବଂ ନିର୍ବାଣ ପଥରେ
ପଥ କଢାଇ ନିଏ । ସୁଦର୍ଶନ ଚକ୍ର ଆଢୁଆଳରେ ବିଶ୍ଵ ନିୟନ୍ତା ପ୍ରାଣୀ ଜଗତକୁ ରକ୍ଷା କଲା ଭଳି ଏହି
ଆତ୍ମ-ସମୀକ୍ଷାଜନିତ ନିର୍ବାଣର ପଥ ସେମାନଙ୍କୁ ସୁରକ୍ଷା ଦିଏ । ତେବେ ବାହ୍ୟ ଦୃଷ୍ଟିରେ
ସନ୍ଦର୍ଶନ କରୁଥିବା ପ୍ରତିଟି ମାନବଙ୍କର ଅନୁଧାବନ ନକରି ଏକ ଦିବ୍ୟ ମହିମାବନ୍ତ ବିଶ୍ଵ ଆଡ଼କୁ
ଗତି କଲେ କ୍ଷତି କ’ଣ? କାରଣ ଏକ
ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନ ପରେ ଏ ବିଶ୍ଵ ମଣ୍ଡଳରୁ ନିର୍ଗତ ହେଉଥିବା ମାନବୀୟ ଊର୍ଜା ଆଉ
କ୍ରିୟାଶୀଳ ନହୋଇପାରେ । ତେଣୁ ତ କୁହାଯାଇ ପାରେ, ଆଧ୍ୟାତ୍ମିକତାର
ସୋପାନ ଶ୍ରେଣୀରେ ହିଁ ମଣିଷ ନିଜକୁ ପରଖି ନେଇଥାଏ ।

Comments
Post a Comment