ଇତିହାସ ଅତୀତର ପ୍ରଥା ଓ ପରମ୍ପରାକୁ ନେଇ କେତେକ
ସମ୍ମିଳିତ ତଥା ସମନ୍ୱିତ ପ୍ରମାଣଭିତ୍ତିକ ତଥ୍ୟ ଉପରେ ପର୍ଯ୍ୟବେସିତ। ପ୍ରମାଣସିଦ୍ଧ ତଥ୍ୟ
ବ୍ୟତିରେକେ କୌଣସି ଜାତିର ଇତିହାସ ମୂଲ୍ୟାଙ୍କନ କରାଯାଇପାରେନା। ଇତିହାସର ଘଟଣାବଳୀକୁ ସୁବ୍ୟବସ୍ଥିତ, ସୁସଂଯତ ଏବଂ ସୁପ୍ରତିଷ୍ଠିତ କରିବା ପାଇଁ ଐତିହାସିକମାନେ ସାଧନାର ଯଜ୍ଞକୁଣ୍ଡରେ ଅହର୍ନିଶି
ଆହୁତି ସାଜି ଯେଉଁ ନିର୍ଯାସକୁ ନିରୂପଣ କରନ୍ତି, ତାହା ଯେକେହି ବୈଜ୍ଞାନିକର ବିଜ୍ଞାନାଗାର ସାଧନା ଠାରୁ କୌଣସି ଗୁଣରେ କମ୍ ନୁହଁ। ତେଣୁ ତ
ଇତିହାସକୁ ବୈଜ୍ଞାନିକ ଚିନ୍ତନ ଓ ଆବିଷ୍କାରର ଅନ୍ୟ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଇତିହାସର ଗତି ନିର୍ଦ୍ଧାରଣ କରିବାବେଳେ ଇତିହାସ ସ୍ରଷ୍ଟାଗଣ ମୁଖ୍ୟତଃ ଦୁଇ ପ୍ରକାରର ଗତି ଉପରେ
ଗୁରୁତ୍ୱ ପ୍ରଦାନ କରିଥାନ୍ତି। ଯଥା, ସରଳରୈଖିକ ଗତି ଓ ବୃତ୍ତିୟ ଗତି । ସରଳରୈଖିକ ଗତି ଅତୀତର ବିଗତ ପରମ୍ପରା ଓ ପ୍ରଥାକୁ
ଗୁରୁତ୍ୱ ଦେଇ ନ ଥିବାବେଳେ
ବୃତ୍ତିୟ ଗତି
ଅତୀତ ପରମ୍ପରା ଓ ପ୍ରଥାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଏ। ତେବେ ବୃତ୍ତିୟ ଗତି ମାଧ୍ୟମରେ ମାନବ ସଂସ୍କୃତି
ବିଶ୍ଲେଷଣର କଷଟି ପଥର ଉପରେ ବାରମ୍ବାର ଘର୍ଷିତ ହୋଇ ମଣିଷକୁ ସଂସ୍କାରିତ କରିଥାଏ ବୋଲି ଭାରତୀୟ
ସଭ୍ୟତା ଏହି ବୃତ୍ତିୟ ଗତିକୁ ଅଧିକ ଗୁରୁତ୍ୱ ଦିଏ। କିନ୍ତୁ ଇତିହାସର ସରଳରୈଖିକ ଗତି ସର୍ବଦା
ପ୍ରସାରଣଶୀଳ। ଯାହାକି,
ପ୍ରତ୍ୟାବର୍ତ୍ତନଶୀଳ
ନୁହଁ। ତେଣୁ ଏହା ବିଶ୍ଳେଷଣର କଷଟି ପଥରରେ ପରୀକ୍ଷିତ ହେବାର ଦୃଷ୍ଟିଗୋଚର ହୁଏ ନାହିଁ। ସୁତରାଂ
ଭାରତୀୟ ବୈଦିକ ଧର୍ମ ଏ ପ୍ରକାରର ଇତିହାସ-ପ୍ରବାହକୁ ଐତିହାସିକ ଦୃଷ୍ଟିକୋଣରୁ ମୂଲ୍ୟାଙ୍କନ କରେ
ନାହିଁ। କାରଣ ଆମେ ଭାରତୀୟମାନେ ପରମ୍ପରା ଓ ପ୍ରଥାର ଅନୁସରଣ କରି କାହିଁ କେଉଁ ଆଦିମ ଯୁଗରୁ
ଅଦ୍ୟାବଧି ଆମ ସଂସ୍କୃତିକୁ ବଞ୍ଚାଇ ରଖିଛୁ। ତେଣୁ ତ ବିଶ୍ୱରେ
ଆମ ସଂସ୍କୃତି ଅଦ୍ଵିତୀୟ ଓ ମହାନ୍। ତେଣୁ ଆସନ୍ତୁ, ଆଜିର ଏ ଅବସରରେ ଭାରତୀୟ ସଂସ୍କୃତିର ମୂଲ୍ୟାଙ୍କନ
କରି ଉଚ୍ଚାରଣ କରିବା -
ଆମ ସଂସ୍କୃତି
ଜଗତେ ମହାନ୍
ତା’ ସରି ହେବ କିଏ ?
ତା’ ମହିମାରେ ପ୍ରତି ସଂସ୍କୃତିକୁ
ମୋହି ନେଇଥାଏ ସିଏ।
|
|
Comments
Post a Comment