Stay tuned to my blog - " ଆମେ ପୂର୍ଣ୍ଣ ଅଦ୍ୟାବଧି " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

          ମଣିଷ ତା’  ତୃତୀୟ ନୟନରେ ଏଠି  ଖୋଜି ଚାଲେ ପଛରେ ଛାଡ଼ି ଆସିଥିବା ପ୍ରଲୁବ୍ଧ ଅତୀତକୁ । ହେଲେ ତା’ ତୃତୀୟ ନୟନ ତ ଶିବଙ୍କ ତୃତୀୟ ନୟନ ଭଳି ଏତେ ବି ଶକ୍ତିଶାଳୀ ନୁହେଁ  ଯେ, ସେ’ ଏ  ବିଶ୍ଵ ପୃଷ୍ଠରେ ତା ପ୍ରଲୁବ୍ଧ ଅତୀତକୁ ନିମିଷକ ମଧ୍ୟରେ ସନ୍ଧାନ କରି ଠାବ କରିଦେବ। ତେଣୁ ସେ କ୍ରମେ ନିରାଶବାଦର ଅଦିନିଆ ଝଡ଼ରେ କ୍ଷତ ବିକ୍ଷତ ହୋଇଥାଏ। ଦିନେ ଯିଏ ଏହି ମାଟିର ଗନ୍ଧରେ ବିହ୍ଵଳିତ ହୋଇ ଫୁଲର ପାଖୁଡ଼ା ସହ ନିଜ ମନର ରଙ୍ଗକୁ ଏକାକାର କରି ଦେଇଥିଲା, ସେ ଆଜି ଏହି ମାଟିର ବାସ୍ନାରେ, ଫୁଲର ରଙ୍ଗରେ କାହିଁକି ଏକ ଭାରିପଣକୁ ସାମ୍ନା କରି ଚାଲିଛି? ଏ ମାଟିର ମତୁଆଲା ସ୍ଵପ୍ନ କାହିଁକି ତା’ ପାଇଁ ଆଜି ରଙ୍ଗହୀନ ହୋଇପଡ଼ିଛି । ସତ୍ୟ, ନ୍ୟାୟ ଓ ଧର୍ମର ଯୁଧିଷ୍ଠିରମାନେ କାହିଁକି ତା’ ପାଇଁ ଆଜି ନିରବ ଦ୍ରଷ୍ଟା ? ତା’ ବିହ୍ଵଳିତ ଅତୀତର ପ୍ରତିଟି ମୁହୂର୍ତ୍ତ କାହିଁକି ତା’ ପାଇଁ ଏତେ ଅଚିହ୍ନା ଆଜି ? ଅଚିହ୍ନା ଛାଇର ଭିଡ଼ ମଧ୍ୟରେ ସେ କାହିଁକି ଆଜି ବାଟବଣା ? ଅତୀତର ପ୍ରତିଟି ପ୍ରଲୁବ୍ଧ ମୁହୂର୍ତ୍ତ ଆଜି ଅଭିମନ୍ୟୁର ଚକ୍ରବିହ୍ଵ ମଧ୍ୟରେ ବନ୍ଦୀ ପ୍ରାୟ ? ସତେ ଯେମିତି ସେ ଚକ୍ରବିହ୍ଵ ମଧ୍ୟରୁ ମୁକୁଳି ଆସିବାର ସମସ୍ତ ପଥ ରୁଦ୍ଧ ଏଠି । ତା’ ହେଲେ ଏଥିପାଇଁ ଦାୟୀ କିଏ ? ଆମ ବର୍ତ୍ତମାନ ନା ଆମ ସାମ୍ନାରେ ଥିବା ସମ୍ପର୍କର କୁହେଳିକା ? ତେବେ ଆସନ୍ତୁ, ତା’ର ତର୍ଜମା କରିବା ସମସ୍ତେ ମିଶି । ମଧୁବାବୁଙ୍କ ପରେ ମାତା ଉତ୍କଳ ନିଃସହାୟତାର ଘୂର୍ଣ୍ଣିବଳୟ ମଧ୍ୟରେ ଅଣନିଃଶ୍ଵାସୀ ହୋଇଯିବା ଭଳି ଆମେ ଏବେ ଆମ ଅତୀତକୁ ହରାଇ  ଶ୍ଵାସରୁଦ୍ଧ ହୋଇସାରିଲୁଣି। ଉଗ୍ର ଆଧୁନିକତାର ଅଣଚାଶ ବତାସ ମଧ୍ୟରେ ଆମେ ଏବେ ଦିଗହର। । ଆମକୁ ଫେରିବାକୁ ହିଁ ହେବ ଇତିହାସର ଘୂର୍ଣ୍ଣନ ଗତିରେ। ଇତିହାସର ରୈଖିକ ଗତି ଆମର ଆଉ ଲୋଡ଼ା ନାହିଁ । ଆମେ ଶୂନ୍ୟ ହୋଇସାରିଲୁଣି ଏବେ ଏ ରୈଖିକ ଗତିରେ। ତେଣୁ ପୂର୍ଣ୍ଣ ହେବାକୁ ଚାହୁଁ ଆମେ । ଆମର ଯାତ୍ରା ଇତିହାସରେ ଏକ ନୂତନ ମୋଡ଼ ନେଇ ଆମକୁ ପୁଣି ରୁଦ୍ଧିମନ୍ତ କରୁ - ଏତିକି ହିଁ କାମନା ଆମର ଜଗତ ନିଅନ୍ତାଙ୍କ ନିକଟରେ।

Comments