Stay tuned to my blog - " ରୂପାନ୍ତରଣ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ଏକ ପ୍ରମତ୍ତା ପୃଥିବୀର ପ୍ରସାରିତ ଦିଗ୍ ବଳୟରେ ପ୍ରଗଳ୍ଭ ମାନବର ପ୍ରତିଟି ଉଦ୍ୟମ ତା'ର ଗଭୀର ଅଧ୍ୟବସାୟ ମାଧ୍ୟମରେ ସଫଳତାର ଶୀର୍ଷ ସୋପାନକୁ ସ୍ପର୍ଶ କରିଥାଏ  । ତେବେ ଏଥିପାଇଁ ଲୋଡ଼ା ପ୍ରଗାଢ଼ ଧୀଶକ୍ତି ଏବଂ କ୍ରମାଗତ ପ୍ରବାହ। କାରଣ ପ୍ରବାହ ବିନା ସଫଳତା ସ୍ଥାଣୁତ୍ୱକୁ ଆହ୍ୱାନ କରି ଆଣେ  । ସ୍ଥାଣୁତ୍ୱର ଦୁଷ୍ପ୍ରଭାବରେ ସଫଳତା ପ୍ରଭାବ ହୀନ ହୋଇପଡେ  । ଏକ ପ୍ରଭାବହୀନ ସଫଳତାକୁ ନେଇ ମାନବର ଗତି ତ୍ୱରାନ୍ୱିତ ହୁଏନା  । ଆଉ ଏହି ପରିପ୍ରେକ୍ଷୀରେ ପ୍ରାଣବନ୍ତ ମୁହୂର୍ତ୍ତମାନେ ମାନବକୁ ଉପହାସ କରନ୍ତି ତା'ର ଗତିହୀନତା ପାଇଁ  । କାରଣ ପ୍ରାଣବନ୍ତ ମୁହୂର୍ତ୍ତମାନେ ଏଠି କାହାରିକୁ ପ୍ରତୀକ୍ଷା କରନ୍ତି ନାହିଁ  । ପ୍ରତିଟି ପରିସ୍ଥିତିର ମୂକସାକ୍ଷୀ ହୋଇ ସେମାନେ ତ ଏ ସୃଷ୍ଟିର ପ୍ରାରମ୍ଭ ପୂର୍ବରୁ ଏଠି ବିଦ୍ୟମାନ ଏବଂ ଏ ସୃଷ୍ଟିର ସମାପ୍ତି ପରେ ବି ସମ୍ଭବତଃ ସେମାନେ ସେମାନଙ୍କର ଏ ପ୍ରବାହକୁ ଜାରି ରଖିବେ ନିଶ୍ଚୟ  । ତେଣୁ ତ ସେମାନେ ସବୁରି ଉର୍ଦ୍ଧ୍ଵରେ, ଅଥଚ ଆମ ହାତ ପାଆନ୍ତାରେ  । ତେଣୁ ଆସନ୍ତୁ, ଥରଟିଏ ସେମାନଙ୍କର ଦିବ୍ୟସ୍ପର୍ଶକୁ ଅନୁଭବ କରି ଆହ୍ଲାଦିତ ହେବା  । କାରଣ ସେମାନଙ୍କର ସ୍ପର୍ଶ ବିନା ମଣିଷ ଜୀବନ୍ତ ଲାଗେନା ।  ସେମାନେ ଏ ପ୍ରାଣୀ ଜଗତର ପ୍ରତିଟି ଜୀବକୋଷରେ ପ୍ରେରଣାର ଉତ୍ସ ହୋଇ ପ୍ରବାହିତ  । ସେମାନଙ୍କ ବିନା ମାନବର ଅବସ୍ଥିତି କାହିଁ ? ତେଣୁ ଚାଲନ୍ତୁ, ଥରଟିଏ ସେମାନଙ୍କର ଜୀବନ୍ତ କଣିକାକୁ ଆମେ ଆମ ଭିତରକୁ ନେବା  । ଆଉ, ଥରେ ସେମାନେ ଆମ ଭିତରେ ପ୍ରବେଶ କରିଗଲେ ଜ୍ୟାମିତିକ ବେଗରେ ଆମେ ତ୍ୱରାନ୍ୱିତ ହେବା  । କସ୍ତୁରୀ ମୃଗସମ ଆମ ପ୍ରତିଭାର ସନ୍ଧାନ କରି ନିଜ ଦକ୍ଷତାକୁ ଖୋଜି ଭ୍ରମିତ ହେବାନାହିଁ  ଆଉ ପ୍ରାଣବନ୍ତ ମୁହୂର୍ତ୍ତମାନଙ୍କର  ସଦୁପଯୋଗ କରି ଆମେ ଏ ବିଶ୍ୱରେ ପରିବର୍ତ୍ତନର ସ୍ରୋତକୁ ବୁହାଇବା ଏବଂ ସ୍ରୋତସ୍ୱିନୀ ହୋଇ ତା' ଅବବାହିକାରେ ପ୍ରତିଟି ପ୍ରାଣକୁ ଏକ ଦିବ୍ୟାନନ୍ଦରେ ଭରିଦେବା  । ପରିଶେଷରେ ସେ ଦିବ୍ୟସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଏକ ରୂପାନ୍ତରଣ ପ୍ରକ୍ରିୟାକୁ ସଂଗଠିତ କରିବ  ।

Comments