ମୃତ୍ୟୁଗାମୀ ଏ ମାନବ ମାୟାରୂପି ମୃଗତୃଷ୍ଣାର କ୍ରମାଗତ ଅନୁଧାବନ କରି ତା’ ଭିତରେ ଥିବା ମାନବୀୟ ମୂଲ୍ୟବୋଧକୁ ମହାସାଗରର ଅଥଳ
ଗର୍ଭରେ ଯେତେବେଳେ ସମାଧିସ୍ଥ କରିଦିଏ, ସେତେବେଳେ ତା’ ମଧ୍ୟରେ ଜନ୍ମ ନେଇଥାଏ ଲୋଭ,କ୍ରୋଧ ଓ ମୋହର ଅସହ୍ୟ ନର୍କ
ଯାତନା ତା’ ଅଜାଣତରେ । ମାନବର ପ୍ରତିଟି ଆସ୍ଫାଳନ ଓ ପ୍ରତିସ୍ଫର୍ଦ୍ଧା
ତା’ ପ୍ରମତ୍ତ ଯୌବନର ପ୍ରଗଳ୍ଭ ମୁହୂର୍ତ୍ତମାନଙ୍କର ପ୍ରସାରଣ
ବ୍ୟତିରେକେ ଆଉ କ’ଣ ହୋଇପାରେ ? କାରଣ
ଏନ୍ତୁଡ଼ିରୁ ଜୁଇ ଯାଏ ଏ ମଣିଷ ଏଠି ଯେଉଁ ମାୟାବୀମାନଙ୍କର ମିଥ୍ୟା ଜାଲରେ କବଳିତ ହୋଇ ନିଜକୁ
ପ୍ରତି ମୁହୂର୍ତ୍ତରେ କଳୁଷିତ କରିଥାଏ, ସେଥିରୁ ମୁକୁଳି ଆସିବାକୁ
ହେଲେ ତାକୁ ମୃଗତୃଷ୍ଣାର ମୋହରୁ ଦୂରେଇ ରହିବାକୁ ହେବ; ଅନ୍ୟଥା
ଅଗ୍ନିଶିଖାର ଆକର୍ଷଣରେ ପତଙ୍ଗ ଆକର୍ଷିତ ହୋଇ ଦଗ୍ଧିଭୁତ ହେବା ପରି ମଣିଷ ତା’ର ଏହି ପ୍ରଲୁବ୍ଧତା ପାଇଁ ନିଜେ
ଦଗ୍ଧିଭୂତ ହେବ ଓ ତା’ ପାରିପାର୍ଶ୍ଵିକ ପରିସ୍ଥିତି ପାଇଁ ବି
ବିପଦର କାରଣ ହେବ ।
ଏନ୍ତୁଡ଼ିରୁ ଜୁଇ ଯାଏ ପ୍ରତିଷ୍ଠା ଓ ପ୍ରତିପତ୍ତି ନାମରେ ଏକ କଳୁଷିତ ଜୀବନ ପର୍ଯ୍ୟାୟକୁ
ଆପଣେଇ ନେବାରେ ମାନବ ଧର୍ମର ମହନୀୟତା ପ୍ରତିପାଦିତ ହୋଇନଥାଏ । ଆୟୁଷର ଅନ୍ତିମ ପାହାଚରେ ଠିଆ
ହୋଇ ଏକ ନୂତନ ଦିଗନ୍ତର ସୂର୍ୟ୍ୟୋଦ୍ୱୟକୁ ଦେଖିବାର
ପ୍ରୟାସ କରୁଥିବା ମାନବ ତା’ ଜୀବନ
ବ୍ୟାପୀ ସାଧନାକୁ ଉପଯୁକ୍ତ ମୂଲ୍ୟ ଦେଇପାରେ ନାହିଁ । ତେଣୁ ମାନବୀୟ ମୂଲ୍ୟବୋଧକୁ ମୂଲ୍ୟାଙ୍କନ
କରିବାର ମହାଯଜ୍ଞରେ ପୁରୋଧା ସାଜିଥିବା ହେ ମୋର ଆଲୋକ ସନ୍ଧାନୀଗଣ ! ଥରଟିଏ ନିଜକୁ ପଚାରିବା
ଆସନ୍ତୁ , ପ୍ରତିଷ୍ଠା ଓ ପ୍ରତିପତ୍ତିର ଯଜ୍ଞକୁଣ୍ଡରେ ଆମେ ଆହୁତି
ଦେଇଥିବା ଆମର ପ୍ରତିଟି ମୁହୂର୍ତ୍ତ ଅନ୍ୟର ମଙ୍ଗଳାକାଂକ୍ଷୀ ନା ନିଜସ୍ଵ ମାନ ରକ୍ଷା ପାଇଁ
ଉଦ୍ଦିଷ୍ଟ । ଆତ୍ମୋତ୍ସଳାପ୍ରମତ୍ତ ଯୌବନ ଆମକୁ ଆଜି ବାଟବଣା କରିନି ତ?
ଈଶ୍ଵରଦତ୍ତ ଆମର ସମସ୍ତ ସାଧନ “ସର୍ଭେ ଭବନ୍ତୁ ସୁଖୀନଃ, ସର୍ଭେ ସନ୍ତୁ ନିରାମୟା” ର ମନ୍ତ୍ରଧ୍ୱନିରେ ଅଭିମନ୍ତ୍ରିତ
ହୋଇଛି ତ ? ଯଦି ହଁ, ତାହା
ହିଁ ଆମପାଇଁ ସବୁରି ଅଲକ୍ଷ୍ୟରେ ଐଶୀ ଆଶିଷ ।
Comments
Post a Comment