ପ୍ରତିଦାନର ପ୍ରଶସ୍ତ ଅଗଣାରେ ପ୍ରମତ୍ତ ଯୌବନର ଆଦ୍ୟ ପ୍ରଭାତରେ ସ୍ଵୟଂସିଦ୍ଧ ପ୍ରଚଣ୍ଡ ପ୍ରତିଭାକୁ ଜନହିତ ଉଦ୍ଦେଶ୍ୟରେ ଯେଉଁ ମହାମନିଷୀଗଣ ପ୍ରୟୋଗ କରିବା ନିମିତ୍ତ ପ୍ରୟାସୀ ହୁଅନ୍ତି, ସେମାନେ ହିଁ ସମ୍ଭବତଃ ଏ ବିଶ୍ଵର ଐତିହାସିକ ପୃଷ୍ଠଭୂମିରେ ସ୍ଵୟଂ ସମ୍ପୂର୍ଣ୍ଣ ହୋଇ ଏକ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୁଅନ୍ତି। ସ୍ଵତଃ ପ୍ରକ୍ରିୟାରେ ସେମାନଙ୍କ ମଧ୍ୟରୁ ଉତ୍ପନ୍ନ ହେଉଥିବା ଦିବ୍ୟାଲୋକର ଧାରା ସେମାନଙ୍କ ପ୍ରତିଦାନର ଅଗଣାରେ ପ୍ଳାବନ ସୃଷ୍ଟି କରି ସମଗ୍ର ବିଶ୍ୱକୁ ଉଦ୍ ଭାସିତ କରେ ଏବଂ ସେ ମହାପ୍ଳାବନର ସ୍ରୋତରେ ଆବାଳ-ବୃଦ୍ଧ-ବନିତା ସ୍ଵ-ଆବଶ୍ୟକତା ଅନୁଯାୟୀ ଅବଗାହନ କରି ବିଶ୍ଵ କଲ୍ୟାଣ ସକାଶେ ବ୍ରତୀ ହୁଏ। ସତେ ଯେମିତି ଏହି ଅବଗାହନ ପ୍ରକ୍ରିୟା ସୃଷ୍ଟିର ପ୍ରାରମ୍ଭ ପର୍ଯ୍ୟାୟରୁ ଏ ଯାବତ୍ ସାର୍ବଜନୀନ ମଙ୍ଗଳାର୍ଥେ ହିଁ ଅଭିପ୍ରେତ ଆମ ସଂସ୍କୃତିର ବାହକ ଭାବେ। ବହୁବିଧ ସଂସ୍କୃତିର ସମନ୍ୱିତ ଧାରାକୁ ନେଇ ଏ ମହାମନିଷୀଗଣ ସର୍ବଧର୍ମ ସମନ୍ୱୟର ଯେଉଁ ପ୍ରବାହକୁ ବିଶ୍ଵକଲ୍ୟାଣ ନିମିତ୍ତ ଅହର୍ନିଶ ପ୍ରବାହିତ କରିଚାଲନ୍ତି ତାହା ଅନ୍ୟ ସଂସ୍କୃତିରେ ବିରଳ। ତେବେ ଆମ ରାଷ୍ଟ୍ରର ଏ ସାଂସ୍କୃତିକ ପ୍ରବାହକୁ ନିରନ୍ତର ଜାରି ରଖିବା ପାଇଁ ଯୁଗେ ଯୁଗେ ଏଭଳି ଏକନିଷ୍ଠ ସଂସ୍କୃତି ସାଧକ -ମାନଙ୍କର ନିରବଛିନ୍ନ ପ୍ରୟାସ ଅନିବାର୍ଯ୍ୟ ନୁହେଁ କି ? କାରଣ ଏଭଳି ମହାପୁରୁଷମାନଙ୍କର ନିଃସ୍ୱାର୍ଥପର ସାଧନା ଏ ବିଶ୍ଵ ପାଇଁ ଏକ ଅମୃତ ମୁହୂର୍ତ୍ତ କୁ ଆହ୍ଵାନ କରି ଆଣିବ ନିଶ୍ଚୟ । ଯାହାକି ଏ ବିଶ୍ଵ ସମୁଦାୟକୁ ଏକ ଆସନ୍ନ ମହାବିପତ୍ତିରୁ ଉଦ୍ଧାର କରି ଏକ ଅମୃତମୟ ଦିବ୍ୟଭାବନାରେ ରୁଦ୍ଧିମନ୍ତ କରିବ । ତେଣୁ ଆସନ୍ତୁ, ସେ ସମୟ ଉପନୀତ ହେବା ପର୍ଯ୍ୟନ୍ତ ଆମେ ଆମ ଧୈର୍ଯ୍ୟ ଓ ସାହାସର ଏରୁଣ୍ଡି ବନ୍ଧ ମଧ୍ୟରେ ସୀମିତ ରଖି ସେ ମହାତ୍ମା ଗଣଙ୍କୁ ସେମାନଙ୍କର ସାଧନା ଯଜ୍ଞରେ ପୂର୍ଣ୍ଣାହୁତି ଦେବା ପାଇଁ ସହାୟତାର ହସ୍ତ ପ୍ରସାରଣ କରିବା । ସେମାନେ ହିଁ ତ ନୂତନ ସୃଷ୍ଟି ର ଆଦ୍ୟ ସଙ୍କେତ । ସେମାନଙ୍କ ବିନା ଏ ସୃଷ୍ଟି ରସାତଳଗାମୀ ହୋଇବ ନିଶ୍ଚୟ । ତେଣୁ ହେ ମୋର ଆଲୋକ ସନ୍ଧାନୀ ଗଣ, ପ୍ରଭାତ ଆଗମନ ନିମିତ୍ତ ସିନ୍ଦୂରା ଫାଟି ଲାଲ୍ ଦିଶିଲାଣି ଆସ, ଶଙ୍ଖ ହୁଳହୁଳି ଧ୍ୱନିରେ ଏ ସମୟକୁ ସ୍ଵାଗତ କରିବା “ସର୍ଭେ ଭବନ୍ତୁ ସୁଖିନଃ” ମନ୍ତ୍ରକୁ ଉଚ୍ଚାରଣ କରି ।

Comments
Post a Comment