Stay tuned to my blog - " ମାନ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ଏକ ସ୍ଵପ୍ନାୟିତ ମନର ସ୍ୱର୍ଗୀୟ ସୁଷମାକୁ ସଯତ୍ନରେ ସାଇତି ରଖୁଥିବା ଛାତ୍ରଛାତ୍ରୀମାନେ ସର୍ବଦା ସମ୍ଭାବନାକୁ ନେଇ ରାସ୍ତା ଚାଲନ୍ତି । ପ୍ରତିଟି ସମ୍ଭାବନା ସେମାନଙ୍କ ପାଇଁ ସୂର୍ଯ୍ୟରଶ୍ମିସମ ସ୍ୱଚ୍ଛ ଓ ସ୍ଵୀକୃତ । ତେଣୁ ତ ସେମାନେ ସୂର୍ଯ୍ୟାଲୋକର ପ୍ରତିଟି ଅଣୁରେ ଅନୁଭବ କରନ୍ତି ସମ୍ଭାବନାର ବାସ୍ନାକୁ । ଆଉ ସେ ସମ୍ଭାବନାର ବାସ୍ନାୟିତ ଦିଗ୍ ବଳୟରେ ସେମାନେ ଖୋଜନ୍ତି ନିଜ ଭିତରେ ଥିବା ସାମର୍ଥ୍ୟକୁ । କାରଣ ସେମାନେ ବୁଝିସାରିଲେଣି ଯେ, ସମ୍ଭାବନା ଓ ସାମର୍ଥ୍ୟ ବିନା ଜୀବନ ଚଳଚଞ୍ଚଳ ନୁହଁ । ଚଞ୍ଚଳତା ହିଁ ତ ଜୀବନକୁ ତ୍ୱରାନ୍ୱିତ କରେ। ଏହା ପୁଣି ଝରଣାର କୁଳୁକୁଳୁ ଶବ୍ଦରେ, ଆକାଶର ନିଳିମାରେ ଅଥବା ବନାନୀର ସବୁଜିମା ମଧ୍ୟ ଦେଇ ତା ସ୍ଥିତିକୁ ଜାହିର କରେ। ସମ୍ଭାବିତ ଦିନ-ଦଣ୍ଡ-ମାସ ଓ ମୁହୂର୍ତ୍ତକୁ ଅତିକ୍ରମ କରି ଆଜିର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସମ୍ଭାବନା ଓ ଚଳଚଞ୍ଚଳତା ଗତିଶୀଳ ହୁଏ ବୋଲି ଜୀବନ ଏଠି ସରସ ଓ ମଧୁର ଲାଗେ । ଅନ୍ୟଥା କେଉଁ ଏକ ଅଜଣା ଅତୃପ୍ତ କୀଟର ଦଂଶନରେ ଜୀବନର ଦିପ୍ତୀମନ୍ତ ଶିଖାଟି ନିର୍ବାପିତ ହୋଇଯାଏ । କିନ୍ତୁ, ଆଜି ଆମେ ଏତେ ସଚେତନ ଯେ, ସେ ସନ୍ଧିକ୍ଷଣ ମୁହୂର୍ତ୍ତକୁ ଆସିବାକୁ ଦେବାନି ଆମେ  । କାରଣ ଆମେ ପରା ଏ ଜାତିର ନିର୍ମାଣ ପ୍ରକ୍ରିୟାରେ ଜଣେ ଜଣେ ଶ୍ରମିକ। ଆମେ ଥମିଗଲେ ଏ ଜାତି ଥମିଯିବ । ଏ ଜାତିର ପ୍ରଗତି ବାଧାପ୍ରାପ୍ତ ହେବ । ଏକ ନିରନ୍ଧ୍ର ଅନ୍ଧକାର ମଧ୍ୟ ଦେଇ ଆମକୁ ଆଲୋକ ରାଜ୍ୟ ଆଡ଼କୁ ଗତି କରିବାକୁ ହିଁ ହେବ। କିନ୍ତୁ, ଏ ସଙ୍କଟ କାଳରେ ଆମର ଏ ଗତି ପଥରେ ଶ୍ରମର ଭିକ୍ଷା ଦେବ ଅବା କିଏ? ତେଣୁ ଆମକୁ ହିଁ ସାହସ ବାନ୍ଧିବାକୁ ହେବ ଏବେ । ନଚେତ୍ ଆମର ଏ ଭିକ୍ଷାଥାଳ ଶୂନ୍ୟ ପଡ଼ିଯିବ। ଆମେ ଶୂନ୍ୟ ହୋଇଗଲେ ଏ ଜାତି ଏକ ମହାଦୁର୍ଦିନର ସମ୍ମୁଖୀନ ହେବ। ଏବେ ଆମ ଚାରିଆଡ଼େ କେବଳ ଆହ୍ୱାନର ପ୍ରତିଧ୍ୱନି ଶୁଭିଲାଣି। ଏବେ ସେ ବେଳ ଉପନୀତ। ଆମେ ଜାଗ୍ରତ ନହେଲେ ଏ ମାଟି ମାଆର ପଣତ ଶୂନ୍ୟ ପଡ଼ିଯିବ। ଆଉ ଆମକୁ ଫେରିବାକୁ ହେବ ରିକ୍ତ ହୃଦୟ ନେଇ। ଆମେ ରିକ୍ତ ହୃଦୟରେ ଫେରିଗଲେ ଏ ମାଟିର ରଙ୍ଗ ବଦଳିଯିବ। ଆକାଶର ନିଳିମା ଆଉ ଫୁଲର ରଙ୍ଗ ଫିକା ପଡ଼ିଯିବ। ଝରଣାର ସ୍ୱର ବିକୃତ ହୋଇଯିବ । ଏ ମାଟି ମାଆ  ତା’ ସନ୍ତାନକୁ ଏପରି ଅବସ୍ଥାରେ ଦେଖି ନିରୂପାୟ, ନିରାଶ୍ରୟ ଓ ନିଃସହାୟତାର ଅଣଚାଶ ଝଡ଼ ମଧ୍ୟରେ ବାଟବଣା ହୋଇଯିବ। ତେଣୁ ଆସନ୍ତୁ, ସେ ବିଷମୟ ସମୟ ଉପନୀତ ହେବା ଆଗରୁ ଆମେ ଏ ମାଟି ମାଆର ଅଗଣାରେ ସେ ସମୟ ଆସିବାକୁ ଦେବାନି। କାରଣ ଆମେ ପରା ଏ ମାଟି ମାଆର        ଛାତିରୁ ଅମୃତ ପାନ କରି ସର୍ବାଙ୍ଗୀନ ଭାବେ ସମୃଦ୍ଧ। ଆମକୁ ତ ସେ ଅମୃତର,ସେ ଦିବ୍ୟ  ଅବଦାନର ମାନ ରଖିବାକୁ ହିଁ ହେବ। ତା'ହେଲେ ଆଉ ବିଳମ୍ବ କାହିଁକି ? ଏ ମୁହୂର୍ତ୍ତରୁ ଆମେ ଶ୍ରମଦାନ କରି ଏ ମାଟି ମାଆର ୠଣ ପରିଶୋଧ କରିବା।

Comments