ସମନ୍ୱିତ ସମ୍ଭାବନାର ଜ୍ଞାନଦୀପ ଜାଳି ଆତ୍ମ -ସମୀକ୍ଷାର ଯଜ୍ଞବେଦୀରେ ବ୍ୟକ୍ତିତ୍ଵକୁ ପ୍ରାଣବନ୍ତ କରିବା ପାଇଁ ଯେଉଁ ଦିବ୍ୟାତ୍ମାଗଣ ପ୍ରତି ମୁହୂର୍ତ୍ତରେ ନିଜକୁ ଆହୁତି ଦିଅନ୍ତି , ସେମାନେ ହିଁ ସମ୍ଭବତଃ ଏଇ ବିଶ୍ଵବକ୍ଷରେ ଚିରଜାଜ୍ଵଲ୍ୟମାନ ପ୍ରତିଭାର ଅଧିକାରୀ ହୋଇ ଦିଗ୍ ଦ୍ରଷ୍ଟା ରୂପେ ପ୍ରତିଭ୍ରାତ ହୁଅନ୍ତି ଏବଂ ଏ ବିଶ୍ୱ ସମାଜକୁ ଏକ ଦିବ୍ୟାଲୋକରେ ଉଦ୍ଭାସିତ କରି ଏନ୍ତୁଡ଼ିରୁ ଜୁଇ ଯାଏ ନିଜର ସ୍ଵତନ୍ତ୍ରତାକୁ ପ୍ରମାଣିତ କରନ୍ତି। ସୁରଭି ଓ ସୈାରଭ ସେମାନଙ୍କ ପାଇଁ ସ୍ଵତଃ ଆକର୍ଷି ହୋଇ ଆସନ୍ତି ସେମାନଙ୍କ ନିକଟକୁ । କାରଣ ସେମାନେ ହିଁ ପରା ଏ ଜାତିର କର୍ଣ୍ଣଧାର । ସେମାନଙ୍କ ବିନା ଏ ଜାତି କ'ଣ ସ୍ଵପ୍ନ ଦେଖିପାରେ ନା ଜାଗ୍ରତ ହୋଇପାରେ ? ବିନମ୍ରତାର ସୋପାନକୁ ଅତିକ୍ରମ କରି ସୋମାନେ ସବୁରି ହୃଦୟରେ ନିଜ ସ୍ଥାନକୁ ସୁଦୃଢ କରିପାରନ୍ତି ବୋଲି ତ ସେମାନଙ୍କୁ ଆମେ ବିନୟୀ ପୁରୁଷ ପଦବାଚ୍ୟ କରିଥାଉ । ବିନମ୍ରତା ସତେ ଯେମିତି ସେମାନଙ୍କର ଏକ ଅଦୃଶ୍ୟ ଦିବ୍ୟ ଭୂଷଣ । ଆଉ ସେ ଭୂଷଣ କୁ ସାଥୀ କରି ସେମାନେ ରାସ୍ତା ଚାଲନ୍ତି ପ୍ରତି ମୁହୂର୍ତ୍ତରେ । ସେମାନେ ଏବେ ବୁଝି ସାରିଲେଣି ଯେ ବିନମ୍ରତା ହିଁ ମଣିଷକୁ ବାନ୍ଧିରଖେ ଅନ୍ୟମାନଙ୍କ ନିକଟରେ ଯୁଗରୁ ଯୁଗକୁ । ତେଣୁ ଆସନ୍ତୁ , ବିନମ୍ରତାକୁ ଭୂଷଣ କରି ଗଳାରେ ପିନ୍ଧିଥିବା ସେ ଦିବ୍ୟାତ୍ମାମାନଙ୍କୁ ସାଦରେ ଆଦରି ନେଇ ସେମାନଙ୍କୁ ଜୀବନର ଆଦର୍ଶ ରୂପେ ଗ୍ରହଣ କରିବା । କାରଣ ଆଜି ଏ ବିଶ୍ୱ କ୍ରୁରତାର ବିଷଜ୍ୱାଳାରେ ଅସ୍ତବ୍ୟସ୍ତ । ଆଉ ସେ ବିଷଜ୍ୱାଳାରେ ଜର୍ଜରିତ ବ୍ୟକ୍ତିମାନେ ନିଜ ବ୍ୟକ୍ତିତ୍ଵ ନିର୍ମାଣ ପାଇଁ ଅସମର୍ଥ । ତେବେ ଏ ପରିପ୍ରେକ୍ଷୀରେ ସେଭଳି ବିନୟୀ ଓ ବିନମ୍ର ଆତ୍ମାମାନଙ୍କୁ ଅନୁସରଣ କରି ରାସ୍ତା ଚାଲିଲେ ଆମ ସମସ୍ତଙ୍କର ମଙ୍ଗଳ ହେବ ନିଶ୍ଚୟ । ସେମାନେ ପରା ''ସର୍ବେ ଭବନ୍ତୁ ସୁଖୀନଃ" ମନ୍ତ୍ର କୁ ପ୍ରତ୍ୟହ ଉଚ୍ଚାରଣ କରି ଜଗତର ହିତ ସାଧନ ପାଇଁ କାର୍ଯ୍ୟ କରନ୍ତି । ତା’ହେଲେ ଆସନ୍ତୁ, ସେ ଆତ୍ମାମାନଙ୍କୁ ଆମେ ଆପଣେଇ ନେବା ଅର୍ଘ୍ୟ ଚନ୍ଦନ ଦେଇ । ସେମାନେ ହିଁ ପରା ଏ ଜାତିର ପ୍ରବାହ, ପ୍ରଶନ୍ନତା ଏବଂ ପ୍ରଗତିର ଦୀପଶିଖା । ସବୁରି ପ୍ରାଣକୁ ଛୁଇଁ ସେମାନେ ପ୍ରବାହିତ ଓ ପରିବାହିତ ।

Comments
Post a Comment