ଆନନ୍ଦ ଏକ ମାନସିକ ସ୍ଥିତି….ଦିବ୍ୟତାର ପ୍ରତୀକ ଏବଂ ଏକ ଦୀପ୍ତିମନ୍ତ ପ୍ରଭାତର ଦ୍ୟୋତକ । ଏହା ପୁଣି ପୁନେଇ ଜହ୍ନର ସ୍ୱଚ୍ଛ କିରଣ । ଏହାର ପ୍ରାପ୍ତି ଏକ ଅତୃପ୍ତ ଆତ୍ମାକୁ ପରମ ତୃପ୍ତି ପ୍ରଦାନ କରିଥାଏ ବୋଲି ତ ପ୍ରତିଟି ଆତ୍ମାର ସେ ଏକ ଦିବ୍ୟ ଅନୁଭବ। ଏ ଅନିର୍ବଚନୀୟ ଅନୁଭବକୁ ଭାଷାରେ ବ୍ୟକ୍ତ କରି ହୁଏନା ବୋଲି ଆନନ୍ଦରେ ଅଭିଭୂତ ଆତ୍ମାଗଣ ଏହି ଅନୁଭୂତିକୁ ଶରୀର ତଥା ମୁଖ ମଣ୍ଡଳର ଭଙ୍ଗୀ ମାଧ୍ୟମରେ ଅଥବା ଭାବାତ୍ମକ ସ୍ଥିତି ମାଧ୍ୟମରେ ପ୍ରକାଶ କରିଥାନ୍ତି । ଜୀବନର ପ୍ରକୃତ ସ୍ଵାଦକୁ ଆସ୍ଵାଦନ କରିବା ପାଇଁ ଆଶାୟୀ ଆତ୍ମାଗଣ ଆନନ୍ଦର ଏହି ଦିବ୍ୟସ୍ଥିତିକୁ ଉପଲବ୍ଧି କରିବା ନିମିତ୍ତ ବିତରଣର ମନ୍ତ୍ରକୁ ଅହନିର୍ଶି ଜପ କରିଥାନ୍ତି । କାରଣ ଏ ଦିବ୍ୟ ସୃଷ୍ଟିରେ ଦେୟମୁକ୍ତ ଭାବେ ଆମେ ପ୍ରାପ୍ତ କରିଥିବା ବହୁବିଧ ଐଶ୍ଵରୀୟ ଗୁଣାବଳୀକୁ ବିତରଣ ବିନା ଉପଲବ୍ଧି କରିହୁଏ ନାହିଁ । ଏହି ବିତରଣ ପ୍ରକ୍ରିୟାରେ ଋଦ୍ଧିମନ୍ତ ମାନବ ସର୍ବଦା କାମଧେନୁସମ ଅକୁଣ୍ଠରେ, ନିଃସର୍ତ୍ତରେ, ତଥା ନିର୍ବିବାଦରେ ଅପରକୁ ଯାହା ପ୍ରଦାନ କରିଚାଲେ, ତାହା ସ୍ଵତଃ ପ୍ରକ୍ରିୟାରେ ଅକ୍ଷୟ ତୂଣୀର ଭଳି ପୂର୍ଣ୍ଣତାରେ ଭରିଯାଏ । ଆନନ୍ଦ ଯଦି ପ୍ରାପ୍ତିର ଅନ୍ୟନାମ ହୁଏ, ପୂର୍ଣ୍ଣତାର ସୂଚକ ହୁଏ, ତେବେ ସେ ପ୍ରାପ୍ତି ଓ ପୂର୍ଣ୍ଣତା କେବଳ ବିତରଣର ସ୍ରୋତସ୍ଵିନୀରେ ହିଁ ଚିର ଯୌବନକୁ ଉପଲବ୍ଧି କରିଥାଏ । ତେଣୁ ତ କୁହାଯାଏ ବିତରଣର ମନ୍ତ୍ରରେ ଯେଉଁ ଦିବ୍ୟାତ୍ମାଗଣ ଅଭିମନ୍ତ୍ରିତ , ସେମାନେ ସର୍ବଦା ଶୂନ୍ୟରୁ ଶାଶ୍ଵତ ଅନୁଭୂତିକୁ ତୋଳି ଆଣନ୍ତି ବିଶ୍ଵ କଲ୍ୟାଣ ପାଇଁ । ସେମାନଙ୍କର ସେହି ଅନୁଭୂତି ଏ ଜଗତକୁ ଯେଉଁ ଅମୂଲ୍ୟ ନିଧି ପ୍ରଦାନ କରେ, ତା’ର ସଦୁପଯୋଗ କରାଯାଇ ପାରିଲେ ହିଁ ଏ ଜଗତ ଏକ ମହନୀୟ ଦିବ୍ୟ ସ୍ଥଳରେ ପରିଣତ ହୋଇପାରିବ ଅନ୍ୟଥା ଅଶାନ୍ତିର ଦାବାନଳରେ ଏହା ସତତ ଦଗ୍ଧିଭୂତ ହୋଇ ବିଶ୍ଵ ପାଇଁ ଏକ ବିଷମୟ ସ୍ଥିତିକୁ ଆହ୍ୱାନ କରି ଆଣିବ। ତେଣୁ ଆସନ୍ତୁ, ଏ ବିଶ୍ୱର ସୁରକ୍ଷା ଦାୟିତ୍ଵରେ ଥିବା ଆମେ ସଚେତନ ନାଗରିକଗଣ ଏଥିପାଇଁ ଯତ୍ନବାନ ହେବା ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବା । କାରଣ ଆମରି ଦାୟିତ୍ୱବୋଧ ହିଁ ଏ ବିଶ୍ଵର ଅମୂଲ୍ୟ ସମ୍ପଦ ଯାହାକି ଏକ ସୁନେଲି ଭବିଷ୍ୟତ ନିର୍ମାଣ କରିବା କ୍ଷେତ୍ରରେ ଯୁବଗୋଷ୍ଠିଙ୍କୁ ପ୍ରେରଣା ପ୍ରଦାନ କରି ଆନନ୍ଦାନୁଭୂତିକୁ ପ୍ରଦାନ କରିଚାଲିଥିବ ।
|
|
Comments
Post a Comment