ସ୍ମୃତି ଏକ ଚୋରା ବାଲି ଏଠି । ତା’ ପୃଷ୍ଠଭୂମିର
ଗଭୀରତାକୁ ନା ମାପି ହୁଏ ନା କଳନା କରିହୁଏ । ତଥାପି ତା’ ପୃଷ୍ଠଭୂମି ପାଇଁ ମଣିଷ କାହିଁକି କେଜାଣି ଦୁର୍ବଳତା ପ୍ରକାଶ କରିଥାଏ । ତା’ ପୃଷ୍ଠଭୂମି ଉପରେ
ଠିଆ ହେଲେ ମଣିଷ ସେଠି ପୋତି ହୋଇଯାଏ । ତା’ ନିକଟତର ହେଲେ ମଣିଷକୁ ସେ ହାତ ଠାରି ଡାକେ। ତା’ ବିସ୍ତୃତି ଅନନ୍ତ
ବୋଲି ଜାଣି ବି ମଣିଷ ତା ପାଖକୁ ଯାଏ ; ତା’ ପୃଷ୍ଠଭୂମିରେ ଠିଆହୁଏ । କାରଣ ସେ ବୋଧେ ମଣିଷକୁ ଏକ ଦିବ୍ୟାନନ୍ଦର ଅନୁଭୂତି ପ୍ରଦାନ କରେ। ଅତୀତ ଚାଙ୍ଗୁଡ଼ିରେ ସଯତ୍ନରେ ସାଇତା
ହୋଇଥିବା ଶୁଖିଲା ଫୁଲ ପାଖୁଡ଼ାରେ ପୁନଃ ଜୀବନ ସଂଚାର କରେ । ଅତୀତର ଫୁଲ ଚାଙ୍ଗୁଡ଼ି ସତେଜ ହୋଇଉଠେ। ତେବେ ସ୍ମୃତି କ'ଣ ଅମର ଓ ଅବିନଶ୍ୱର ଏଠି ଆତ୍ମାଭଳି ? ସେ କ’ଣ ଅପରିହାର୍ଯ୍ୟ ଏ ଜୀବନରେ ଜିଇଁବା ପାଇଁ ? ସେ କ'ଣ ଜୀବନଯାତ୍ରାର ବିକଳ୍ପ ଏଠି ? ସ୍ମୃତି ବିନା ମଣିଷର ପ୍ରବାହ ଏଠି କ'ଣ ଥମିଥାଏ ?
ତା’ ବିନା ଜୀବନ କ'ଣ ସ୍ଥାଣୁ ହୋଇଯାଏ ? ଆସନ୍ତୁ, ଆମେ ଥରେ ତର୍ଜମା କରିବା ଉପରୋକ୍ତ ପ୍ରଶ୍ନ ଗୁଡ଼ିକର । ସ୍ମୃତି
ଅନୁଶୀଳନର ଅନ୍ୟନାମ । ସମୀକ୍ଷାର ଯଜ୍ଞବେଦୀ ସିଏ । ସଂଶୋଧନର ସାଧନା ପୀଠ ସିଏ। ତା’ ବିନା ମାନବ ଏ
ବିଶ୍ୱପୃଷ୍ଠରେ ନା ନିଜକୁ ଅନୁଶୀଳନ କରିପାରେ ନା ସମୀକ୍ଷା କରିପାରେ? ଅନୁଶୀଳନ ଓ ସମୀକ୍ଷାର ସୋପାନ ଶ୍ରେଣୀକୁ ସନ୍ତର୍ପଣରେ ଅତିକ୍ରମ ନ କରିବା ଯାଏ ମଣିଷ କ'ଣ ନିଜକୁ ସଂଶୋଧନ କରିପାରେ? ଆଉ ଏ ସବୁ ସମ୍ଭବ ହୁଏ ସ୍ମୃତିର ବିସ୍ତୀର୍ଣ୍ଣ ପୃଷ୍ଠଭୂମିରେ। କାରଣ ତା’ ନିକଟରେ ହିଁ ତ
ଉପଲବ୍ଧ ଆମ ଅତୀତର ସୁଖ-ଦୁଃଖର, ଜୁଆର-ଭଟ୍ଟାର, ଫୁଲ ଓ କଣ୍ଟାର ପ୍ରତିଟି ପୃଷ୍ଠା । ସଂଘର୍ଷ ସାଲିସ୍ ର ଦୀର୍ଘ କାହାଣୀ । ପ୍ରତୀକ୍ଷା ଓ ତିତୀକ୍ଷାର ଇତିକଥା ଏବଂ ସର୍ବୋପରି ଆମ ଉତ୍ଥାନ-ପତନର ଇତିବୃତ୍ତି । ତେଣୁ ବୋଧେ ବିବେକୀ ମଣିଷମାନେ ବିବେକର ଅନୁଶାସନଜନିତ ଚାବୁକ ପ୍ରହାରରେ ସ୍ମୃତିର ନିକଟତର ହୋଇ ତା’ ପୃଷ୍ଠଭୂମିରେ
ଠିଆ ହୋଇ ଆତ୍ମ-ସମୀକ୍ଷା ପୂର୍ବକ ତା’ ଚୋରାବାଲିରେ ପୋତି
ହୋଇ ଏକ ସଂଶୋଧିତ ଆତ୍ମା ରୂପେ ପୁନଃ ଆବିର୍ଭାବ ହେବାକୁ ପ୍ରତୀକ୍ଷା କରନ୍ତି ।
Comments
Post a Comment